ଗ୍ରାମୋନ୍ନତିର ରୋମାଞ୍ଚକର କାହାଣୀ

 

 

 

 

 

 

 

 

 

 

ଗ୍ରାମୋନ୍ନତିର ରୋମାଞ୍ଚକର କାହାଣୀ

ଡକ୍ଟର ମାୟାଧର ମାନସିଂହ

 

ପ୍ରାରମ୍ଭିକ

 

ଆମେରିକାର ବିଶ୍ଵ-ବିଖ୍ୟାତ ମାସିକ ପତ୍ର ‘ରିଡ଼ରସ୍ ଡାଇଜେଷ୍ଟ୍’ରେ ପ୍ରତି ମାସରେ ଗୋଟିଏ ଉତ୍ତମ, ଜନପ୍ରିୟ, ଶିକ୍ଷଣୀୟ, ସମସାମୟିକ ପୁସ୍ତକର ସାରାଂଶ ପ୍ରକାଶିତ ହୋଇଥାଏ । ‘ରିଡ଼ରସ୍ ଡାଇଜେଷ୍ଟ’ର ଏହି ଅଂଶଟି ମତେ ସବୁଠାରୁ ଭଲ ଲାଗେ । ଏଇ ବର୍ଷର ୧୯୫୪ ଫେବୃୟାରୀ ସଂଖ୍ୟାରେ “ରିଡ଼ରସ୍ ଡାଇଜେଷ୍ଟ’ରେ ‘’Stay on Stranger” ବା ରହିଯାଅ ବିଦେଶୀ ନାମକ ଆମେରିକାରେ ସଦ୍ୟ-ପ୍ରକାଶିତ ଏକ ପୁସ୍ତକର ସାରାଂଶ ପଢ଼ିବାକୁ ପାଇଲି । ଦେଖିଲି ଯେ ଏହା ଆମେରିକାର ଏକ ଅତ୍ୟନ୍ତ ଅନୁନ୍ନତ ଅଞ୍ଚଳର ଉନ୍ନୟନର ଏକ ରୋମାଞ୍ଚକର କାହାଣୀ । ଚାଳିଶ ବର୍ଷ ତଳେ ବୋଷ୍ଟନ ନଗରୀର ଏକ ଦୁର୍ବିପାକଗ୍ରସ୍ତ ଶିକ୍ଷିତା ଓ ଧନୀ କନ୍ୟା ଆମେରିକାର କେଣ୍ଟକୀ ଷ୍ଟେଟର ଏହି ଅଗମ୍ୟ, ଅନୁନ୍ନତ ଓ ଅସଭ୍ୟ ରୁକ୍ଷ୍ୟ ପାହାଡ଼ିଆ ଅଞ୍ଚଳକୁ ଆଶ୍ରୟପାଇଁ ଆସିଥିଲେ । ସେ ସମୟରେ ସେ ଅଞ୍ଚଳରେ ପ୍ରାୟ ସମସ୍ତେ ନିରକ୍ଷର ଥିଲେ, ଏପରିକି ସେ ଅଞ୍ଚଳର ପୋଷ୍ଟ ମିଷ୍ଟ୍ରେସ୍ ବି ପଢ଼ି ଜାଣି ନ ଥିଲା । ପଚାଶ ବର୍ଗ ମାଇଲ ଧରି ସେ ଅଞ୍ଚଳରେ ଗୋଟିଏ ହେଲେ ହାଇସ୍କୁଲ ନ ଥିଲା । ପ୍ରାଇମେରୀ ସ୍କୁଲ ଦୂରଦୁରାନ୍ତରେ ଗୋଟିଏ ଦୁଇଟି ଚିର ମୁମୂର୍ଷ ଅବସ୍ଥାରେ ପଡ଼ିଥାନ୍ତି । ସେଇସବୁ ସ୍କୁଲର ମାନେଜିଙ୍ଗ କମିଟି ମେମ୍ବରମାନେ ଟିପଚିହ୍ନ ଦେଇ ଦସ୍ତକତ କରୁଥିଲେ । କେହିହେଲେ ଜୋତା ପିନ୍ଧୁ ନ ଥିଲେ । କୌଣସି ଘରେ ଝରକା ନ ଥିଲା । ଲୋକେ କଥା କଥାକେ ନଛା ନଛି ହୋଇ ମରୁଥିଲେ । କଠୋର ଦାରିଦ୍ର୍ୟ ଭିତରେହିଁ ଜନସଂଖ୍ୟା ବଢ଼ି ଚାଲିଥିଲା । ପ୍ରତି ପରିବାରରେ ୮, ୧୦, ୧୧, ୧୨ କରି ପିଲା । ଏଇପରି ଭାବରେ ସେହି ପାର୍ବତ୍ୟ ଅଞ୍ଚଳ ସଭ୍ୟ ଜଗତରୁ ଏକାବେଳକେ ନିଜକୁ ବିଚ୍ଛିନ୍ନ ରଖି ନିଜର ହୀନ ଅସଭ୍ୟ ଜୀବନରେହିଁ ସନ୍ତୁଷ୍ଟ ରହିଥିଲା । ସେ ଅଞ୍ଚଳର ଲୋକେ ଆମେରିକାର ଅନ୍ୟ ଅଞ୍ଚଳର ଲୋକଙ୍କୁ ‘ଫରେନର’ ବା “ବିଦେଶୀ’ ବୋଲି କହିଥିଲେ ଏବଂ ନିଜ ଅଞ୍ଚଳ ଛଡ଼ା ଆମେରିକାର ଅବଶିଷ୍ଟ ରାଜ୍ୟକୁ ‘ଆମେରିକୀ’ ବୋଲି ଅଭିହିତ କରୁଥିଲେ । ବୋଷ୍ଟନର ସେହି ମହିଳା ମିସେସ୍ ଆଲିସ୍ ଲୟଡ଼୍ ପ୍ରଥମେ ଏ ଅଞ୍ଚଳରେ ‘ବିଦେଶୀ’ ଥିଲେ । କିନ୍ତୁ ସେହି ରୁଗ୍‍ଣା ଶ୍ୱେତାଙ୍ଗିନୀ ସେହି ରାସ୍ତାଘାଟହୀନ ଅସଭ୍ୟ ଅଞ୍ଚଳରେ ଗତ ଚାଳିଶବର୍ଷ ଧରି ରହି, ସେଇ ଅଞ୍ଚଳକୁ ଜନ୍ମାନ୍ତର ଦେଇପାରିଛନ୍ତି । ମିଷ୍ଟର ଏସ୍. ଡଟନ୍ ନାମକ ଲେଖକ Stay on stranger ବା‘ ବିଦେଶୀ ରହିଯାଅ” ପୁସ୍ତକରେ ଏହି ରୋମାଞ୍ଚକର କାହାଣୀ ବର୍ଣ୍ଣନା କରିଛନ୍ତି । ତାହା ପଢ଼ି ମୁଁ ଅଭିଭୂତ ହେଲି । ମୁଁ ବିଶେଷ ଭାବରେ ଅଭିଭୂତ ହେଲି ଏହି କାରଣରୁ ଯେ କେଣ୍ଟକୀର ସେହି ଅସଭ୍ୟ ଅଞ୍ଚଳର ରୂପାନ୍ତର ଘଟିଛି ଏକାନ୍ତଭାବରେ ସ୍କୁଲ ଭିତର ଦେଇ । ଦେଖିଲି ଯେ ଏଇତ ପୁଣି ଆମ ଭାରତବର୍ଷର, ଆମ ଓଡ଼ିଶାର ପ୍ରଧାନତମ ସମସ୍ୟା । ଆମେରିକାର ଏକ ଅଞ୍ଚଳରେ ଜଣେ ବୃଦ୍ଧା ରୁଗ୍‍ଣା ମହିଳା ଏ ସମସ୍ୟାର ସମାଧାନ କରିପାରିଛି ଚାଳିଶ ବର୍ଷ ଭିତରେ । ଏହି କାହାଣୀ ଆମ ଦେଶରେ ସୁପ୍ରଚାରିତ ହେବା ଉଚିତ, ଯେପରି କି ଆମ ଦେଶର ଜନନାୟକ, ଶିକ୍ଷାବିତ୍ ଓ ଶିକ୍ଷକଗଣ ଏଥିରୁ ଦିଗ୍‍ଦର୍ଶନ ଓ ଅନୁପ୍ରେରଣା ପାଇପାରିବେ ।

 

ଏଇ ଉଦ୍ଦେଶ୍ୟରେ ମୁଁ ମିସେସ୍‍ ଲୟଡ଼ଙ୍କ ପ୍ରତିଷ୍ଠିତ ଓ ମିଷ୍ଟର ଡଟନଙ୍କ ପୁସ୍ତକରେ ବର୍ଣ୍ଣିତ କାନେ ଗୋଷ୍ଠୀ ଯୋଜନା-କେନ୍ଦ୍ରସ୍ଥ କାନେ କଲେଜର ପ୍ରିନ୍ସିପାଲଙ୍କୁ ଏକ ଚିଠି ଲେଖିଲି । ଏଇ ଅନୁରୋଧ କରି ଯେ, ମୁଁ ମିଷ୍ଟର ଡଟନଙ୍କ ମୂଳ ବହିର ଏକ କପି ଯେପରି ପାଏ ଓ ମିଷ୍ଟର ଡଟନ ସେହି ବହିଟିକୁ ଓଡ଼ିଆରେ ଅନୁବାଦ କରିବାପାଇଁ ମୋତେ ଯେପରି ଅନୁମତି ଦିଅନ୍ତି । ଇତିମଧ୍ୟରେ ମୁଁ କାନେ କଲେଜର ପ୍ରିନ୍ସିପାଲ ଓ ମିଷ୍ଟର ଡଟନଙ୍କଠାରୁ ପ୍ରୀତି ଓ ସଦିଛାପୂର୍ଣ୍ଣ ସୁନ୍ଦର ଉତ୍ତର ପାଇ ସାରିଛି ଏବଂ ଡଟନଙ୍କଠାରୁ ତାଙ୍କ ପୁସ୍ତକର ଏକ କପି ମଧ୍ୟ ଉପହାର ପାଇ ସାରିଛି । ଆମ ଦେଶରେ ବର୍ତ୍ତମାନ ଗ୍ରାମୋନ୍ନତିକର୍ମ ନାନାଭାବରେ ଚାଲିଛି । ଗାନ୍ଧି ସ୍ମାରକନିଧି ଓ କସ୍ତୁରବା ପାଣ୍ଠି ସାହାଯ୍ୟରେ ଶତ ଶତ ଗ୍ରାମସେବକ ଓ ଗ୍ରାମସେବିକା ଯଥୋପଯୁକ୍ତ ତାଲିମ ପାଇ ଦୂରଦୂରାନ୍ତର ପଲ୍ଲୀ ଅଂଚଳକୁ ଅନୁନ୍ନତ ପଲ୍ଲୀବାସୀ ପଲ୍ଲୀବାସିନୀମାନଙ୍କୁ ଅଜ୍ଞତାର ନାଗ ପାଶରୁ ମୁକ୍ତି ଦେବାପାଇଁ ଅଗ୍ରସର ଓ ବଦ୍ଧପରିକର । ଏଣେ ଆମ ଦେଶର ଶାସକ, ଚିନ୍ତାନାୟକ ଓ ଶିକ୍ଷାନାୟକମାନେ ଆମଦେଶର ସ୍କୁଲ କଲେଜସବୁକୁ ଜାତିର ପ୍ରକୃତ ଗଠନରେ, ଗଣ-ଦେବତାର ପ୍ରକୃତ ଊର୍ଦ୍ଧ୍ଵ ଗତିରେ କିପରି ନିୟୋଜିତ କରାଯାଇ ପାରିବ ସେଥିପାଇଁ ବ୍ୟାକୁଳ । ଦେଶର ଆସୁ କଲ୍ୟାଣରେ ବ୍ୟାକୁଳତାବଶତଃ ବହୁପନ୍ଥୀ ଯୋଜନାରେ ଧାବମାନ ହେଉଥିବାରୁ ସେମାନଙ୍କୁ ହୁଏତ କେହି କେହି ଉତ୍‍ପଥ ଓ ଉଦ୍‍ଭ୍ରାନ୍ତ ବୋଲି ମନେ କରୁଛନ୍ତି । ମୋର ବିଶ୍ଵାସ ଏ ସମସ୍ତେ କାନେ କଲେଜର ରୋମାଞ୍ଚକର କାହାଣୀରୁ କିଛିନାକିଛି ଶିକ୍ଷା, ନିର୍ଦ୍ଦେଶ ଓ ପ୍ରେରଣା ପାଇବେ । ସେହିମାନଙ୍କପାଇଁହିଁ ମୁଁ ମିଷ୍ଟର ଡଟନଙ୍କ ବହିଟି ଓଡ଼ିଆରେ ତର୍ଜମା କରିବାକୁ ଯାଉଛି । ଏ ଅନୁବାଦ ଅବଶ୍ୟ ପୂରା ଆକ୍ଷରିକ ଅନୁବାଦ ହେବ ନାହିଁ । କାରଣ ଏଥିରେ ଆମେରିକା ସମାଜର ଅନେକ କିଛି ଘଟଣା ବର୍ଣ୍ଣିତ ଯାହା ଏ ଦେଶର ଲୋକେ ଆଦୌ ବୁଝିପାରିବେ ନାହିଁ । ମୁଁ କେବଳ ସେହି ସେହି ଅଂଶ ଅନୁବାଦ କରିବି, ଯାହା ଆମ ଦେଶର ଲୋକେ ପଢ଼ିବାରେ ଆନନ୍ଦ ପାଇବେ ଓ ଶିଖିବେ । ବର୍ତ୍ତମାନ ପାଠକମାନଙ୍କର କୌତୂହଳାର୍ଥେ ମୋର କାନେ କଲେଜ ପ୍ରିନ୍ସିପାଲଙ୍କ ନିକଟକୁ ଦେଇଥିବା ପତ୍ର ଓ ମିଷ୍ଟର ଡଟନଙ୍କଠାରୁ ଉତ୍ତରର ଅନୁବାଦ ଦେଇ ମୋର ପ୍ରାରମ୍ଭିକ ଭାଷଣ ଶେଷ କରେ ।

Image

 

ମୋରପତ୍ର

 

ପ୍ରିୟବନ୍ଧୁ,

 

୧୯୫୪ ଫେବୃଆରୀ ସଂଖ୍ୟାର ରିଡ଼ରସ୍ ଡାଇଜେଷ୍ଟ (ଭାରତୀୟ ସଂସ୍କରଣ)ରେ ମିସେସ୍‍ ଆଲିସ୍ ଲୟଡ଼ ଯେପରି ଦୀର୍ଘ ନୀରବ, ଧୈର୍ଯ୍ୟଶୀଳ, ଗାନ୍ଧିସମ ଚେଷ୍ଟା ଓ ତ୍ୟାଗ ବଳରେ କାନେ ଓ ତାର ଆଖପାଖ ଅଞ୍ଚଳର ଲୋକଙ୍କର କଲ୍ୟାଣ ଉଦ୍ଦେଶ୍ୟରେ ଆପଣଙ୍କର କାନେ କଲେଜ ପ୍ରତିଷ୍ଠା କରିଛନ୍ତି ଓ ଯେପରି ଭାବରେ ତାହା ଚାଳିତ ହେଉଛି, ସେହି ବିସ୍ମୟକର କାହାଣୀ ମୁଁ ବିପୁଳ ଅନୁରାଗର ସହିତ ପାଠ କରିଛି । ଡବଲିଉ ଏସ୍. ଡଟନଙ୍କର “ରହିଯାଅ ବିଦେଶୀ” ପୁସ୍ତକର ଏହି ସାରାଂଶଟି ପଢ଼ି ସାରିଲା ପରେ ଗୋଟିଏ ପୂରା ଅଞ୍ଚଳ ଓ ଜନଗୋଷ୍ଠୀର ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଯେପରି ଭାବରେ କରାଯାଇଛି, ସେଥିପାଇଁ ସେହି ପୁଣ୍ୟପ୍ରାଣା ମହିଳା ଓ ତାଙ୍କର ଅନୁଗ ଆପଣମାନଙ୍କୁ ମୋର ହୃଦୟର ପୂର୍ଣ୍ଣତମ ସମ୍ବର୍ଦ୍ଧନା ନ ଜଣାଇ ମୁଁ ରହିପାରୁ ନାହିଁ । ଇଣ୍ଡିଆରେ ଏକ କଲେଜର ପ୍ରିନ୍ସିପାଲ ଭାବରେ ମୁଁ ଆପଣମାନଙ୍କ ସହିତ ସମ-ଗୋଷ୍ଠୀତ୍ଵ ଭାବ ଅନୁଭବ କରୁଛି ଏବଂ ଆପଣମାନଙ୍କର ଏହି ଚମତ୍କାର ପରୀକ୍ଷାର କାହାଣୀ ମୋ ଦେଶବାସୀଙ୍କ ନିକଟରେ ଯେପରି ସୁପ୍ରଚାରିତ ହେବ, ସେହି ଉଦ୍ଦେଶ୍ୟରେ ମୁଁ ମିଷ୍ଟର ଡଟନ୍‍ଙ୍କର ପୁସ୍ତକଟିକୁ ମୋ ମାତୃଭାଷା ଓଡ଼ିଆରେ ଅନୁବାଦ କରିବାକୁ ଚାହେଁ । ଏହି ଭାଷାଟି ଭାରତର ପୂର୍ବ ପ୍ରାନ୍ତସ୍ଥ ଓଡ଼ିଶା ନାମକ ଷ୍ଟେଟରେ ଚତୁର୍ଦ୍ଦଶ ମିଲିୟନ ଲୋକଙ୍କ ଦ୍ଵାରା କଥିତ ହୁଏ ଏବଂ ଏହା ଭାରତର ଚଉଦଟି ପ୍ରଧାନ ଭାଷାମାନଙ୍କ ମଧ୍ୟରେ ଏକତମ । ବର୍ତ୍ତମାନ ଏ ପୁସ୍ତକ ଇଣ୍ଡିଆରେ ମିଳି ନ ପାରେ । ତେଣୁ ଆପଣ ଦୟାକରି ଖଣ୍ଡିଏ ମୋ ନିକଟକୁ ପଠାଇବାପାଇଁ ଅନୁରୋଧ କରେ । ଏହାକୁ ଓଡ଼ିଆରେ ଅନୁବାଦପାଇଁ ମିଷ୍ଟର ଡଟନଙ୍କ ଅନୁମତି ମଧ୍ୟ ମୋର ଦରକାର, ଯେହେତୁ ମିଷ୍ଟର ଡଟନଙ୍କ ସହିତ ମୋର ପରିଚୟ ନାହିଁ ଓ ତାଙ୍କର ଠିକଣା ମୋତେ ଜଣା ନାହିଁ । ଆପଣ ଦୟାକରି ଏ ସମସ୍ତ କରିଦେବେ ବୋଲି ଆଶା କରେ । ମୁଁ ମିସେସ୍‍ ଆଲିଶ୍‍ ଲୟଡ଼ଙ୍କର ଓ ତାଙ୍କର ‘ଶାନ୍ତି-କୁଟୀର’ର ଛବି ଚାହେଁ, ପୁଣି ଗୋଷ୍ଠୀ-ଶ୍ରମରେ ଗଠିତ ଆପଣଙ୍କ କଲେଜ ଓ ତତ୍‍ସଂଲଗ୍ନ ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କର ଛବି ମଧ୍ୟ ମୁଁ ଚାହେଁ । ଯୁକ୍ତରାଷ୍ଟ୍ରର ଏକ ଛୋଟ ମାନଚିତ୍ରରେ ଆପଣଙ୍କ ଅଞ୍ଚଳଟି ଚିହ୍ନିତ କରିଦେବେ ଏବଂ ଆଲିଶ୍‍ ଲୟଡ଼୍‍ଙ୍କ ଆସିବା ପୂର୍ବେ ଓ ପରେ କାନେ ଅଞ୍ଚଳର ଲୋକ ଓ ଘରଦ୍ଵାରର କେତେକ ଛବି ମଧ୍ୟ ମୋର ଦରକାର ହେବ । ମୁଁ ଏଠାରେ ଜଣାଇ ଦେବା ଉଚିତ ମନେକରେ ଯେ, ଏହା ମୋ ପକ୍ଷରେ ଏକାନ୍ତଭାବରେ ଶ୍ରଦ୍ଧାର ଶ୍ରମ । ତେଣୁ ମିଷ୍ଟର ଡଟନଙ୍କ ପୁସ୍ତକ ସମ୍ବନ୍ଧରେ ରୟାଲଟିର କଥା ନ ଉଠାଇଲେହିଁ ଭଲ ହେବ ।

 

ମୁଁ ଆପଣଙ୍କ ନିକଟରୁ ଉତ୍ତର ପାଇବାପାଇଁ ଗଭୀର ଅପେକ୍ଷାରେ ରହିଲି ।

Image

 

ମି.ଡଟନଙ୍କ ଉତ୍ତର

 

ପ୍ରିୟ ଡକ୍ଟର ମାନସିଂ,

 

କାନେ ଜୁନିୟର କଲେଜରୁ ମୋ ନିକଟକୁ ଆପଣଙ୍କ ପତ୍ରଟି ପଠା ହୋଇଅଛି ଏବଂ “ରହିଯାଅ ବିଦେଶୀ” ଉପରେ ଆପଣଙ୍କର ଆଗ୍ରହାନ୍ୱିତ ମତାମତ ମତେ ଗଭୀର ଆନନ୍ଦ ଦାନ କରିଛି ।

 

‘ରହିଯାଅ ବିଦେଶୀ’କୁ ଓଡ଼ିଆରେ ଅନୁବାଦ କରିବାକୁ ମୁଁ ଆପଣଙ୍କୁ ଖୁସିରେ ଅନୁମତି ଦେଉଛି । ଏଥିରେ ଲାଭର ପ୍ରଶ୍ନ ନାହିଁ । କାର୍ଯ୍ୟରେ ଅଗ୍ରସର ହେବାପାଇଁ ମୋର ଏଇ ପତ୍ରକୁହିଁ ପ୍ରାମାଣିକ ଭାବରେ ବ୍ୟବହାର କରିପାରନ୍ତି । ମୁଁ ଅନ୍ୟ ଏକ ପକେଟରେ ଆପଣଙ୍କ ନିକଟକୁ ମୋର ପୁସ୍ତକର ଏକ କପି ଡାକରେ ପଠାଇଅଛି । ତାର ଦାମ୍ କଥା ଆପଣ ଆଦୌ ଭାବିବେ ନାହିଁ, ବରଂ ଓଡ଼ିଆରେ ବହିଟି ଛାପାହେଲେ ତା’ର ଏକ କପି ଆପଣ ପଠାଇପାରିଲେ ମୁଁ ଭାରି ଖୁସି ହେବି ।

 

କାନେର ଲୋକେ ଆପଣଙ୍କ ନିକଟକୁ କି ଛବି ସବୁ ପଠାଇଛନ୍ତି ମୁଁ ଜାଣେନାହିଁ । ତେବେ ମୁଁ ଆପଣଙ୍କ ନିକଟକୁ କେତେକ ଧଳା-କଳା ସ୍କେଚ ପଠାଉଛି, ଯାହାକି ଆପଣଙ୍କ କାମରେ ଆସିପାରେ । ମୁଁ ମଧ୍ୟ ଇଉ. ଏସ. ଏ. ର ଏକ ଛୋଟ ମାନଚିତ୍ରରେ ପେନ୍‍ସିଲ୍‍ରେ ପିପାପାସ୍ କେଉଁଠି ଅବସ୍ଥିତ ତାହା ନିର୍ଦ୍ଦେଶିତ କରିଦେଇଛି ।

 

ଆପଣଙ୍କ ପ୍ରତି ଓ ଜି. ଏମ. କଲେଜ ପ୍ରତି ମୋର ପ୍ରକୃଷ୍ଟ ଶ୍ରଦ୍ଧା ନିବେଦନ କରୁଛି । ଆମ୍ଭେମାନେ ମଧ୍ୟ ଗାନ୍ଧିଙ୍କୁ ଭାରି ପସନ୍ଦ କରୁଥିଲୁ ।

 

ଆପଣଙ୍କର

ଡବ୍ଲିଉ. ଏସ୍. ଡଟନ୍.

 

[ପର ଅଧ୍ୟାୟରୁ ଆଠଟି ଅଧ୍ୟାୟରେ ଡଟନଙ୍କ ‘ବିଦେଶୀ ରହିଯାଅ’ ପୁସ୍ତକର ସାରାଂଶ ଅନୁବାଦ ପାଠକମାନେ ପଢ଼ିବାକୁ ପାଇବେ]

Image

 

ଅଭୂତ ଅଭ୍ୟୁଦୟ

 

ପ୍ରସ୍ତରମୟ କାନେ ଜୋରର ତଟେ ତଟେ, ଓନିୟନ୍ ବ୍ଳେଡ଼, ଡିଫିଟେଡ଼୍ ପ୍ରଭୃତି ଗ୍ରାମମାନଙ୍କରେ ଏବଂ କେଣ୍ଟକୀ ଷ୍ଟେଟର ପୂର୍ବ ପର୍ବତମାଳା ଭିତରେ ଥିବା ସେହିପରି ବହୁ ଆଲୋକହୀନ ଉପତ୍ୟକାରେ (ଯାହା କି ସେ ଅଞ୍ଚଳର ଗ୍ରାମ୍ୟଭାଷାରେ ‘ଖୋଲ’ ବୋଲି କଥିତ ହୋଇଥାଏ) ଏବେ ଯେତେ ଘର ଠିଆହୋଇଛି ସେଥିରୁ ଅଧିକାଂଶରେ ଏବେ ଝରକା ଥିବାର ଦେଖାଯାଏ ।

 

ଘର ସଙ୍ଗେ ଝରକା ରହିବାଟା ଆପଣ ହୁଏତ ଧରି ନେଉଛନ୍ତି । କିନ୍ତୁ ଶତାଧିକ ବର୍ଷଧରି ଏ ଅଞ୍ଚଳର ଲୋକଙ୍କର ସେ ଧାରଣା ନ ଥିଲା । ଅଚଁଛା କାଠଗଡ଼ ଓ ପଟାଦେଇ ସେଠି ଘରମାନଙ୍କର କାନ୍ଥ ଟେକାହୋଇ ଆସୁଥିଲା ଏବଂ ସେଠି ବାତାୟନର ଆଗମନ, ଏକ ବିସ୍ମୟକର ଔଷଧର ଆବିଷ୍କାର ପରି ମନେକରିବାକୁ ହେବ ।

 

ଏ ଅଞ୍ଚଳର ସହସ୍ର ସହସ୍ର ଜୀବନ କିପରି ପୁନର୍ଗଠିତ ହୋଇଯାଉଛି, ଏହି ବାତାୟନହିଁ ତାହାର ପ୍ରତୀକ । ଘରମାନଙ୍କରେ ମାଟିର ଚଟାଣ ଆଉ ନାହିଁ । ତା’ ସ୍ଥାନରେ କାଠ-ପଟାର ଆସ୍ତରଣ ଦେଖିବାକୁ ପାଇବେ । ଅନେକ ଘରେ ବିଜୁଳି ଆଲୁଅ ଦେଖା ଦେଲାଣି । କେଉଁ କେଉଁଠି ଲୁଗାଧୁଆ ମେସିନ ଓ ରେଫ୍ରିଜରେଟର ମଧ୍ୟ । ପ୍ରତି ଚାରିଜଣରେ ତିନିଜଣ ଏବେ ଲେଖି ପଢ଼ି ଜାଣିଲେଣି । କେତେକ ସଙ୍ଗତିସମ୍ପନ୍ନ ଲୋକ ଘରକୁ ଟେଲିଫୋନ ମଧ୍ୟ ଆଣିଲେଣି ।

 

ଏବେ ଏହି ‘ଖୋଲ’ମାନଙ୍କରେ ଡାକ୍ତର, ନର୍ସ, ଓକିଲ, ଇଞ୍ଜିନିଅର, ସର୍ବୋପରି ଶିକ୍ଷକମାନେ ସୁପ୍ରାପ୍ୟ ହେଲେଣି; ଏବଂ ବିଶେଷ ବିସ୍ମୟକର ଘଟଣା ରୂପେ ମୋତେ ଏୟା କୁହାଯାଇଥିଲା ଯେ, ଏ ସମସ୍ତେ ସେହି ନୂତନ ବାତାୟନଯୁକ୍ତ ଘରଗୁଡ଼ିକରୁହିଁ ବାହାରିଛନ୍ତି । ସେମାନେ ଏକ ବର୍ଦ୍ଧିଷ୍ଣୁ ବାହିନୀ । କିନ୍ତୁ ଏହି ବାହିନୀର ବୈଶିଷ୍ଟ୍ୟ ଏହି ଯେ ତାହାର ପ୍ରତ୍ୟେକ ଏକକ ନିଜ ଜନ୍ମମାଟିର ସେବା କରିବାପାଇଁ ଆଜୀବନ ପ୍ରତିଜ୍ଞାବଦ୍ଧ ।

 

ଏହା ପ୍ରାୟ ୧୫୦୦ଟି ନିଃସ୍ଵାର୍ଥ ନେତାଙ୍କର ଏକ ଅପୂର୍ବ ବାହିନୀ ।

 

ନଟ୍‍ ଜିଲ୍ଲାର କାନେଜୋର ନିକଟସ୍ଥ ଛୋଟ ଗ୍ରାମ ପିପାପାସ୍‍ରେ ଆଲିସ୍ ଲୟଡ଼ଙ୍କର ଆବିର୍ଭାବ ପୂର୍ବରୁ ଏହା କିନ୍ତୁ ସମ୍ଭାବନାର ବାହାରେ ଥିଲା । ସେ ୧୯୧୬ ଖ୍ରୀଷ୍ଟାବ୍ଦର ଘଟଣା । ସେତେବେଳେ ଏଠି ଗାଁ କହିଲେ ଯାହା ବୁଝାଏ, ତାହା ବି ନ ଥିଲା । ନିଛାଟିଆ ଦୂରଛଡ଼ା ଏଠି ସେଠି ଗୋଟେ ଦିଟା କାଠ-ପଟାର କୁଡ଼ିଆ ଏବଂ ଜୋର ମୁଣ୍ଡରେ କାଠପଟାରେ ତିଆରି ଗୋଟାଏ ଦଦରା ସ୍କୁଲ ଘର । ସେଇ ଥିଲା ଗାଁ । ସେହି ମରମର ଗାଁ ଚାଟଶାଳୀଟିହିଁ ସେ କାଳର ଜୀବନର ପ୍ରତୀକ ରୂପେ ବୋଧ ହେଉଥିଲା ।

 

କୋଶ କୋଶ ଧରି କୌଣସି ଲୋକର କୌଣସି କୁଡ଼ିଆରେ ଗୋଟିଏ ହେଲେ ଝରକା ନ ଥିଲା । ବାହାରର ଆଲୋକ ଘରଭିତରକୁ ପଶୁଥିଲା ଏକମାତ୍ର ଦୁଆର ବା ପଟାମାନଙ୍କର ଫାଙ୍କ ଦେଇ । ସେତେବେଳେ ଶହେକେ ଦୁଇଜଣ ମାତ୍ର ଲେଖିପଢ଼ି ଜାଣୁଥିଲେ । ଜିଲ୍ଲାର ରାଜଧାନୀ ହିଣ୍ଡମାନ ସହିତ ସମଗ୍ର ଜିଲ୍ଲାରେ ଜଣେ ମାତ୍ର କଲେଜ ଗ୍ରାଜୁଏଟ୍ ଥିଲା । ସେ କିନ୍ତୁ ଥିଲା “ଆମେରିକାରୁ ଆଗତ ଜଣେ ବିଦେଶୀ ।”

 

କେବଳ ନଟ୍ ଜିଲ୍ଲା ନୁହେଁ, ଆଖପାଖ ଚାରିପାଞ୍ଚଟି ଜିଲ୍ଲାକୁ ମିଶାଇ ଏକଲକ୍ଷ ଅଧିବାସୀଙ୍କର ଏଇ ବିସ୍ତୃତ ଅଞ୍ଚଳରେ ଗୋଟିଏ ହେଲେ ହାଇସ୍କୁଲ ନ ଥିଲା କି ହେବା ସମ୍ଭାବନା ମଧ୍ୟ ନ ଥିଲା ଏ ଅଞ୍ଚଳର ଯୁବକମାନଙ୍କର ଉଚ୍ଚାଭିଳାଷ ଥିଲା କୋଇଲାଖଣିରେ ମଜଦୁର ହେବା । କୋଇଲାଖଣିର ଶ୍ଵାସରୋଗ ଓ ତା’ର ଭାଇ ଯକ୍ଷ୍ମା ବହୁ ଲୋକଙ୍କୁ ଗ୍ରାସ କରୁଥିଲା । ଲୋକେ ଏସବୁକୁ ‘ଇଶ୍ଵର-ପ୍ରେରିତ’ ଦଣ୍ଡ ବୋଲି ଧରିନେଇ ନୀରବରେ ସହୁଥିଲେ ଓ ମରୁଥିଲେ ।

 

ସରକାରୀ ହାକିମମାନେ ତାଚ୍ଛଲ୍ୟରେ କହୁଥିଲେ, “ଇସ୍କୁଲ ବସେଇ ଟଙ୍କା ନଷ୍ଟ କରିବାର କି ଦରକାର ? ଏ ଅଞ୍ଚଳର ଦି’ଟା ପିଲା କାଢ଼ିଲ, ଯେ କି ହାଇସ୍କୁଲକୁ ଯିବାର ଯୋଗ୍ୟ । ପୁଣି ଶିକ୍ଷକ ଆସିବେ କେଉଠୁଁ ?

 

ଅଧିକାଂଶ ସ୍କୁଲ ମେନେଜରମାନେ ଗୋଟିଏ x ଚିହ୍ନ ଦେଇହିଁ ନିଜର ଦସ୍ତଖତ ଦେଉଥିଲେ ।

 

ଯିଏ ବା ଡାକ୍ତର ବୋଲାଉଥିଲା, ସେ ଜଡ଼ିବୁଟିର ବୈଦ୍ୟ ଛଡ଼ା ଆଉ କିଛି ନ ଥିଲେ । ସେ ଚିକିତ୍ସାଶାସ୍ତ୍ରରେ କୌଣସି ଶିକ୍ଷା କେଉଁଠି ପାଇ ନ ଥିଲେ । ସେହିପରି ଥିଲେ ଏ ଅଞ୍ଚଳର ଓକିଲ ଓ ଏପରି କି ବିଚାରକ ମଧ୍ୟ । ରାସ୍ତା କହିଲେ ବୁଝାଉଥିଲା ନଈ ବା ଜୋରମାନଙ୍କର ବଙ୍କାଟଙ୍କା ବନ୍ଧୁର ଶଯ୍ୟା, ନଚେତ ତୀଖ ପାହାଡ଼ ଉପର ଦେଇ ଅଣଓସାରିଆ ପଦ-ପଥ, ଯାହାଦେଇ ଚକ୍ର-ଯାନ ତ ଦୂରର କଥା, ପାହାଡ଼ିଆ ଖଚର ବି ଯିବା ଅସମ୍ଭବ । ଏବେ ବି ଏ ଅଞ୍ଚଳରେ ଅନେକ ‘ଖୋଲ’ ଅଛି ଯେଉଁଠି ଗାଁ ଅଛି, କିନ୍ତୁ ଯେଉଁଠାକୁ କୌଣସି ଯାନ ପହଞ୍ଚିପାରିବ ନାହିଁ ।

 

ସେ କାଳରେ ଏ ଅଞ୍ଚଳର ଲୋକଙ୍କର ସାଧାରଣ ବାର୍ଷିକ ଆୟ ଥିଲା ମାତ୍ର ୨୫ ଡଲାର (ଏକ ଡଲାର ପ୍ରାୟ ପାଞ୍ଚଟଙ୍କା) ।

 

ଲୋକଙ୍କ ମୂର୍ଖତା ଯୋଗୁଁ ପାହାଡ଼ମାନଙ୍କରୁ ପ୍ରତେକଟି ଗଛ କାଟି ପକା ହୋଇଥିଲା; ସବୁ ଜୀବ ଜନ୍ତୁଙ୍କୁ ନିଶ୍ଚିହ୍ନ କରି ମାରି ଦିଆଯାଇଥିଲା ଏବଂ ରୋଗ ଓ ଦାରିଦ୍ର୍ୟରେ ଲୋକଙ୍କ ବୁଦ୍ଧି ଓ ବିଚାରଶକ୍ତିହିଁ ବିକୃତ ହୋଇ ପଡ଼ିଥିଲା । ଚିର କଳହ ବନ୍ଧୁକରେ ନଛାନଛି ଏବଂ ଚୋରା ମଦ ବିକ୍ରି ଓ ପାନ ଥିଲା ସେମାନଙ୍କର ସାଧାରଣ ଜୀବନ ।

 

ଏହି ହତଭାଗ୍ୟ ଅଞ୍ଚଳକୁ ୧୯୧୬ରେ ଆଲିସ୍ ଲୟଡ଼୍ ଆସି ପହଞ୍ଚିଲେ ବୋଷ୍ଟନ ସହରରୁ ।

 

ସ୍ଥାନୀୟ ଏକ ସ୍ତ୍ରୀ ଲୋକ ତାଙ୍କୁ ଦେଖି ପଚାରିଥିଲା, “ବିଦେଶୀ, ତମେ ଏଠିକି କାହିଁକି ଆସିଛ ?” ସେ ସ୍ତ୍ରୀ ଲୋକର ଗୋଡ଼ରେ ଜୋତା ନ ଥିଲା, ସେ କାଖରେ ଧରିଥିଲା ତାର ଏଗାରଟି ସନ୍ତାନ-ମାଳାର ଶେଷଟିକୁ ଏବଂ ବୟସ ଚାଳିଶ ହେଲେହେଁ ସେ ସମ୍ପୂର୍ଣ୍ଣ ବୁଢ଼ୀ ହୋଇଯାଇଥିଲା ।

 

ଆଲିସ୍ ଲୟଡ଼୍ ଗୋଟିଏ ଭଉଣୀଆଡ଼କୁ ଚାହିଁଲା ପରି ତା’ଆଡ଼କୁ ଆନାଇଲା । ତାଙ୍କର ବୟସ ମଧ୍ୟ ସେତେବେଳକୁ ଚାଳିଶ । ସେ ମଧ୍ୟ ରୁଗ୍‍ଣ ଓ ଦୁର୍ବିପାକ-ପରାହତ । ପିଲାଦିନେ ମେରୁଦଣ୍ଡର ମେନିଞ୍ଜାଇଟିସ୍ ରୋଗ ଭୋଗ ଯୋଗୁ ତାଙ୍କର ଡାହାଣ ଅଂଶଟା ଏକ ପ୍ରକାର ପକ୍ଷାଘାତଗ୍ରସ୍ତ କହିଲେ ଚଳେ । ପରିବାରର ଯାହା କିଛି ସମ୍ପତ୍ତି ଅବଶେଷ ଥିଲା, ତାହା ସେ ଗୋଟିଏ ଘୋଡ଼ାଗାଡ଼ିରେ ପୂରେଇ ସୁଦୂର ବୋଷ୍ଟନ ସହରରୁ ପଳାଇ ଆସିଛନ୍ତି । ଆଉ ତାଙ୍କର ଯାହା ଜିନିଷପତ୍ର, ସେସବୁ ପଛରେ ବନ୍ଧା ଯାଇଥିବା ସାମାନ୍ୟ ଗୋଟିଏ ଟ୍ରକ୍‍ରେହିଁ ଥିଲା ।

 

ଆଲିସ ଲୟଡ଼ ସେ ସ୍ତ୍ରୀ ଲୋକଟିକୁ ଉତ୍ତର ଦେଲେ, “ଦୁଃଖ ସଙ୍ଗ ଖୋଜେ ପରା !”

 

ସେ ସ୍ତ୍ରୀ ଲୋକଟି ଏହା ଶୁଣି କହିଲା, “ରହିଯାଅ ବିଦେଶୀ । ଏଠି ତମର ସାଙ୍ଗର ଅଭାବ ହେବେ ନାହିଁ ।”

 

ଆଲିସ ଲୟଡ଼ ରହିଗଲେ । ଏବେ ତାଙ୍କର ବୟସ ୭୭ । ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ଏବେ ଅଳ୍ପରୁ ଅଳ୍ପତର ହୋଇ ହୋଇ କେତୋଟି ତୁଳାର ବସ୍ତୁ ଓ ଏକ ପୁରାତନ ଟାଇପ୍‍ ରାଇଟରରେ ପର୍ଯ୍ୟବସିତ । କେବଳ ଖାଇବା ପିନ୍ଧିବା ଛଡ଼ା ତାଙ୍କର ଦରମା ବୋଲି କିଛି ନାହିଁ ଏବଂ ସେତକପାଇଁ ସେ ସକାଳୁ ଅଧରାତି ଯାଏଁ ଖଟୁଥାନ୍ତି । ତାଙ୍କର ଡାହାଣ ହାତ ପକ୍ଷାଘାତଗ୍ରସ୍ତ ହୋଇ ପଡ଼ିଥିବା ଯୋଗୁଁ ସେ ବାଁ ହାତର ଆଙ୍ଗୁଠିରେ ଟାଇପ୍‍ ରାଇଟର ଚଲାନ୍ତି । ୧୯୧୬ରୁ ଏପର୍ଯ୍ୟନ୍ତ ସେ ଟାଇପ୍‍ ରାଇଟର ଦଶଲକ୍ଷ ଟଙ୍କା ଚାନ୍ଦା ଉଠେଇଛି, ପୁଣି ତାଠାରୁ ଆହୁରି ଅଧିକ ମୂଲ୍ୟର ଲୁଗା, ଖାଦ୍ୟ, କାଠ, ପଥର ପ୍ରଭୃତି ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ସଂଗ୍ରହ କରିଛି-। ସବୁ କେବଳ ଅନ୍ୟମାନଙ୍କ ଉପକାରପାଇଁ ।

 

ସେଇ ଟାଇପ୍‍ ରାଇଟରହିଁ ଏଇ ଅଞ୍ଚଳର ଦୁଇଶତ ବାଳକ-ବାଳିକାଙ୍କୁ ବିଶ୍ଵବିଦ୍ୟାଳୟକୁ ପଠାଇଛି ଓ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିଛି । ୧୨୦୦ ଶିକ୍ଷକ, ହେଡ଼ମାଷ୍ଟର ଓ ଜିଲ୍ଲା ଇନସପେକଟରଙ୍କୁ ମଧ୍ୟ ଏଇ ଟାଇପ୍‍ ରାଇଟର ତିଆରି କରି ଠିଆ କରେଇଛି । ପୁଣି ନିଜର ପଇସାପତ୍ର ଯୋଗାଡ଼ କଲା ମାତ୍ରେ ସେମାନଙ୍କୁ କଲେଜ ଶିକ୍ଷାପାଇଁ ପ୍ରେରଣା ଦେଇଆସିଛି । ଏଇ ପାହାଡ଼ିଆ ଅଞ୍ଚଳର ଗୋଟିଏ ଯୁବକକୁ ତାହା ଗଢ଼ିପାରିଛି ଯୁକ୍ତରାଷ୍ଟ୍ରର କଂଗ୍ରେସରେ ଯାଇ ବସିବାପାଇଁ ଏବଂ କେଣ୍ଟକୀ ଷ୍ଟେଟ୍‍ର ପ୍ରାଦେଶିକ ସଭା ଓ ସରକାରୀ ଅଫିସମାନଙ୍କପାଇଁ ମଧ୍ୟ ଉପଯୁକ୍ତ ଲୋକ ଯୋଗାଇ ପାରିଛି ।

 

ଯେଉଁ ଲୋକେ ଉଚ୍ଚାକାଂକ୍ଷା କଣ ଜାଣି ନ ଥିଲେ ଓ ଉନ୍ନତତର ଜୀବନ ଚାହୁଁ ନ ଥିଲେ, ତାଙ୍କ ଭିତରେ ଏକ ସୁଦୂରପ୍ରସାରୀ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଠିଆକରି ଦିଆଯାଇଛି । ଆଲିସ୍ ଲୟଡ଼୍ ଆସିଲାବେଳେ ଯେଉଁଠାରେ ଗୋଟିଏ ହେଲେ ହାଇସ୍କୁଲ ନ ଥିଲା ସେଠି ବର୍ତ୍ତମାନ ୧୫ଟି ଉତ୍ତମ ହାଇସ୍କୁଲ ସୁପରିଚାଳିତ ହେଉଛି ।

 

କାନେ ଜୋର ମୁଣ୍ଡରେ ଗୋଟିଏ ମୁମୂର୍ଷୁ ଚାଟଶାଳୀ ଥିଲା । ବର୍ଣ୍ଣପରିଚୟହିଁ ଥିଲା ସେଠି ଜ୍ଞାନର ଶେଷସୀମା । ସେଇ ସ୍ଥାନରେ ଆଲିଶଙ୍କ ଜୀର୍ଣ୍ଣ ଟାଇପ୍‍ ରାଇଟରଟି ଗୋଟିଏ କଲେଜ ଠିଆ କରେଇଛି । ଯାହା ଦିନେ ଅସମ୍ଭବ ବୋଲି ମନେ ହେଉଥିଲା, ତାହା ଆଜି ବାସ୍ତବ ଓ ପ୍ରତ୍ୟକ୍ଷ ।

Image

 

ଆଦ୍ୟାରମ୍ଭ

 

ଆମେରିକାର ଡେଲାୱାର ସହରରେ କୁମୋ’ ଦୁ’ ପି ନାମକ ଜଣେ ଧନୀ ବ୍ୟବସାୟୀଙ୍କର କେତେବର୍ଷ ତଳେ ମୃତ୍ୟୁହେଲା । ମୃତ୍ୟୁହେଲା ତାଙ୍କର ବ୍ୟକ୍ତିଗତ କାଗଜପତ୍ର ଦେଖୁ ଦେଖୁ ଗୋଟିଏ କୌତୂହଳୋଦ୍ଧ୍ୱୀପକ ବ୍ୟାପାର ଧରାପଡ଼ିଲା ଯେ କେଣ୍ଟକୀ ଷ୍ଟେଟ୍‍ର ଘନ ପାହାଡ଼ିଆ ଅଞ୍ଚଳରେ ଥିବା ଗୋଟିଏ କ୍ଷୁଦ୍ର, ଅଜ୍ଞାତ ଗ୍ରାମ ? ସେଠି କ’ଣ ଘଟୁଛି, ଯାହା ଏହି ଧନପତିର ମୁଦ୍ରାମୁଣାର ମୁହଁ ଖୋଲି ହୋଇଥିଲା ? ମୁଁ (‘ବିଦେଶୀ ରହିଯାଅ’ର ଲେଖକ) ସେହି ପ୍ରଶ୍ନର ଉତ୍ତର ପାଇବାପାଇଁହିଁ ପିପାପାସ୍ ଓ କାନେ ଜୋରରେ ଗୋଷ୍ଠୀ ଯୋଜନା କେନ୍ଦ୍ର ଦେଖିବାକୁ ଯାଇଥିଲି । ସେଠି ଦେଖିଲି ଯେ ଜଣେ ମାତ୍ର ସ୍ତ୍ରୀଲୋକ ଗତ ୩୦ବର୍ଷ ଭିତରେ ଯାହା କରିପାରିଛି, ସେପ୍ରକାର ସେବା ଓ ତ୍ୟାଗ ଏ ଯୁଗରେ ଆଶା କରାଯାଏ ନାହିଁ । କିନ୍ତୁ ତାହା ବାସ୍ତବରେ ଘଟିଛି ।

 

ଆଲିଶ୍ ଲୟଡ଼୍ ବୋଷ୍ଟନ୍ ସହରରେ ଏକ ସୌଦାଗରର କନ୍ୟା ଥିଲେ । କିନ୍ତୁ ବାପା ମରିଯିବା ପରେ ଦେଖାଗଲା ଯେ ସେ ବେଶି କିଛି ଟଙ୍କା ଛାଡ଼ି ଯାଇ ନାହାନ୍ତି; ଫଳରେ ମା ଓ ନିଜକୁ ପୋଷିବାପାଇଁ ସେ ଖବରକାଗଜରେ ଚାକିରି କଲେ । ପରେ ବିବାହ କଲେ ମଧ୍ୟ । କିନ୍ତୁ ମେରୁଦଣ୍ଡରେ ଏକ ଦୁରାରୋଗ୍ୟ ରୋଗ ଧରିବାରୁ ସେ ଏକ ପ୍ରକାର ଅଚଳ ଅବସ୍ଥାକୁ ଆସିଲେ । ପରସ୍ପର ବୁଝାମଣାରେ ସ୍ଵାମୀଠାରୁ ବିଚ୍ଛିନ୍ନ ହୋଇ ସେ ଏପରି ଏକ ଜାଗାକୁ ଯିବାକୁ ଚାହିଁଲେ, ଯେଉଁଠି ସ୍ୱାସ୍ଥ୍ୟ ଭଲ ରହିବ ଏବଂ ପ୍ରାୟ ବିନା ପଇସାରେ ଚଳିହେବ । କେତେକ ପାଦ୍ରି ବନ୍ଧୁ କେଣ୍ଟକୀର ଏଇ ପାହାଡ଼ିଆ ଅଞ୍ଚଳ ତାଙ୍କପାଇଁ ଠିକ୍ କଲେ । ସେଠି କେତେକ ପାଦ୍ରୀ ଗୋଟିଏ ଘର କରିଥିଲେ । ସେଠାର ଅସଭ୍ୟ ଲୋକଙ୍କୁ ଭଲ ବାଟକୁ ଆଣିବାରେ ସମ୍ପୂର୍ଣ୍ଣ ବିଫଳ ହୋଇ ସେମାନେ ସେଇ ଘରଟି ଛାଡ଼ିଦେଇ ପଳାଇ ଆସିଥିଲେ । ପାଦ୍ରୀ ବନ୍ଧୁମାନେ କହିଲେ, ଆଲିଶ୍ ଲୟଡ଼୍ ସେ ଘରଟି ମାଗଣା ପାଇପାରନ୍ତି । ମିସେସ୍‍ ଲୟଡ଼୍ ନିଜ ମା’କୁ ସାଥିରେ ଧରି, ନିଜର ସମସ୍ତ ଗୃହସ୍ଥଳି ଗୋଟିଏ ଘୋଡ଼ାଗାଡ଼ିରେ ଲଦି ଦିନେ କେଣ୍ଟକୀର ପାହାଡ଼ିଆ ଅଞ୍ଚଳକୁ ଚାଲିଲେ ଏବଂ ପିପାପାସ୍‍ର ଅନତିଦୂରରେ ଟ୍ରବଲ୍‍ସମ୍ ଜୋର ନାମକ ପଲ୍ଲୀରେ ଥିବା ସେହି ମିସ୍ ନାରୀ ନିର୍ମିତ ଦଦରା କୁଡ଼ିଆଟିରେ ଜୀବନ କଟେଇବାପାଇଁ ଜିନିଷପତ୍ର ଓହ୍ଲାଇଲେ । ସଭ୍ୟ ଆନନ୍ଦମୟ ବିଳାସୋଚ୍ଛ୍ଵଳ ବୋଷ୍ଟନ ସହରବାସିନୀ ଏହି ଶିକ୍ଷିତା, ଧନୀ-କନ୍ୟା ଏଇ ନିର୍ଜନ, ଅସଭ୍ୟ, ଆଲୋକହୀନ ପାହାଡ଼ିଆ ଅଞ୍ଚଳରେ କିପରି ଜୀବନ କଟେଇବେ ? ଏଣେ ପୁଣି ରୋଗ ଓ ଦାରିଦ୍ର୍ୟ, ଏଇସବୁ ଚିନ୍ତାରେ ସେ ଉଦ୍‍ବିଗ୍ନ ହୋଇ ରହିଥାନ୍ତି ।

 

ଦିନେ ଗୋଟିଏ ପାହାଡ଼ୀ ବାଳିକା ତାଙ୍କୁ ଦେଖିବାକୁ ଆସିଲା । ଯଦିଓ ବୋଷ୍ଟନ ସହରର ମାପକାଠିରେ ମିସେସ୍ ଲୟଡ଼୍‍ଙ୍କର ଲୁଗାପଟା, ଘୋଡ଼ା ଓ ଘୋଡ଼ାଗାଡ଼ି ସବୁ ଥିଲା ଦରିଦ୍ର ଓ ନିମ୍ନ ଶ୍ରେଣୀର, ପାହାଡ଼ୀ ବାଳିକାର ଚକ୍ଷୁ ସେସବୁ ଦେଖି ବିସ୍ମୟରେ ବିସ୍ଫାରିତ ହୋଇଉଠିଲା । ସେ ଆଲିଶ୍ ଲୟଡ଼୍‍ଙ୍କର ଛିଣ୍ଡା ପୁରୁଣା କୋଟଟିକୁ ହାତରେ ପରୀକ୍ଷାକରି ଦେଖୁ ଦେଖୁ ବିସ୍ମିତ ସ୍ଵରରେ ତାଙ୍କୁ ପଚାରିଲା, “ତୁମେ ଜଣେ ରାଜକନ୍ୟା, ନା ?”

 

ପାହାଡ଼ୀ କନ୍ୟାର ଏଇ କଥା ପଦକରେ ମିସେସ୍ ଲୟଡ଼୍‍ଙ୍କର ଜୀବନ ଅନ୍ୟ ଆକାର ଧାରଣ କଲା । ତାଙ୍କ ଛାତିରେ ଏକ ଝରକା ଖୋଲିଗଲା, ଯାହା ଦେଇ ସେ ପ୍ରକୃତ ଜୀବନକୁ ଦେଖିବାକୁ ପାଇଲେ । ତାଙ୍କର ଆତ୍ମକେନ୍ଦ୍ରିକ ସକଳ ଦୁଶ୍ଚିନ୍ତା ହଠାତ ମନରୁ ଖସିପଡ଼ିଲା । ବାସନିଉ କହନ୍ତି-“ମୋର ସାମାନ୍ୟ ବି ଏମାନଙ୍କ ନିକଟରେ ଦୁର୍ଲ୍ଲଭ । ମୁଁ ଲଜ୍ଜିତ ହେଲି ଯେ ମୋ ନିଜ ଦୁଃଖକୁ ମୁଁ ଏତେ ବଡ଼ କରି ଦେଖୁଥିଲି । ମୁଁ ସେଇ ମୁହୂର୍ତ୍ତରେ ମୋର ସମସ୍ତ ଅତୀତକୁ କବର ଦେଲି ଓ ମୋର ଦୁଃଖସବୁ ଭୁଲିଗଲି । ମୁଁ ମୋର ସ୍ରଷ୍ଟାଙ୍କ ସମ୍ମୁଖରେ ପ୍ରଥମ ଥରପାଇଁ ବିନୟ ଅନୁଭବ କଲି । ଭାବିଲି ସେ ମତେ ଯେଉଁ ସଂପଦରେ ବର୍ତ୍ତମାନ ଅଂଶୀଦାର କରିଛନ୍ତି, ତାହାର ମୂଲ୍ୟ କରିହେବ ନାହିଁ ।”

 

ସେ ସେଇଦିନଠାରୁ ସେହି ପାହାଡ଼ିଆ ଅଞ୍ଚଳର ଉନ୍ନୟନପାଇଁ ନିଜର ଜୀବନକୁ ନ୍ୟାସ କରିଦେଲେ । ସେ ବୁଝିଲେ ଯେ ପାଦ୍ରୀମାନେ ସେଠି ଅକୃତକାର୍ଯ୍ୟ ହୋଇ ଫେରି ଯାଇଛନ୍ତି, କାରଣ ସେମାନେ ନିଜକୁ ସ୍ଥାନୀୟ ଲୋକଙ୍କ ସଙ୍ଗେ ମିଶାଇପାରିଲେ ନାହିଁ । ସେମାନେ ‘ବିଦେଶୀ’ ହୋଇହିଁ ରହିଲେ ଏବଂ ତେଣୁ ଏ ଅଞ୍ଚଳର ବାତାୟନହୀନ ଗୃହଗୁଡ଼ିକର ଦ୍ଵାର ସେମାନଙ୍କର ଅଭ୍ୟର୍ଥନା ଲାଗି ମେଲା ହେଲା ନାହିଁ ।

 

କିନ୍ତୁ କିଛିଦିନ ଭିତରେ ପାହାଡ଼ୀ ଲୋକେ ବୁଝିନେଲେ ଯେ ବର୍ତ୍ତମାନ ଯେଉଁ ଦୁଇଟି ବିଦେଶୀ ସ୍ତ୍ରୀ ଆସିଛନ୍ତି, ସେମାନେ ପ୍ରକୃତରେ ଭଲ ଲୋକ । ନିଜପାଇଁ କିଛି ନ ଚାହିଁ, ଲୋକଙ୍କଠାରୁ କିଛି ହେଲେ ଆଶା ନ କରି ସେମାନେ ଏଠା ଲୋକଙ୍କର ମଙ୍ଗଳ କରିବାକୁ ଚାହାଁନ୍ତି-

 

ଏହି ଭାବ କ୍ରମେ ଲୋକଙ୍କ ଭିତରେ ବ୍ୟାପିଲା ଏବଂ ଲୋକଙ୍କ ହୃଦୟ କିଣିନେଲା ପରେ ଯାହା ହୁଏ, ସେଇପରି ବିସ୍ମୟକର ବ୍ୟାପାର କ୍ରମେ ଘଟିବାକୁ ଆରମ୍ଭ କଲା ।

 

ପିପାପାସ୍ ଗାଁର କିଛି ତଳେ କାନେ ଜୋର । ସେଠି ବିଶ୍ ଜନସନ୍ ନାମକ ଚଷାର ଘର-। ଘର କହିଲେ ଗୋଟିଏ ବଖରା ଓ ଘେରା ହୋଇଥିବା ବାରଣ୍ଡାଟି ମାତ୍ର । ତାର ଚଟାଣ ମାଟି, କାନ୍ଥ ମାଟି । ସେଇ ବଖରାଟିରେ ଥାନ୍ତି ବିଶ୍ ଓ ତାର ସ୍ତ୍ରୀ ଏବଂ ତାଙ୍କର ନଅଟି ପିଲା । ପିଲା ଜନ୍ମ କରି କରି ବିଶ୍‍ର ସ୍ତ୍ରୀ ହାଡ଼-ଚମରେ ପରିଣତ ହୋଇଛି । ତାଙ୍କ ଘରର ଏକମାତ୍ର ବାସନ ହେଉଛି ଗୋଟିଏ ଲୁହାର ଡେକ୍‍ଚି, ଯେଉଁଥିରେ ଖାଦ୍ୟ ଶିଦ୍ଧ ହୁଏ ପୁଣି ଲୁଗାପଟା ଧୋଇବାପାଇଁ ସିଝା ହୁଏ ।

 

ଶୀତ ଦିନ । ଚାରିଆଡ଼େ ବରଫ ପଡ଼ିଛି । ଚଷା ବିଶ୍ ଜନସନ୍ ଥରି ଥରି ଏକ ସନ୍ଧ୍ୟାରେ ମିସେସ୍ ଲୟଡ଼୍‍ଙ୍କ କୁଡ଼ିଆକୁ ଆସି ତାଙ୍କ ଆଗରେ ଆଣ୍ଠୁମାଡ଼ି ବସିପଡ଼ିଲା ଓ କହିଲା, “ମୁଁ ଶୁଣିଲି, ଏଠାରେ ବିଦେଶୀ ମହିଳାମାନେ କିଛି ନ ନେଇ ପାହାଡ଼ୀ ଅଞ୍ଚଳର ଦୁଃଖ ଦୂର କରିବାକୁ ଚାହାନ୍ତି । ଆମେ ତ ଘୁଷୁରି ପରି ଜୀବନ କାଟିଲୁ, ଯଦି ଆମ ପିଲାଗୁଡ଼ିଙ୍କୁ ସେମାନେ ମଣିଷ କରିଦିଅନ୍ତେ, ତେବେ ମୋର ତ ଆଉ କିଛି ଦେବାର ନାହିଁ, ମୁଁ ତାଙ୍କୁ ପଚାଶ ଏକର ଜମି ଦିଅନ୍ତି, ଆଉ ରହିବାପାଇଁ ଗୋଟିଏ କୁଡ଼ିଆ ବନେଇ ଦିଅନ୍ତି ।”

 

ମିସେସ୍ ଲୟଡ଼୍ ଚଷା ବିଶ୍‍ର ଏହି ଦାନରେ ଅଭିଭୂତ ହୋଇପଡ଼ିଲେ ଏବଂ ଯଥା ସମୟରେ ବିଶ୍‍ର ନିଜ ହାତରେ ଗଢ଼ା କାନେ ଜୋରର କୁଡ଼ିଆକୁ ଘୁଞ୍ଚିଗଲେ । ସେଇ କୁଡ଼ିଆଟି ଗୋଟିଏ ପାହାଡ଼ର କଟି ଦେଶରେ । ସେଇ କୁଡ଼ିଆରେ ମିସେସ୍ ଲଡ଼୍ ଗତ ୪୦ବର୍ଷ ଧରି ଏକାଦିକ୍ରମେ ରହି ଆସିଛନ୍ତି । ସେ ଆଉ କୌଣସି ଆଡ଼େ ଯାଇ ନାହାନ୍ତି । ତାଙ୍କ କୁଡ଼ିଆଟିର ନାମ “ଈଗଲ-ବସା’ ।

 

ଚଷା ବିଶ୍ ଜନସନ୍ ମିସେସ୍ ଲୟଡ଼୍ । ତାଙ୍କ ମା ବାପା ଯେଉଁ କୁଡ଼ିଆ କରିଥିଲା, ସେଥିରେ ଆଦୌ ଝରକା ନ ଥିଲା ଏମାନେ ସେଠାକୁ ଯିବାମାତ୍ରେ ଝରକା ଖୋଲିବା ଆରମ୍ଭ କଲେ । କାନ୍ଥ ଦେଉଥିବା ଶ୍ରମିକମାନେ ଆଶ୍ଚର୍ଯ୍ୟ ହୋଇ କହିଲେ, “ଝରକା କ’ଣ ହେବ ? ଝରକା ମାନେ ତ ବିପଦ ! ଘର ଲୋକ ନିଶ୍ଚିନ୍ତରେ ବସି ନିଆଁ ପୁଉଁଥିବ ତ ଏଣେ ଖୋଲା ଝରକା ଦେଇ ରାଇଫଲର ଗୁଳି ଯାଇ ସିଧା ତା ମୁଣ୍ଡରେ ପଶିବ ।‘’

 

ଝରକା କିନ୍ତୁ ଖୋଲା ହେଲା ଏବଂ ରାଇଫଲର ଗୁଳି ମଧ୍ୟ ଆସିଲା । ଦିନେ ରାତିରେ ମିସେସ୍ ଲୟଡ଼୍ ଦୀପ ଆଲୁଅରେ ବସି ଟାଇପ୍ କରୁଥିଲେ । ସମଗ୍ର କାନେ ଖୋଲକୁ ପ୍ରତିଧ୍ଵନିତ କରି ରାଇଫଲ ଫୁଟିଉଠିଲା ଏବଂ ତାଙ୍କ ମୁଣ୍ଡ ଉପରେ ଏକ ଝରକାର କାଚ ଭାଙ୍ଗି ଚୂନଚୂନା ହୋଇଗଲା । କେତେ ଖଣ୍ଡ ଭଙ୍ଗାକାଚ ମିସେସ୍ ଲୟଡ଼୍‍ଙ୍କ କୋଳରେ ଆସି ପଡ଼ିଲା । ସେ ସେସବୁକୁ, ଝାଡ଼ିଦେଇ କାମ କରିବାକୁ ଲାଗିଲେ । ଆଉ ଏକ ଗୁଳି ଆସି ବିପରୀତ କାନ୍ଥରେ ଗେଞ୍ଜି ହୋଇଗଲା । ଆଉ ଏକ ଝରକା ଭାଙ୍ଗିଲା । ମିସେସ୍ ଲୟଡ଼୍ ଅନୁଦ୍‍ବିଗ୍ନ ଭାବରେ କାମ କରି ଚାଲିଲେ । ଆଉ ରାଇଫଲ ଶବ୍ଦ ଶୁଣାଗଲା ନାହିଁ ।

 

ତହିଁ ଆରଦିନ ସକାଳେ ଜଣେ ପାହାଡ଼ୀ ଲୋକ ଅଯାଚିତ ଭାବରେ ଆସି ଭଙ୍ଗା ଝରକାରେ କାଚ ଲଗାଇ ଦେଇ ଗଲେ ଏବଂ ଶେଷରେ କ୍ଷମା ଭିକ୍ଷାର ସୂଚନା ଦେଇ କହିଲେ, “ସେ କେବେ ଆପଣଙ୍କୁ ଆଉ ବିରକ୍ତ କରିବେ ନାହିଁ । ମୁଁ ଏଇ ନିକଟରେ ଥାଏ । ଦରକାର ହେଲେ ମତେ ଡକାଇବେ । ମୋର ନାମ ସ୍ଲୋନ୍ ।”

 

କମୋଡ଼ର ସ୍ଲୋନ୍ ପ୍ରକୃତରେ କାନେ ଜୋରର ତତ୍କାଳୀନ ନାମମାତ୍ର ଚାଟଶାଳୀର ଅବଧାନ । ତା ସଙ୍ଗେ ପରିଚୟ ହେବାରୁ ମିସେସ୍ ଲୟଡ଼୍ ତା ଜରିଆରେ ଚାଟଶାଳୀ ଘରେ ସେଠା ଲୋକଙ୍କର ଏକ ସଭାର ଆୟୋଜନ କଲେ । ସ୍ଲୋନ୍‍ର ପ୍ରତିପତ୍ତି ଓ ମିସେସ୍ ଲୟଡ଼ଙ୍କ ସୁନାମ ଯୋଗୁଁ ଏତେ ଲୋକ ସଭାକୁ ଆସିଲେ ଯେ କାନେ ଜୋର୍‍ର କାଠପଟା ତିଆରି ଛୋଟ ଚାଟଶାଳୀ ଘର ଟଳମଳ ହେବାକୁ ଲାଗିଲା ।

 

ମିସେସ୍ ଲୟଡ଼୍ ସେମାନଙ୍କୁ କହିଲେ, ମୋର ମନ ହେଉଛି ଏଠାରେ ଗୋଟିଏ ନୂଆ ସ୍କୁଲ ହେଲେ ଭଲ ହୁଅନ୍ତା ।" ଲୋକେ ହୋ ହୋ କରି ହସିଉଠିଲେ । ମିସେସ୍ ଲୟଡ଼୍ ଦୃଢ଼ ଭାବରେ କହିଲେ, ଏଠି ସ୍କୁଲ ହେବ ।

 

ଜଣେ ଲୋକ ପଚାରିଲା, “ଟଙ୍କା କିଏ ଦେବ ?’’ ମିସେସ୍ ଲୟଡ଼୍ କହିଲେ, "ମୁଁ ଟଙ୍କାର ଯୋଗାଡ଼ କରିଦେବି । କିନ୍ତୁ ସ୍କୁଲ ତିଆରିରେ ମୁଁ ତମ ପ୍ରତ୍ୟେକଙ୍କର ସାହାଯ୍ୟ ଲୋଡ଼ିବି ଏବଂ ତମର ସଦ୍‍ଭାବ ଓ ସହଯୋଗ ମୋର ବେଶି ଲୋଡ଼ା ।” ତା ସଙ୍ଗେ ସଙ୍ଗେ ସେ ତିନୋଟି ପ୍ରତିଜ୍ଞା ସେମାନଙ୍କ ଆଗରେ କଲେ ସେ ସେମାନଙ୍କ ଧର୍ମ ନେଇ କିଛି କହିବେ ନାହିଁ, ସେମାନଙ୍କ ସ୍ଥାନୀୟ ରାଜନୀତିରେ ପଶିବେ ନାହିଁ; ତାଙ୍କ ମଦ୍ୟପାନରେ ହସ୍ତକ୍ଷେପ କରିବେ ନାହିଁ ।

 

ସଭାରେ ଜଣେ କହିଉଠିଲେ,”ତାହେଲେ ତମର ଆମର ବେଶ୍ ବନିବ । ‘’ଆଲିଶ୍ ଲୟଡ଼୍ ତାଙ୍କର ପ୍ରତିଜ୍ଞା ଅକ୍ଷରେ ଅକ୍ଷରେ ପାଳନ କରି ଆସିଛନ୍ତି । ଏ ପର୍ଯ୍ୟନ୍ତ ତାଙ୍କର ଧର୍ମ କଣ ବା ତାଙ୍କର ରାଜନୀତି କଣ, କେହି କହି ପାରିବେ ନହିଁ । ମାନବ ସେବାହିଁ ତାଙ୍କର ଏକମାତ୍ର ଧର୍ମ ଓ ରାଜନୀତି ଏବଂ ପାହାଡ଼ୀ ଲୋକଙ୍କୁ ମଦ୍ୟପାନ ନ କରିବାକୁ ତାଙ୍କୁ ବକ୍ତୃତା ଦେବାକୁ ପଡ଼ି ନାହିଁ-। କାନେ ସ୍କୁଲ ଓ କାନେ କଲେଜର ଶିକ୍ଷା ଫଳରେ ସେ ଅଞ୍ଚଳରେ କଥା କଥାକେ ବନ୍ଧୁକରେ ମରାମରି ଓ ମଦ୍ୟପାନର କୁଅଭ୍ୟାସ ସମାଜ ମନରୁ ଆପେ ଆପେ ଖସି ପଡ଼ିଛି ।

 

ମିସେସ୍ ଲୟଡ଼୍ କି ପ୍ରକାର ସ୍କୁଲ ସେଠାରେ ବସାଇବାକୁ ଗଲେ ? କଣ ଥିଲା ତାଙ୍କର ଲକ୍ଷ୍ୟ ?

 

ସେ ଏପରି ସ୍କୁଲ ଗଢ଼ିବାକୁ ସ୍ଥିର କଲେ, ଯାହା ସେଇ ଅସଭ୍ୟ ପାହାଡ଼ୀ ଅଞ୍ଚଳର ମୂଖ ପରିବର୍ତ୍ତନ କରିଦେବ, ତାକୁ ଅଳ୍ପଦିନ ଭିତରେ ଦେବ ନୂତନ ଜନ୍ମ । ସେ ସ୍କୁଲ ଏପରି ଶିକ୍ଷା ଦେବ ଯେପରି ସେ ଅଞ୍ଚଳର ବୁଦ୍ଧିମାନ ଓ ଶକ୍ତିମାନ ବାଳକ ବାଳିକା ଲୋକଲୋଚନାକୁ ବାହାରି ଆସିବେ-। ପୁଣି ସେଇ ବୁଦ୍ଧିମାନ କେତୋଟିଙ୍କୁ ଏପରି ଭାବରେ ତାଲିମ ଦିଆଯିବ, ଯେପରିକି ଭବିଷ୍ୟତରେ ସେମାନେ ନିଃସ୍ଵାର୍ଥ ଜନସେବକ ଜନସେବିକା ଭାବରେ ଲୋକ ନାୟକ ଲୋକ ନାୟିକା ଭାବରେ ନିଜ ମାଟିକୁ ଫେରି ଆସିବେ ।

 

ନେତା ? ନାୟକ ? ପଥପ୍ରଦର୍ଶକ ? ଏଇ, ଅସଭ୍ୟ ଅନୁନ୍ନତ, ଅନୁର୍ବର ଅଗମ୍ୟ ପାହାଡ଼ୀ ମାଳା ଭିତରେ ? କି କଥା କହୁଛ ?

 

ମିସେସ୍ ଲୟଡ଼୍ କହିଲେ, “ହଁ ସେଇମାନେ ଏଇଠି ଅଛନ୍ତି । ଡାକ୍ତର, ଇଂଜିନିୟର, ପ୍ରିନ୍‍ସିପାଲ, ପାଦ୍ରୀ, ଉଚ୍ଚ ସରକାରୀ କର୍ମଚାରୀ । ସେମାନେ ସମସ୍ତେ ଏଇଠି ଅଛନ୍ତି । ଏଇ ମାଟିରୁ ତାଙ୍କୁ ବାହାର କରିବାକୁ ହବ” ।

 

ରୋଗ ନିରକ୍ଷରତା ଅନ୍ତର୍ବିବାହ ଫଳରେ ପାହାଡ଼ୀ ଅଞ୍ଚଳର ଜନତା କ୍ରମେ କ୍ରମେ ଏପରି ଅଧଃପତିତ ହୋଇ ଆସିଥିଲେ ଯେ, ଅନେକ ଯୋଗ୍ୟ ଲୋକଙ୍କର ଦୃଢ଼ ଧାରଣା ହୋଇ ଯାଇଥିଲା ଯେ ସେଠି ଲୋକଙ୍କୁ ସାମାନ୍ୟ କାରିଗର ପ୍ରଭୃତିର ଉପରକୁ ଉଠାଇବାର ଆଉ ସମ୍ଭବ ନ ଥିଲା । ଲୋକେ ଭାବୁଥିଲେ ଯେ ସେମାନଙ୍କ ମୁଣ୍ଡରେ ମସ୍ତିଷ୍କର ସମସ୍ତ ତେଜ ଲିଭି ଆସିଥିଲା । ସେମାନେ ମାନବ ସମାଜର କେତେକ ଫୋପଡ଼ା ଅଇଁଠା ପତ୍ର ଯେପରି । ତାଙ୍କୁ ଶିକ୍ଷାଦେଇ କୌଣସି ଦେଖାଇପାରିବା ଭଳି ଉନ୍ନତି କେବଳ ଉଦ୍ଭଟ କଳ୍ପନା ବୋଲି ମନେ କରାଯାଉଥିଲା ।

 

କିନ୍ତୁ ସେଇଠାରେ ନେତା, ନାୟକ, ପଥପ୍ରଦର୍ଶକ ଗଢ଼ି ବସିଲେ ମିସେସ୍‍ ଲୟଡ଼୍ । ସଭାରୁ ଫେରି ମିସେସ୍ ଲୟଡ଼୍‍ ତାଙ୍କର କଲେଜବେଳର ଖବରକାଗଜ ସମ୍ପର୍କିତ କେତେକ ସାଙ୍ଗମାନଙ୍କ ନିକଟକୁ ପତ୍ର ଲେଖିଥିଲେ । ସେମାନେ କେହି ଧନୀ ନ ଥିଲେ । ଅଧିକାଂଶ ତାଙ୍କର ନାରୀ ବନ୍ଧୁ ।

 

ଅଳ୍ପ ସମୟ ପରେ ୧୩ମାଇଲ ଦୂରର ନିକଟତମ ରେଲୱେ ଷ୍ଟେସନରେ ଅନେକ ବାକ୍‍ସ ଓ ବଣ୍ଡିଲ ଜମା ହେବାର ଦେଖାଗଲା । ମିସେସ୍ ଲୟଡ଼୍‍ଙ୍କର ଚାଳିଶବନ୍ଧୁ ତାଙ୍କର ଘରମାନଙ୍କରେ ଯାହା କିଛି ଅଦରକାରି ବୋଲି ଜମାକରି ରଖିଥିଲେ, ସେଥିରୁ କିଛି କିଛି ପଠାଇବାକୁ ଆରମ୍ଭ କଲେ । ଲୁଗା, ଯୋତା, ଛୁଞ୍ଚି କଣ୍ଟା ପର୍ଯ୍ୟନ୍ତ ବାଦ୍ ଯାଇନାହିଁ । ୫୦୦୦ ଡଲାରର ଏକ ଚେକ୍ ମଧ୍ୟ ଆସି ପହଞ୍ଚିଲା । କିନ୍ତୁ ଏହି ଦ୍ରବ୍ୟ ଓ ଅର୍ଥଦାନ ଅପେକ୍ଷା ବଡ଼ ଦାନ ହେଲା ଶ୍ରମଦାନ । ପ୍ରସିଦ୍ଧ କଲେଜ ଓ ବିଶ୍ଵବିଦ୍ୟାଳୟର ଗ୍ରାଜୁଏଟ୍ ଓ ନର୍ସମାନେ ବିନା ପଇସାରେ କାନେ ସ୍କୁଲରେ କିଛି କିଛି ସମୟ କାମ କରିବାପାଇଁ ଲେଖି ଜଣାଇଲେ ।

 

ଯେଉଁସବୁ ଜିନିଷ ଆସି ପହଞ୍ଚିଲା, ସେସବୁକୁ ନେଇ ବିନିମୟ ରୀତିରେ ଏକ ଦୋକାନ ଖୋଲିଗଲା । ଏ ଦୋକାନରେ ମୁଦ୍ରାର ବ୍ୟବହାର ହୁଏ ନାହିଁ । ପାହାଡ଼ୀ ଲୋକେ ଅଣ୍ଡା, ମାଂସ, ଶସ୍ୟ ପ୍ରଭୂତି ବଦଳରେ ଏଠୁ ଜିନିଷ ଓ ପୋଷାକପତ୍ର ପାଇଥାନ୍ତି କାନେ ସ୍କୁଲ ଓ କଲେଜର ପିଲାଙ୍କ ଅଧେ ଖାଦ୍ୟ ଏଇଥିରୁ ଉଠିଯାଏ । ସେ ଦୋକାନ ଏପର୍ଯ୍ୟନ୍ତ ଚାଲିଛି । କାନେ-ଗୋଷ୍ଠୀ ଯୋଜନା-କେନ୍ଦ୍ରର ଏହା ଏକ ଦେଖିବାର ଅନୁଷ୍ଠାନ ।

 

ଏଣେ ସ୍ଵେଚ୍ଛାସେବକ ଶିକ୍ଷକମାନଙ୍କୁ ନେଇ କାନେର ନୂଆ ସ୍କୁଲ ଖୋଲା ହେଲା । ପୁରୁଣା ଅବଧାନ କାମୋଡ଼ର ସ୍ଲୋନ୍ ଯାଇ ପିଲାଙ୍କ ମେଣ୍ଟରେ ଛାତ୍ର ହୋଇ ବସିଲା ଏବଂ କହିଲା, “ମୋର ସ୍ଥାନ ବର୍ତ୍ତମାନ ଏଇଠାରେ ।”

Image

 

ନିଜର ସ୍କୁଲ

 

କାନେ ଜୋର ଓ ଆଖପାଖ ଗ୍ରାମମାନଙ୍କର ସହଯୋଗ ଓ ଆଲିଶ୍ ଲୟଡ଼୍‍ଙ୍କ ବନ୍ଧୁ ବାନ୍ଧବମାନଙ୍କ ନିକଟରୁ ଭଲ ଅର୍ଥର ସମନ୍ଵୟରେ କାନେ ଜୋରର ମୁମୂର୍ଷ କାଠପଟାର ଚାଟଶାଳୀ ଉପରେ ଏକ ସୁଦୃଶ୍ୟ ଓ ସୁଦୃଢ଼ ପ୍ରାଇମେରୀ ସ୍କୁଲଗୃହ ଠିଆ କରେଇବାକୁ ବେଶି ଡେରି ହୋଇ ନ ଥିଲା । ଛ’ଟି ବଖରାର ଏକ ଲମ୍ବାଘର, କାନ୍ଥ କେବଳ ଝରକାର ପର୍ଯ୍ୟାୟ କହିଲେ ଚଳେ । କାନ୍ଥବାଡ଼ ଚୂନ ଧଉଳା । ଏ ଘର ସମ୍ପୂର୍ଣ୍ଣ ହେଲା ପରେ ସେ ଅଞ୍ଚଳରେ କୋଶ କୋଶ ଦୂରରୁ ଲୋକେ କାନେ ଜୋରକୁ ଦୌଡ଼ିଲେ ଖାସ୍ ଏଇ ନୂଆ ଧରଣର ଘର ଦେଖିବାକୁ । କାରଣ ଝରକା ବା ଚୂନ-ଧଉଳା ପକ୍‍କାଘର କିପରି ସେ ଅଞ୍ଚଳର ଲୋକଙ୍କର ଅଭିଜ୍ଞତାର ବାହାରେ ଥିଲା ।

 

ସେ ହେଲା ୧୯୧୬ ସାଲର ବ୍ୟାପାର । ତାର ତିନିବର୍ଷ ପରେ ୧୯୧୯ ସାଲରେ ମିସେସ୍ ଲୟଡ଼୍ ଗୋଟିଏ ହାଇସ୍କୁଲ ଆରମ୍ଭ କଲେ । ପଚାଶ ବର୍ଗମାଇଲ ଭିତରେ ସେ ହେଉଛି ପ୍ରଥମ ହାଇସ୍କୁଲ-ସ୍ଥାନୀୟ ଲୋକଙ୍କ ମାନସିକ ସ୍ତରରେ ଏକ ଅକଳ୍ପନୀୟ ବ୍ୟାପାର । ପ୍ରଥମେ ମୋଟ ଛାତ୍ର ସଂଖ୍ୟା ଥିଲା ମାତ୍ର ଦୁଇଟି । ହାଇସ୍କୁଲ ବୋଲି କୌଣସି ସ୍ଵତନ୍ତ୍ର ଘର ମଧ୍ୟ ନ ଥିଲା । ମିସ୍ ଜୁନ୍ ବ୍ୟୁକାନ୍ ନାମ୍ନୀ ମିସେସ୍ ଲୟଡ଼ଙ୍କର ଏକ ସହକାରିଣୀଙ୍କ ଘରେହିଁ ହାଇସ୍କୁଲର ଆରମ୍ଭ । ଏହି ମିସ୍ ଜୁନ୍ ୧୯୧୯ର କ୍ରିସମାସ୍ ଛୁଟି କଟାଇବାପାଇଁ ଉତ୍ତର ଆମେରିକାରୁ ଦକ୍ଷିଣ ଦିଗକୁ ଯାଉଁ ଯାଉଁ ବାଟରେ କୌତୂହଳବଶତଃ କାନେ ଜୋର ଦେଖିବାକୁ ଆସିଥିଲେ । ସେ ସିରାକ୍ୟୁଜ୍ ବିଶ୍ୱବିଦ୍ୟାଳୟର ଗ୍ରାଜୁଏଟ୍ । ସେତେବେଳେ ସେ ବେଲେସ୍‍ଲି କଲେଜରେ ପୋଷ୍ଟ ଗ୍ରାଜୁଏଟ୍ ଅଧ୍ୟୟନ କରୁଥାଆନ୍ତି । ସେ ଆଉ ଦକ୍ଷିଣକୁ ଗଲେ ନାହିଁ । ମିସେସ୍ ଲୟଡ଼ଙ୍କ ସାଥିରେ ତାଙ୍କର ସେବା କାମରେ ସେ କାନେ ଜୋରରେ କ୍ରିସମାସ୍ କଟାଇ ପୁଣି କଲେଜରେ ପାଠ ଶେଷ କରିବାକୁ ଚାଲିଗଲେ । କିନ୍ତୁ କାନେ ଜୋର ପୁଣି ତାଙ୍କୁ ଟାଣିଲା । ସେ ଜୀବନରେ କୌଣସି ଗୋଟିଏ ମହତ୍ କର୍ମ କରିବାର କଳ୍ପନା କରୁଥିଲେ । ମିସେସ୍ ଲୟଡ଼୍ ଓ କାନେ ଜୋରର ପ୍ରାରମ୍ଭିକ ଅନୁଷ୍ଟାନ ଦେଖି, ସେ ସ୍ଥିର କଲେ ଯେ ସେଇ ହେଉଛି ତାଙ୍କ ଜୀବନର ପ୍ରକୃତ କର୍ମକ୍ଷେତ୍ର, ମାନବିକ ସେବାରେ ଜୀବନକୁ କୃତାର୍ଥ କରିବାର ପ୍ରକୃତ ସ୍ଥଳ । ସେ ପାଠ ଶେଷ କରିବା ସଙ୍ଗେ ସଙ୍ଗେ କାନେ ଜୋରକୁ ପୁଣି ଚାଲି ଆସିଲେ । ସେଠି ସେ ଗତ ୩୫ବର୍ଷ ହେଲା ଏକାଧାରରେ କାମ କରି ଆସୁଛନ୍ତି । ପାଠ ପଢ଼େଇବାଠୁ, ବାସନ ମାଜିବା ଓ ଧାଈକାମ କରିବା ଯାଏଁ, ଏପରି କୌଣସି ସମସ୍ୟା କାନେ ଜୋର ଅଞ୍ଚଳରେ ନାହିଁ, ଯେଉଁଠି ମିସ୍ ଜୁନଙ୍କ କଲ୍ୟାଣମୟ ହସ୍ତ ନ ଥିବ । ମିସେସ୍ ଲୟଡ଼୍‍ଙ୍କ ପରକୁ ମିସ୍ ଜୁନ୍ହିଁ ଏବେ କାନେ କେନ୍ଦ୍ରର ସର୍ବମୟକର୍ତ୍ତୀ ।

 

ବହୁ କଷ୍ଟରେ ପ୍ରଥମର ଦୁଇଟି ପିଲା, କ୍ରମେ ପାଞ୍ଚଟି ହେଲେ । ମିସେସ୍‍ ଲୟଡ଼୍ ଓ ମିସ୍ ଜୁନ୍ ହାଇସ୍କୁଲପାଇଁ ଜନସାଧାରଣରୁ କୌଣସି ଉତ୍ସାହ ପାଇଲେ ନାହିଁ । ଲୋକେ କହିବାକୁ ଗଲେ “ଏଇ ବିଦେଶୀ ସ୍ତ୍ରୀମାନେ ଆମ ପିଲାଙ୍କୁ ଲାଟିନ୍ ପ୍ରଭୃତି ବିଦେଶ ଭାଷା ପଢ଼େଇବାକୁ ବସିଛନ୍ତି । ସେଥିରେ ଆମର ବା ଆମ ପିଲାଙ୍କର କି ଲାଭ ହେବ ?” ଲୋକଙ୍କର ସାଧାରଣ ଧାରଣା ଥିଲା ଯେ ଏ ପାହାଡ଼ୀ ଅଞ୍ଚଳର କେହି ପିଲା ଅଷ୍ଟମ ଶ୍ରେଣୀ ଉପରକୁ ଯିବା ଅସମ୍ଭବ ।

 

କିନ୍ତୁ ମିସ୍ ଜୁନ୍ ବା ମିସେସ୍ ଲୟଡ଼୍ ସମସ୍ତ ବାଧା, ସନ୍ଦେହ, ଅବିଶ୍ଵାସ ଓ ନୈରାଶ୍ୟ ସତ୍ତ୍ୱେ କେବେ କୌଣସି ବାପ ମା ବା ଅବିଭାବକଙ୍କୁ ତାଙ୍କ ସ୍କୁଲକୁ ପିଲା ପଠାଇବାପାଇଁ ଅନୁରୋଧ କରି ନ ଥିଲେ । ସେମାନେ ସମସ୍ତ ପ୍ରକାର ପ୍ରୋପାଗାଣ୍ଡା ବା ପରିପ୍ରଚାରର ବିରୋଧୀ-। ସେମାନେ ମୂଳରୁ ଧରି ନେଇଥିଲେ ଯେ, ତାଙ୍କର କାର୍ଯ୍ୟରେ ବାଧ୍ୟବାଧକତା ବା ଟାଉଟରୀ କୌଣସିଟିର ସ୍ଥାନ ନାହିଁ । କାନେ ସ୍କୁଲର ପ୍ରତି ଛାତ୍ର ଓ ଛାତ୍ରୀହିଁ ତାଙ୍କର ହେବେ ଶ୍ରେଷ୍ଠ ପ୍ରଚାରକ । ତାଙ୍କୁ ଦେଖିହିଁ ଲୋକେ ତାଙ୍କ ପିଲାଙ୍କୁ ପଠାଇବାକୁ ବଳେ ଆସିବେ । ସେତେବେଳେ ସ୍କୁଲ ହେବ ଲୋକଙ୍କର ନିଜର । ସେତିକିବେଳେ ଯାଇ ପ୍ରକୃତ ସ୍କୁଲ ଏଠି ଆରମ୍ଭ ହେବ ।

 

ଏହି ପ୍ରକାର ପରୀକ୍ଷା ଓ ତହିଁରେ ଅଭାବନୀୟ ସିଦ୍ଧି ମିଳିବାକୁ ବେଶି ଡେରି ହୋଇ ନ ଥିଲା ।

 

ଯୁକ୍ତରାଷ୍ଟ୍ରର ରାଜଧାନୀ ୱାସିଂଟନ୍ ସହରରେ କେତେକ ଶିକ୍ଷାବିତଙ୍କର ଏକ ସଭା ହେଉଥିଲା । ମିସ୍ ଜୁନ୍ ସେଥିରେ ଯୋଗଦେବାକୁ ଗଲାବେଳେ ତାଙ୍କର ପାଞ୍ଚଟି ହାଇସ୍କୁଲ ଛାତ୍ରଙ୍କୁ ମଧ୍ୟ ସାଥିରେ ନେଇ ଯାଇଥିଲେ, କାରଣ ସେ ଭାବିଥିଲେ ଯେ ସେମାନେ ବାହାର ଜଗତ ଦେଖି କିଛି ଶିକ୍ଷା ପାଇପାରିବେ ।

 

ସଭାରେ ପ୍ରଧାନ ଆଲୋଚ୍ୟ ବିଷୟ ଥିଲା, ଯୁକ୍ତରାଷ୍ଟ୍ରର ପଶ୍ଚିମାଞ୍ଚଳର ଏକ ଷ୍ଟେଟ୍‍ର ଏକ ହାଇସ୍କୁଲର ପିଲାମାନଙ୍କର ଅଶୋଭନୀୟ ଗୁଣ୍ଡାମି ନେଇ । ସେଠି ପିଲେ ସ୍କୁଲର ଝରକାଯାକର କାଚ ଭାଙ୍ଗି ନେଇଛନ୍ତି । କବାଟ ସବୁ ଟାଣି ବାହାର କରି ଦେଇଛନ୍ତି । ବଗିଚାର ଫୁଲଗଛ ସବୁ ମଧ୍ୟ ଉପାଡ଼ି ପକାଇଛନ୍ତି । ଯେତେ ଚେଷ୍ଟା କଲେ ମଧ୍ୟ ଗୁଣ୍ଡାମାନଙ୍କୁ ଛାତ୍ରମାନେ ସଙ୍ଗବଦ୍ଧ ଭାବରେ ଘୋଡ଼ାଇ ରଖିଛନ୍ତି । ହେଡ଼ମାଷ୍ଟର ବର୍ତ୍ତମାନ ଉପଦେଶ ମାଗୁଚନ୍ତି “କ’ଣ କରାଯିବ ?’’

 

କେହି ଉତ୍ତର ଦେବା ପୂର୍ବରୁ ଦେଖାଗଲା ସେ ଜୁନ୍‍ଙ୍କ ପାଞ୍ଚଟି ପାହାଡ଼ୀ ପିଲାଙ୍କ ଭିତରୁ ଜଣେ କହିବାକୁ ଠିଆହେଲା । ସେ ଭୟରେ ପଥର ପାଲଟିବାକୁ ଆରମ୍ଭ କଲେ । ପିଲାଗୁଡ଼ିକୁ ସେ ଦର୍ଶକ ଭାବରେ ଆଣିଥିଲେ, ଆଲୋଚନାରେ ଭାଗ ନେବାକୁ ନୁହେଁ । ପୁଣି ଏପରି ପଣ୍ଡିତ ମଣ୍ଡଳୀରେ ଏଇ ବଣୁଆ ପିଲା କଣ ନାଇଁ କ’ଣ କହିବ ! କି ଲଜ୍ଜାର କଥା !!

 

କିନ୍ତୁ ପିଲାଟି ଧୀରଭାବରେ କହିଲା “ଆପଣମାନେ ଅନୁମତି ଦେଲେ, ମୁଁ ଆପଣମାନଙ୍କୁ କହି ଦିଅନ୍ତି, କଣ କରିବାକୁ ହେବ” । ସଭାପତି କହିଲେ “କହ କହ ।‘’

 

ପିଲାଟି ସେ ଯେଉଁଠି ବସିଥିଲା ସେଠି ଠିଆହୋଇ କହିଲା ନାହିଁ । ସେ ସିଧା ଚାହିଁଲା ପ୍ଲାଟଫର୍ମ ଉପରକୁ ଏବଂ ଉପସ୍ଥିତ ବିଦ୍ଵାନମଣ୍ଡଳୀର ଗଭୀର ନୀରବତାର ସମ୍ମୁଖୀନ ହୋଇ ନିର୍ଭୀକ ଭାବରେ କହିବାକୁ ଲାଗିଲା, “ଲୋକେ ନିଜର ଜିନିଷ ଭାଙ୍ଗନ୍ତି ତମର ପିଲେ ସେ ହାଇସ୍କୁଲକୁ ନିଜର ବୋଲି ମନେକରନ୍ତି ନାହିଁ । ଅନ୍ୟମାନେ ତାକୁ ତିଆରି କରିଥିଲେ ଏବଂ ଅନ୍ୟମାନେ ତାର ଯତ୍ନ ନିଅନ୍ତି ଓ ନେବେ । ଆପଣଙ୍କର ବଡ଼ ପିଲାଗୁଡ଼ିଙ୍କୁ ସେମାନଙ୍କର ନିଜର ସ୍କୁଲକୁ ଯତ୍ନରେ ରଖିବାର ଦାୟିତ୍ଵ ଦେଇଦିଅନ୍ତୁ, ଦୁଆର ଝରକା ଭାଙ୍ଗିଲେ ମରାମତି କରିବାପାଇଁ ଦାୟୀ ରଖନ୍ତୁ, ଦେଖିବେ ଆପଣଙ୍କ ସ୍କୁଲରେ ଆଉ କିଛି ଗୋଳମାଳ ହେବନାହିଁ । ଆପଣମାନଙ୍କୁ ଧନ୍ୟବାଦ ।‘’

 

ସେ ଯେତେବେଳେ ନିଜ ଜାଗାକୁ ଫେରିଆସିଲେ, ସଭାଗୃହ କରତାଳି ଶବ୍ଦରେ ଧ୍ୱନିତ ହୋଇଉଠିଲା । ସଭାପତି କହିଲେ,କେଣ୍ଟକୀର ଏଇ ବଣୁଆ ପିଲା, ଗଣତନ୍ତ୍ରର ପ୍ରଥମ ନୀତି ଆମକୁ ଶିକ୍ଷା ଦେଇଗଲା । ଆମେ ସେଇଟିକୁ ଭୁଲି ଯାଇଥିଲୁ । ସେ ଠିକ୍ କଥା କହିଲା ।

 

ଅନୁନ୍ନତ ପାହାଡ଼ୀ ଅଞ୍ଚଳର ଗୋଟିଏ ପିଲା ସାରା ଦେଶର ରାଜଧାନୀରେ ପଣ୍ଡିତ ଲୋକଙ୍କୁ ଆଗରେ ଠିଆହୋଇ ଦି’ପଦ କଥା କହିଲା; ପୁଣି ସେଥିପାଇଁ ବହୁମାନ ପାଇଲା, ୟାଠୁ ଆଉ ବଡ଼ ସାର୍ଟିଫିକେଟ କ’ଣ ଥାଇପାରେ ? ମିସ୍ ଜୁନ୍‍ଙ୍କ ସ୍କୁଲରେ ଛାତ୍ର ସଂଖ୍ୟା ସାଙ୍ଗେ ସାଙ୍ଗେ ପାଞ୍ଚରୁ ଦଶକୁ ଉଠିଗଲା । କାନେ ହାଇସ୍କୁଲର ପ୍ରକୃତ ଆରମ୍ଭ ହେଲା । କିନ୍ତୁ ତଥାପି ମିସେସ୍ ଲୟଡ଼୍ କାନେ ବା ଅନ୍ୟତ୍ର ପ୍ରାଇମେରୀ ବା ହାଇସ୍କୁଲ ବସେଇବାପାଇଁ କୌଣସି ପ୍ରକାର ପ୍ରଚାର କେବେହେଲେ କରିନାହାନ୍ତି ! ମିସେସ୍ ଲୟଡ଼୍‍ଙ୍କ ମତରେ “ଯଦି କୌଣସିଠାରେ ଲୋକେ ହାଇସ୍କୁଲ ଚାହାଁନ୍ତି, ତେବେ ସେମାନେ ଆମ ପାଖକୁ ଆସି ହାଇସ୍କୁଲପାଇଁ କହିବେ । ସ୍କୁଲ ସବୁ ଲୋକଙ୍କର ନିଜର ହେବା ଉଚିତ ।”

 

ନିକଟବର୍ତ୍ତୀ ମେ’ଟାଉନର ପ୍ରାଇମେରୀ ସ୍କୁଲ କମିଟି ଦିନେ ମିସେସ୍ ଲୟଡ଼୍‍ଙ୍କ ପାଖକୁ ଆସି କହିଲେ “ଆମେ ହାଇସ୍କୁଲଟିଏ ଚାହୁଁ । କିନ୍ତୁ ଏଠାରେ ଶିକ୍ଷକମାନଙ୍କ ପରି ଶିକ୍ଷକ ଆମେ କେମିତି ପାଇବୁ ?’’

 

ମିସେସ୍ ଲୟଡ଼୍‍, କହିଲେ-“ଆଗେ ପ୍ରମାଣକର ଯେ ସେଠାର ଲୋକେ ପ୍ରସ୍ତାବିତ ହାଇସ୍କୁଲ ପଛରେ ଅଛନ୍ତି; ତେବେ ତୁମକୁ ଶିକ୍ଷକ ଯୋଗେଇ ଦେବୁ ।”

 

ସେ ଅଞ୍ଚଳର ଲୋକେ ବର୍ତ୍ତମାନକୁ ବୁଝିଲେଣି ଯେ ଶିକ୍ଷକହିଁ ସ୍କୁଲର ପ୍ରଧାନତମ ଉପାଦାନ । ସବୁ ପରିବର୍ତ୍ତନ ଉନ୍ନତିର ମୂଳ ସେଇଠି ।

 

ମେ’ ଟାଉନରେ ଏକ ସଭା ହେଲା । ଅଧିକାଂଶ ଲୋକ-ଆମ ପିଲାଙ୍କର କ’ଣ ଉପକାର ହେବ ଆମକୁ ଜଣାନାହିଁ ଯେ,ଏଇ ବାହାରର କେତେ ସ୍ତ୍ରୀ ଲୋକ ଆମକୁ ବକ୍ତୃତା ଦେବେ –ଏଇ ଅବିଶ୍ୱାସ ନେଇ ଆସିଥାନ୍ତି । କିନ୍ତୁ ଏ ସଭାର ବକ୍ତା ବିଦେଶୀ ସ୍ତ୍ରୀ ଲୋକ ନ ହୋଇ, ହେଲେ ପ୍ରକୃତରେ କାନେ ହାଇସ୍କୁଲର ସେଇ ପ୍ରଥମ ଦଶଟି ଛାତ୍ର । ମିସେସ୍ ଲୟଡ଼୍ ସେମାନଙ୍କୁ ସ୍ଥାନୀୟ ଜନତାର ନେତାରୂପେ ଗଢ଼ିବାକୁ ସ୍କୁଲ ଆରମ୍ଭ କରିଥିଲେ । ସେମାନେ ସେଇ ଆଦର୍ଶକୁ ପ୍ରତ୍ୟକ୍ଷରେ ପ୍ରମାଣିତ କରିଦେଲେ । ମେ’ ଟାଉନର ଲୋକେ ଆଶ୍ଚର୍ଯ୍ୟ ହୋଇ ଶୁଣିଲେ । ପାହାଡ଼ୀ କିଶୋରଗଣ ଡାକି ଉଠିଲେ “ଜାଗ୍ରତ ହୁଅ ! ଆମେ ଏକ ଯୁଗରେ ବାସ କରୁଛୁ, ଯାହା ଲୋକ ସ୍ମୃତିରୁ ଲୁପ୍ତ ହୋଇ-ଗଲାଣି । ଆମକୁ ନୂତନ ଯୁଗର ମନୁଷ୍ୟ ହେବାକୁ ହେବ ।” ସେ ଟୋକାଏ ନିର୍ଭୀକ ଭାବରେ ଏପରି ବକ୍ତୃତା ଦେଲେ, ଯେପରି ଯେକୌଣସି ପିତାମାତା ତାଙ୍କୁ ନେଇ ଗର୍ବ କରିବ । ଆମେରିକାର ସମଗ୍ର ଇତହାସରେ ବାରଠୁ ଚଉଦ ବର୍ଷର ପିଲେ ଶିକ୍ଷା ବିସ୍ତାରପାଇଁ ଏପରି ପ୍ରଚାରକ ହେବାର ଦୃଷ୍ଟାନ୍ତ ଦେଖା ନ ଥିଲା । ମେ’ ଟାଉନରେ ହାଇସ୍କୁଲ ଆରମ୍ଭ ହୋଇଗଲା ।

 

ତା’ପରେ ଶୀଘ୍ର ପାଳି ପଡ଼ିଲା ୩୬ମାଇଲ ଦୂରବର୍ତ୍ତୀ ବିଭରକ୍ରିଂକ୍ ଗାଁର ।

 

ମିସେସ୍ ଲୟଡ଼୍‍ଙ୍କ ଅନୁରୋଧରେ ଏଡ଼ନା ହିଉଏସ୍ ନାମ୍ନୀ ଆଉ ଏକ ନାରୀ ଗ୍ରେଜୁଏଟ୍ ସେଠାକୁ ସ୍ଵେଛାସେବିକା ଶିକ୍ଷକ ଭାବରେ ଯାଇଥିଲେ । କିନ୍ତୁ ସେ ସ୍ଥାନ ଏପରି ଅପରିସ୍କୃତ, ଅପରିଚ୍ଛନ୍ନ ହୋଇ ରହିଥିଲା ଯେ, ସେଠାରେ ରହିବା ତାଙ୍କ ପକ୍ଷରେ ଅସହ୍ୟ ହେଲା । ସେ କାନେ ସ୍କୁଲକୁ ଖବର ଦେଲେ । ଜୁନ ଓ ତାଙ୍କର ଦଶଟି ଛାତ୍ର ସେଇ ପଥର ଅକାଶ ପଦବ୍ରଜରେ କିଛି ବାଟ ଟ୍ରେନ୍‍ରେ ଗଲେ । ଏଡ଼ନା ହ୍ୟୁଏସ୍ ସ୍ଥାନୀୟ ସ୍କୁଲର ପିଲାଙ୍କୁ ମଧ୍ୟ ଯୋଗାଡ଼ କରିଥାନ୍ତି । କାନେ ପିଲାଙ୍କ ନେତୃତ୍ଵରେ ସେମାନେ ସମଗ୍ର ଛୋଟ ସହରକୁ ସଫା କରିବାରେ ଲାଗିଗଲେ । ପିଲେ ପହଁରା, କୋଡ଼ି, କୋଦାଳ, ଶାବଳ, ଶଗଡ଼ ସବୁ ଯୋଗାଡ଼ କରି ରଖିଲେ । ଯାହା ଦହନୀୟ ଥିଲା, ସେସବୁକୁ ଗଦାକରି ବିରାଟ ଅଇଘରା କରି ଦିଆଗଲା । ବାକି ମଇଳା ବଡ଼ ବଡ଼ ଗାତରେ ପୋତି ଦିଆଗଲା । ଦଳ ଦଳ ପିଲାଙ୍କୁ ସହରର ଭିନ୍ନ ଭିନ୍ନ ଅଂଶର ଭାର ଦିଆଯାଇଥିଲା । ଏ କାମର ପ୍ରତି ଦଳ ଅନ୍ୟ ଦଳ ସହିତ ପ୍ରତିଯୋଗିତା କଲେ, ସବୁଠାରୁ ଭଲ ରେକର୍ଡ଼ ପାଇବାପାଇଁ-

 

ସେ ରାତିରେ ବିଭରକ୍ରିକର ନାନା ପରିବାରରେ କାନେର ପିଲାମାନେ ଅତିଥି ହେଲେ ଏବଂ ସକାଳୁ ପୁଣି ୩୬ମାଇଲ ଦୂରର କାନେ ଜୋରକୁ ଯାତ୍ରା ଆରମ୍ଭ କଲେ । କିନ୍ତୁ ସେମାନେ ବିଭରକ୍ରିକ୍‍କୁ ଛାଡ଼ି ଦେଇଗଲେ, ସେଇ ପାହାଡ଼ୀ ଅଞ୍ଚଳର ପରିଛନ୍ନତମ ସହର ଭାବରେ । ସରକାର, ରେଳବିଭାଗ, ପୋଷ୍ଟ ଅଫିସ୍ ଏବଂ ଲୋକେ ସମସ୍ତେ ବର୍ତ୍ତମାନ ସଚେତନ ହେଲେ । ବିଭରକ୍ରିକ୍ ଆଉ କେବେ ନିଜକୁ ଅପରିଛନ୍ନ ହେବାକୁ ଦେଇ ନାହିଁ ।

 

୧୯୧୯ରେ ଯେଉଁଠି ଗୋଟିଏ ହେଲେ ହାଇସ୍କୁଲ ନ ଥିଲା ଏଇପରି ଭାବରେ ଏବେ ସେ ଅଞ୍ଚଳରେ ପନ୍ଦର ହାଇସ୍କୁଲ ଗଢ଼ିଉଠିଛି । କାନେ ଜୋରର ହାଇସ୍କୁଲ ଏବେ କାନେ କଲେଜରେ ପରିଣତ ହୋଇଛି ଏବଂ ଏହି ଚତୁଃପାର୍ଶ୍ଵରେ ଏଇ ହାଇସ୍କୁଲଗୁଡ଼ିକର ଅଧିକାଂଶ ଶିକ୍ଷକ ଏଇ କାନେ କଲେଜରହିଁ ଛାତ୍ର । ମିସ୍ ଜୁନ୍ ଯେତେବେଳେ ପାଞ୍ଚଟି ପିଲାନେଇ କାନେ ଜୋରରେ ହାଇସ୍କୁଲ ଆରମ୍ଭ କଲେ, ସେତେବେଳେ ସେମାନେ ଡାହାଣ ଓ ବାମ ଗୋଡ଼ର ଫରକ ଜାଣି ନଥିଲେ । ଏବେ ସେଇ ଜାଗାରୁ କାନେ କଲେଜ ୧୧୫ହେଡ଼ ଶିକ୍ଷକ ଓ ଦୁଇଟି ଜିଲ୍ଲା ସ୍କୁଲ ଇନ୍ସପେକଟର ଯୋଗାଇ ସାରିଲାଣି ।

Image

 

କାନେ କଲେଜ

 

ଆଜିକାଲିର ଏଇ ଟେଲିଭିଜନ, ପ୍ରଶସ୍ତ ସମତଳ ରାଜପଥ, ବିରାଟ ବିପଣିସମୂହ ଓ ଅଭ୍ରଂଲିହ ଅଟ୍ଟାଳିକାମାନଙ୍କର ଯୁଗରେ କାନେ କଲେଜକୁ ବର୍ଣ୍ଣନା କରିବା ସହଜ କଥା ନୁହେଁ । କୌଣସି ପବ୍ଲିକ ଯାନ ସେଠିକି ଯାଏନା । ସେ ଅଞ୍ଚଳକୁ ରେଳ ବା ଉଡ଼ାଜାହାଜ ଏପର୍ଯ୍ୟନ୍ତ ପ୍ରବେଶ କରି ନାହିଁ । ସେଠାକୁ ଯିବା ମାନେ ଗୋଟିଏ ବିସ୍ମୃତ ଯୁଗକୁ ଫେରିଯିବା । ପିପାପାସ୍ ଗାଁ, ଯେଉଁଠି କାନେ କଲେଜ ଠିଆ ହେଇଛି, ତାର ମାତ୍ର ଗୋଟିଏ ଦାଣ୍ଡ । ପୁଣି ସେଇ ଦାଣ୍ଡ ଖରାଦିନେ ହୁଏ ଧୂଳିମୟ ଆଉ ଶୀତଦିନେ ହୁଏ କର୍ଦ୍ଦମାକ୍ତ । ଯଦି ସ୍ନାନକୁଣ୍ଡ ବା ଘର ଭିତରେ ରହି ଶୌଚକ୍ରିୟା ତମର ଅଭ୍ୟାସ ଏବଂ ତମେ ଯଦି ତାହା ସେଠି ଆଶା କରୁଥାଅ, ତେବେ ତମେ ଆଉ ଆଗକୁ ଯାଅନି, ସଭ୍ୟତାକୁ ଫେରିଆସ ।

 

କିନ୍ତୁ କବି ବ୍ରାଉନିଙ୍କର ଏକ ବିଖ୍ୟାତ କବିତାର ନାମାନୁସାରେ ନାମିତ ଏହି କ୍ଷୁଦ୍ର ଗ୍ରାମ, ପ୍ରକୃତରେ ସେହି କବିତା ପରି ପ୍ରେରଣା ଆଣିଦେଉଛି । ସେ କବିତାରେ ବାଳିକା ପିପା ଗାଉଛି—

 

ଉପରେ ଅଛନ୍ତି ଈଶ୍ଵର

ମୁଖେ ପଡ଼ିଛି ଧରାତଳ ।

 

ସେଇ ନାମକ ଏଇ ଗାଁରେ ସମଗ୍ର ଧରାରେ ସବୁଠାରୁ ଏକ ଅସାଧାରଣ ଆଦର୍ଶ-ଅନୁପ୍ରାଣିତ କଲେଜ ସ୍ଥାପିତ ହୋଇପାରିଛି । ଯଦି ତମେ ମନୁଷ୍ୟର ଚେଷ୍ଟା ଓ ସାହସକୁ ପ୍ରତ୍ୟକ୍ଷ କରିବାକୁ ଚାହଁ, ତେବେ ପିପାପାସ୍‍କୁ ଚାଲ ।

 

କାନେ ଜୁନିୟର କଲେଜଟି ଆକ୍ଷରିକ ଭାବରେ ମନୁଷ୍ୟର ସ୍ନେହ, ପିଠି-ଭଙ୍ଗା ଶ୍ରମ, ଘୋଡ଼ା ଖେଚରଙ୍କ ସହଯୋଗ ଓ ଆତ୍ମବିଶ୍ୱାସର ମିଳିତ ଶକ୍ତିରେ ଏକ ପାହାଡ଼ୀ ଦେହରୁ ଖୋଳା ହୋଇଛି । ଏହାର ବର୍ତ୍ତମାନ ପ୍ରାୟ ପଚାଶଟି ଘର ଅଛି । ସବୁଗୁଡ଼ିକ ଆକାରରେ ଛୋଟ ଏବଂ ପଟାରେ ତିଆରି । ପାହାଡ଼ୀର ଗଡ଼ାଣିଆ କଟିଦେଶରେ ଦୃଢ଼ ହୋଇ ରହିବାପାଇଁ ସବୁ ଘରଗୁଡ଼ିକରେ କାଠ ଓ ପଥରର ଢିରା ଦିଆହୋଇଛି । ପଛରେ ଯେପରି ତୀଖ ପାହାଡ଼, ପଚାଶ ଗଜ ଆଗରେ ମଧ୍ୟ ସେ ପାହାଡ଼ୀର ପାଚେରି ।

 

ଛାତ୍ରମାନେ ସବୁ କାମ କରନ୍ତି–ରୋଷେଇ ମଧ୍ୟ । କାନେ କଲେଜର ଅଧା ସେମାନେ ତିଆରି କରିଛନ୍ତି; ଆର ଅଧାକ ତିଆରି କରିଛନ୍ତି ତାଙ୍କ ବାପମାନେ । ଏ ସବୁର ଶିଳ୍ପୀ କମୋଡ଼ର ସ୍ଲୋନ ଯେଉଁ ଘରେ ଜନ୍ମ ହୋଇଥିଲେ, ସେଠି ଝରକା ନ ଥିଲା । କିନ୍ତୁ କଲେକ ହେଲାବେଳକୁ ସେ ଏ କାମପାଇଁ ନିଜକୁ ପ୍ରସ୍ତୁତ କରି ସାରିଥିଲା ।

 

କାନେ କଲେଜରେ ବର୍ତ୍ତମାନ କୋଡ଼ିଏଟି ଲେକଚରର୍ । ଆମେରିକାର ପ୍ରସିଦ୍ଧ ଓ ଶ୍ରେଷ୍ଠ ଅନୁଷ୍ଟାନମାନଙ୍କର ଛାତ୍ର ସେମାନେ ଯେଚ୍ଛାତାଇ ସାଉଁଟି ପାଇଲା ଚାକିରି-ଲକ୍ଷ୍ୟ ଶିକ୍ଷକ ସେମାନେ ନୁହନ୍ତି । କଲେଜର ଛାତ୍ର ସଂଖ୍ୟା ବର୍ତ୍ତମାନ ୧୩୫ । ସେମାନେ ସମସ୍ତେ ସେଇ କଲେଜରେହିଁ ରହନ୍ତି । କିନ୍ତୁ ଏଇ ସଂଖ୍ୟାର ବହୁଗୁଣ ତରୁଣ ଓ ତରୁଣୀ ଏଇ କଲେଜରେ ଭର୍ତ୍ତି ହେବା ଲାଗି ନିଜର ଡ଼ାହାଣ ହାତ କାଟିଦେବାପାଇଁ ପ୍ରସ୍ତୁତ ହୁଅନ୍ତେ । କାରଣ ଏ କଲେଜରେ ଭର୍ତ୍ତିହେବାହିଁ ଏକ ସମ୍ମାନ । କେବଳ ସେଇମାନଙ୍କୁ ଛାତ୍ରରୂପେ ନିଆଯାଏ, ଯେଉଁମାନଙ୍କ ଭିତରେ କୌଣସି ନା କୌଣସି କାନେ କଲେଜ ଦିଗରେ ନେତୃତ୍ଵ, ବିଚକ୍ଷଣତାର ସମ୍ଭାବନା ଅଛି । ପଚାଶ ବର୍ଗମାଇଲ ଦେଶରୁ ପିଲାମାନେ ଏଠିକି ଭର୍ତ୍ତି ହେବାକୁ ଆସନ୍ତି ।

 

ଦି‘ବର୍ଷ ଏଠି ପଢ଼ିବାର କଥା । କେବଳ ଲିଖିତ ପରୀକ୍ଷାରେ ପାଶ୍ କରିବାର ପ୍ରଶ୍ନ ଏଠି ନାହିଁ । ଏଇ ଦି’ବର୍ଷରେ ବଛା ହୁଅନ୍ତି କେବଳ ସେଇମାନେ, ଯେଉଁମାନେ ସବୁମନ୍ତେ ଯୋଗ୍ୟତମ-। ପ୍ରାୟ ଏକ ତୃତୀୟାଂଶ ଅକୃତକାର୍ଯ୍ୟ ହୋଇ ଫେରିଯାନ୍ତି । ସେଇମାନେ ଏଇ ପାହାଡ଼ ଅଞ୍ଚଳର ପ୍ରାଇମେରୀ ସ୍କୁଲମାନଙ୍କରେ ସାଧାରଣତଃ ଶିକ୍ଷକ ହୁଅନ୍ତି । ଶତକଡ଼ା ଦଶଟି ଯୋଗ୍ୟତମ ଛାତ୍ର କାନେ-ବୃତ୍ତିପାଇ କେଣ୍ଟକୀ ନିକଟତମ ବିଶ୍ଵ ବିଦ୍ୟାଳୟକୁ ପଠାଯାନ୍ତି । ସେଠି ଏପର୍ଯ୍ୟନ୍ତ କୌଣସି କାନେ ଛାତ୍ର ଫେଲ୍ ହେବାର ଜଣାଯାଇ ନାହିଁ ।

 

ଏଇ କଲେଜଟି କାନେ ଗୋଷ୍ଠୀ ଯୋଜନାର ହୃତ୍‍ପିଣ୍ଡ କହିଲେ ଚଳେ । ଦେଢ଼ଶହ ଛାତ୍ର ଥିବା ପ୍ରାଇମେରୀ ଓ ଶହେ ଛାତ୍ର ଥିବା ହାଇସ୍କୁଲ ମଧ୍ୟ କଲେକ ସହିତ ଆନୁଷ୍ଠାନିକ ଭାବରେ ସମ୍ପୃକ୍ତ । ହାଇସ୍କୁଲର ଅଧା ଛାତ୍ରକୁ ଏଇ ଅନୁଷ୍ଠାନ ମାଗଣାରେ ରହିବା ଓ ଖାଇବା ଯୋଗାଇ ଦିଏ-। ନ ହେଲେ ସେମାନେ ସ୍କୁଲରେ ଯୋଗ ଦେଇପାରନ୍ତି ନାହିଁ ସେମାନେ ଏତେ ଗରିବ ।

 

କଲେଜର ନିଜର ଗୋଟିଏ ଛୋଟ ଥିଏଟର ଅଛି । ଦୁଇ ଲାଲବ୍ରେରୀରେ ପ୍ରାୟ ୩୦ହଜାର ପୁସ୍ତକ ଗଛିତ । ପ୍ରାୟ ସେଇ ସଂଖ୍ୟକ ବହି ଏ ଅଞ୍ଚଳର ଅନ୍ୟ ସ୍କୁଲମାନଙ୍କୁ ବାଣ୍ଟି ଦିଆହୋଇଛି । କଲେଜର ବିଜ୍ଞାନ-ହଲ୍‍ଟି ଉଚ୍ଚ ବୃକ୍ଷରେ ଘେରାହୋଇ ଏକ ପ୍ରାଚୀନ ସମ୍ମାନିତ ମନ୍ଦିର ପରି ଦଣ୍ଡାୟମାନ ।

 

କଲେଜର ଜଣେ ଟ୍ରଷ୍ଟି ସେହି ବିଜ୍ଞାନ-କୋଠାଆଡ଼କୁ ହାତ ବଢ଼ାଇ କହିଲେ “କେଣ୍ଟକୀ ଷ୍ଟେଟ୍‍ର ଶ୍ରେଷ୍ଟ ସାହସିନୀ ନାରୀର ଏଇ ହେଉଛି ଏକ ସୁନ୍ଦର ସ୍ମାରକ ସ୍ତୂପ । ସେ ଯେତେବେଳେ ଏଠିକି ଆସିଲେ ଏଇ ଜାଗାରେ ଗୋଟାଏ ଛୋଟବୁଦାବି ନ ଥିଲା । ପାହାଡ଼ୀ ସବୁ ପଦା ହୋଇ ଯାଇଥିଲା, ମାଟିରୁ ସରୁ ଉର୍ବରତା ଚାଲି ଯାଇଥିଲା । ଏବେ କେବଳ କଲେଜର ସମ୍ପତ୍ତିର ମୂଲ୍ୟ ହେବ ଚାରିଲକ୍ଷ ପଚାଶ ହଜାର ଡଲାର ।

 

ସେ କହି ଚାଲିଲେ “ସେ ଆରମ୍ଭ କଲେ ଦଶଟି ଡଲାର, ଗୋଟିଏ ପୁରୁଣା ଟାଇପ୍‍ରାଇଟର ଓ ଦୁଇଟି ଛୋକରାଙ୍କୁ ନେଇ ଯାହାଙ୍କ ଗୋଡ଼ ଯୋତା କ’ଣ ଜାଣି ନ ଥିଲେ । ପଢ଼େଇବାପାଇଁ ସେ କାହାଠୁ ଦରମା ବା ରହିବା, ଖାଇବାପାଇଁ କୌଣସି ଦାମ୍ ଚାହିଁ ନ ଥିଲେ । ଲୋକେ ସ୍ଵେଚ୍ଛାରେ ଯାହା ଦେଉଥିଲେ ତାହା ବସ୍ତାଏ ଆଳୁ ବା ଏକ ଡଜନ ଅଣ୍ଡାରୁ ବେଶି ମୂଲ୍ୟର ନ ଥିଲା । ପୁଣି ଗତ ଦଶବର୍ଷ ହେଲା ସେ ବିନା କଷ୍ଟରେ ଚାଲିପାରନ୍ତି ନାହିଁ । ତଥାପି ଦେଖ ଏ ସମୃଦ୍ଧି !’’

 

ଏହା କିପରି ସମ୍ଭବ ହେଲା, କି ପ୍ରେରଣା, କି ବିଶ୍ଵାସ, କି ଆଦର୍ଶ ଫଳରେ ଏସବୁ ଅସମ୍ଭବ ଗଢ଼ି ଉଠିଲା, ତାହାର ଦୃଷ୍ଟାନ୍ତ ଭାବରେ ସେ ଏକ ଘଟଣା ବର୍ଣ୍ଣନା କଲେ ।

 

ସେତେବେଳେ ବିଜ୍ଞାନ ଶ୍ରେଣୀ ସବୁ ନିତାନ୍ତ ଆଦିମ ଧରଣରେ ହେଉଥିଲା । ନାହିଁ ଥିଲା ଘର, ନାହିଁ ଥିଲା ଯନ୍ତ୍ରପାତି । କେଣ୍ଟକୀ ବିଶ୍ଵବଦ୍ୟାଳୟ ଜଣାଇ ଦେଲା ଯେ କାନେ କଲେଜକୁ ବିଶ୍ଵବଦ୍ୟାଳୟ ସ୍ଵୀକାର କରିବ, ଯଦି ପ୍ରକୃତ ମାପରେ ଗୋଟିଏ ବିଜ୍ଞାନ ମନ୍ଦିର ଗଢ଼ାହେବ ଏବଂ ସେଥିରେ ଖଞ୍ଜାହେବ ଉନ୍ନତ ଧରଣର ଯନ୍ତ୍ରପାତି । ସମୟ ଦିଆଗଲା ଆଗାମୀ ବସନ୍ତକାଳ ପର୍ଯ୍ୟନ୍ତ ।

 

କାନେର ଛାତ୍ରମାନେ, ପାହାଡ଼ୀ ଖୋଲମାନଙ୍କରେ ଥିବା ତାଙ୍କ ବାପାମାନେ, ଖମାରମାନଙ୍କର ଖଚର, କାମରେ ଲାଗିଗଲେ । ପାହାଡ଼ରୁ ଯୋଗାଇଲେ ପଥର ଓ କାଠ ।

 

କିନ୍ତୁ ଯେତେବେଳେ ବିଶ୍ଵବିଦ୍ୟାଳୟର ପ୍ରତିନିଧିମାନେ ସରଜମିନ ତଦନ୍ତରେ ଆସିଲେ, ସେତେବେଳରୁ ବିଜ୍ଞାନ ମନ୍ଦିରର କାନ୍ଥ, ଦୁଆର, ଝରକାସବୁ ହୋଇ ଯାଇଥିଲେ ମଧ୍ୟ ଛାତ ପଡ଼ିପାରି ନ ଥିଲା । ବାହାରେ ବସନ୍ତ ଆସି ଯାଇଥିଲେ ହେଁ ଏଇ ପାହାଡ଼ ଅଞ୍ଚଳରେ ଶୀତ ଆଉ ଛାଡ଼ି ନ ଥିଲା । ଚାରିଆଡ଼େ ପତଳା ବରଫ ପଡ଼ିଥାଏ । ଶିକ୍ଷାବିତମାନେ କଲେଜ ଘର ଦେଖିବାକୁ ଗଲା ବାଟରେ ବାରମ୍ବାର ତାଙ୍କ ଗୋଡ଼ସବୁ ବରଫରେ ଖସିଲା ।

 

ସେମାନେ ଖାଲି ବିଜ୍ଞାନ ମନ୍ଦିରର ବାରଣ୍ଡାରେ ଠିଆହୋଇ ଚାରିଆଡ଼କୁ ବିସ୍ମିତ ହୋଇ ଅନାଇଲେ । ଉପରେ ଛାତ ନାହିଁ । କିନ୍ତୁ କାଚ ଝରକା ଓ ଦୁଆର ଆରପଟେ ରୀତିମତ କ୍ଲାସ ହେଉଥିବାର ଦେଖାଗଲେ । ସେମାନେ ଭିତରକୁ ପଶିଲେ । ଦେଖିଲେ, ଛାତ୍ର ଓ ଶିକ୍ଷକ ବାହାରର କୌଣସି ଘଟଣା ପ୍ରତି ବା ଖୋଲା ଆକାଶ ଓ ପଡ଼ୁଥିବା ବରଫ ପ୍ରତି ଦୃଷ୍ଟି ନ ଦେଇ ନିଜ କାମରେ ପ୍ରକୃତ ମନୋଯୋଗ ସହିତ ଲାଗିଛନ୍ତି । କେବଳ ମୂଲ୍ୟବାନ ଯନ୍ତ୍ରଗୁଡ଼ିକୁ ରକ୍ଷାକରିବାପାଇଁ ଉପରେ ଭୟ ଆକାରରେ ଗୋଟିଏ କମ୍ବଳ ଘେରାଇ ଦିଆହୋଇଛି । ବାକିସବୁ ମେଲା । ଛାତ୍ର ଓ ଶିକ୍ଷକଙ୍କ କୋର୍ଟ ଉପରେ ଓ ତଳେ କାଠ ପଟାର ମେଜ ଉପରେ ଦୁଇ ଇଞ୍ଚର ବରଫ ।

 

ଶିକ୍ଷାବିତ୍‍ମାନେ ଦେଖିଲେ ଯେ ଯନ୍ତ୍ରଗୁଡ଼ିକ ନୂଆ ଓ ଉନ୍ନତଧରଣର ଏବଂ ଖୁବ୍ ଚତୁରତାର ସହିତ ବିଛା ହୋଇଛି ।

 

ସେମାନେ ଆଶ୍ଚର୍ଯ୍ୟ ହେଲେ । ଖୋଜ୍ ନେବାରୁ ଜଣାପଡ଼ିଲା ଯେ ଡେଟ୍ରୟଟ୍ ସହରର ପ୍ରସିଦ୍ଧ ବୈଜ୍ଞାନିକ କେଟରିଙ୍ଗ୍ କେବଳ ସେ ଯନ୍ତ୍ରଗୁଡ଼ିକ ଯୋଗାଇ ଦେଇଛନ୍ତି ତାହା ନୁହେଁ, ଏଇ କଲେଜର ବିଜ୍ଞାନ-ଶିକ୍ଷାପାଇଁ ସିଲାବସ୍ ମଧ୍ୟ ତିଆର କରି ଦେଇଛନ୍ତି ।

 

ସେ କିମିତି ଏଠାକୁ ଆସିଲେ ?

 

ଉତ୍ତର ଅତି ସରଳ । ଶିକ୍ଷକ କହିଲେ, “ଆମେ ତାଙ୍କୁ ଦରକାର କଲେ । ସେ ଆସିଲେ-। ବୋଧହୁଏ କୌଣସି ବନ୍ଧୁଙ୍କଠାରୁ କାନେ କଲେଜ ବିଷୟରେ ସେ ଶୁଣିଲେ । ଗଭୀର ବିଶ୍ଵାସ ଥିଲେ, ଏସବୁ ଘଟଣା ବୁଝିବା କଠିନ ହୁଏ ନାହିଁ । ଆମେ ଯେତେବେଳେ ଯାହା ଦରକାର କରିଛୁ ତାହା ବରାବର ମିଳିଯାଇଛି ।‘’

 

“କିନ୍ତୁ ତମର ତ ଛାତ ନାହିଁ ଏ ପର୍ଯ୍ୟନ୍ତ !” ଗୋଟିଏ ବଡ଼ ପିଲା ଉତ୍ତର ଦେଲା, ଏଇକ୍ଷଣି ଆକାଶ ଛାତର କାମ କରୁଛି ପ୍ରକୃତ ଛାତ ଠିକ୍ ବେଳରେ ଦିଆଯିବ ।

 

ଶିକ୍ଷାବିତ୍‍ମାନେ ଫେରିଯାଇ “ଈଗଲବସ୍’ରେ ମିସେସ୍ ଲୟଡ଼୍‍ଙ୍କୁ ଭେଟିଲେ । ସେ କାନେର ସାଧାରଣ ଛାତ୍ରୀଙ୍କର ଯାହା ପୋଷାକ, ତାହାହିଁ ପିନ୍ଧିଥାନ୍ତି । ସେଇ ତାଙ୍କର ଦୈନିକ ବେଶ । ଶିକ୍ଷାବିତ୍‍ମାନେ ତାଙ୍କୁ କହିଲେ “ଆମେ, ଯାହା ସହଜରେ ବିଶ୍ୱାସ କରିହେବ ନାହିଁ, ତାହାହିଁ ଦେଖିଲୁ ଓ ଶୁଣିଲୁ ।

 

”ମିସେସ୍ ଲୟଡ଼୍ କହିଲେ “ତୁମେମାନେ ଟିକିଏ ଆଗରୁ ଆସିଥାନ୍ତ କି ! ସୂର୍ଯ୍ୟୋଦୟ ପୂର୍ବରୁ ଦୁଇଶ ପର୍ଯ୍ୟନ୍ତ ବାଳକ ବାଳିକା ନାନା ଜୋର ଓ ପାହାଡ଼ୀ ଡେଇଁ ଇସ୍କୁଲକୁ ଆସିଲେ । ବରଫ କମିଥିବା ସ୍ଥାନମାନଙ୍କରେ ସେମାନଙ୍କୁ ଗୁରୁଣ୍ଡିବାକୁ ହୁଏ । ତାଙ୍କୁ ଇସ୍କୁଲକୁ ଆଣିବାକୁ କୌଣସି ଯାନ ଏଠି ନାହିଁ ।

 

“ଆମେ ତାଙ୍କୁ କୌଣସି ବିଶ୍ଵବିଦ୍ୟାଳୟକୁ ଯିବାରେ ସାହାଯ୍ୟ କରିପାରିବୁ ଏଇ ଆଶାରେ ସେମାନଙ୍କୁ ବିନା ଯୋତାରେ ପଚିଶ ମାଇଲବାଟ ଚାଲିକରି ଆସିବାର ମୁଁ ଦେଖିଛି । ନିରାଶ ହୋଇ ହୁଏତ ପଚିଶ ମାଇଲ ପୁଣି ଚାଲି ଚାଲି ଫେରିଛନ୍ତି । କିନ୍ତୁ ଫେରିଲାବେଳେ ସେମାନଙ୍କ ଗୋଡ଼ରେ ଯୋତା ଯୋଗାଇ ଦିଆଯାଇଛି, ଯେମିତିକି ସେଇ ବିଜ୍ଞାନ ଘରକୁ ଛାତ ଯୋଗେଇ ଦିଆଯିବ ଯଥାସମୟରେ ।

 

ସମସ୍ତେ ନିର୍ବାକ ହୋଇ ଠିଆ ରହିଲେ । ଟ୍ରଷ୍ଟି ଗର୍ବର ସହିତ କହିଲେ, “ବର୍ତ୍ତମାନ ଦକ୍ଷିଣ ଆମେରିକାର ସବୁ କଲେଜରେ ଆମ ପିଲାଙ୍କପାଇଁ ଅବାରିତ ଦ୍ଵାର । ଆମର ଫଟା ପାହୁଲାଟାଏ ମଧ୍ୟ ଗଛିତ ଧନ ନାହିଁ । କିନ୍ତୁ ମୋ ବିଚାରରେ ସମଗ୍ର ଆମେରିକାରେ ଆମ କଲେଜ କୌଣସି କଲେଜଠାରୁ କମ୍ ବିତ୍ତବନ୍ତ ନୁହେଁ । ମୁଁ ଏଇ ସେଇ ଖୋଲରେ ଜନ୍ମ ହୋଇଥିଲି । ମୋ ବାପା ତା ନାଁ ଲେଖି ଜାଣି ନ ଥିଲା । କିନ୍ତୁ ସେ ମତେ କାନେକୁ ପଠାଇ ଥିଲା । ଆଉ, ସେଇ ବିଜ୍ଞାନଗୃହର ଛାତ ତିଆରିରେ ସେ ସାହାଯ୍ୟ କରିଥିଲା ।‘’

Image

 

ଜନ୍ମ ମାଟିରେ ସେବାହିଁ କଲେଜର ଏକମାତ୍ର ଦରମା

 

ଯେଉଁ ଦୁଇଜଣ ପିଲାଙ୍କୁ ନେଇ କାନେ ହାଇସ୍କୁଲ ଆରମ୍ଭ ହୋଇଥିଲା, ସେହି ଦୁଇଟିକି ନେଇ କାନେ କଲେଜ ମଧ୍ୟ ଆରମ୍ଭ କରାହୋଇଥିଲା ୧୯୨୩ରେ । ସେତେବେଳକୁ ଅନେକ ହାଇସ୍କୁଲ ସେ ଅଞ୍ଚଳରେ ଆରମ୍ଭ ହୋଇଗଲାଣି, ପିଲା ପ୍ରାୟ ଶହେଯାଏ ସେସବୁରେ ଭର୍ତ୍ତି ହୋଇ ସାରିଥିଲେ । ଅନ୍ୟ ହାଇସ୍କୁଲ ପରି ପଇସା ଖର୍ଚ୍ଚ କରିବାର ଶକ୍ତି ସେଠି ବିଚାର କରାଯାଏ ନାହିଁ । ଶିଖିପାରିବାର ଶକ୍ତି ଓ ନେତୃତ୍ଵର ସମ୍ଭାବନାହିଁ ସେଠାର ଏକମାତ୍ର ଦରମା । ଏ ନିୟମର ସେଠି ବାଳପ୍ରମାଣ ବ୍ୟତିକ୍ରମ ହୁଏ ନାହିଁ ।

 

ମିସେସ୍ ଲୟଡ଼୍ କହନ୍ତି “ବାହାରର ଲୋକେ ବରାବର ମତେ କହନ୍ତି, ଯେଉଁମାନଙ୍କର ଶକ୍ତି ଅଛି ତାଙ୍କଠୁ ଦରମା ଓ ଅନ୍ୟାନ୍ୟ ଫିସ୍ ନଉନା କାହିଁକି ? କିନ୍ତୁ ଆମେ, ଏଠି କାନେରେ, ଥିଲା ଓ ନ ଥିଲା ଭିତରେ କୌଣସି ଭେଦ ବିଚାର ରଖୁନା । ବାପମାନେ ତାଙ୍କୁ ନିଜ ଇଚ୍ଛାରେ ଶ୍ରଦ୍ଧାରେ କିଛି କିଛି ସାହାଯ୍ୟ କରିପାରନ୍ତି—ଏବଂ ସେମାନେ ପ୍ରାୟଇ କରିଥାନ୍ତି; କିନ୍ତୁ ସେଥିପାଇଁ କୌଣସି ବାଧ୍ୟବାଧକତା ନାହିଁ । ଯେଉଁ ଗରିବ ପୁଅ ବା ଝିଅର ବାପ ଖାଲି ବସ୍ତାଏ ଆଳୁ ଦେଇପାରିଲା, ଏବଂ ଯାହାର ବାପ ତା’ର ପ୍ରାଚୁର୍ଯ୍ୟରୁ କିଛି ଆମକୁ ସାହାଯ୍ୟ ଦେଲା, ସେମାନେ ଉଭୟେ ଆମ ଆଖିରେ ସମାନ । ଯେ ଯାହା ଦିଏ, ବେଶି ବା କମ ହେଉ, ତାହା ଆମେ ଆଉ ଦାତାହିଁ ଜାଣୁ । ନ ଥିଲା ଲୋକଙ୍କ ମନରେ ଆଘାତ ହୋଇପାରେ ବୋଲି ସେସବୁ ପ୍ରକାଶ କରାଯାଏ ନାହିଁ । ଗରିବର ଦାନ ନେଇ କାନେ କଲେଜରେ ଅନେକ ସୁନ୍ଦର ଘଟଣା ଘଟିଯାଇଛି । ନିମ୍ନରେ ଗୋଟିଏ ଦିଆଗଲା ।

 

ମୋନାଲିସା ନାମରେ ଗୋଟିଏ ବାଳିକା ଦିନେ କଲେଜର କିରାଣୀ ପାଖରୁ ଗୋଟିଏ କୁକ୍‍କୁଟୀ ନେଇ ପହଞ୍ଚିଲା । ସେ କହିଲା,“ମୁଁ ବର୍ତ୍ତମାନ କଲେଜରେ ଭର୍ତ୍ତି ହେବି । ମୋର ପଇସା ଦେବାର ଶକ୍ତି ନାହିଁ । ମୋର ଶ୍ରଦ୍ଧାର ଦାନରୂପେ ମୁଁ କଲେଜକୁ ଏଇ କୁକ୍‍କୁଟୀଟି ଦେଉଛି । ଖାଇବାପାଇଁ ଏ ଅବଶ୍ୟ ବୁଢ଼ା ହୋଇଗଲାଣି । କିନ୍ତୁ ଇଏ ଚମତ୍କାର ଅଣ୍ଡା ଦିଏ ।

 

କିରାଣୀ ମନାଲିସାର ଦାନ ଗ୍ରହଣ କଲେ । ଠିକ୍ ତା ପୂର୍ବର ଦାନ ଥିଲା କେତୋଟି ବୋତଲ ଆଚାର । ସେ ବହିରେ ଲେଖିଦେଲେ “ଫିସ୍ ବାବଦରେ, ମନାଲିସାଠାରୁ ଗୋଟିଏ ଉତ୍ତମ ଅଣ୍ଡାଦିଆଳୀ କୁକ୍‍କୁଟୀ ?’’

 

କିନ୍ତୁ ସେତକ ଲେଖିସାରି କିରାଣୀ ମୁହଁ ଉଠାଇ ଅନାଇଲାବେଳକୁ ଦେଖିଲେ ଯେ ମନାଲିସାର ଆଖିରୁ ଳୁହର ମୁକ୍ତା ଝରିପଡ଼ୁଛି । ମନାଲିସା କୁକ୍‍କୁଟୀଟିକୁ ଟେବୁଲ୍‍ରୁ ଉଠାଇ ନେଇ ତାର ବକ୍ଷରେ ଆଦରରେ ଜାକି ଧରିଲା ଏବଂ ଶୋକ ଗଦ୍‍ଗଦ୍ ସ୍ଵରରେ କହିଲା, “ସେ ମୋର ଅତି ଆଦରର ସମ୍ପଦ । ଛୋଟ ଚିଆଁ ଥିଲାବେଳେ ଯେତେବେଳେ ତାର ଗୋଟେ ଗୋଡ଼ ଭାଙ୍ଗିଗଲା, ବାପା ମତେ ତାକୁ ପାଳିବାକୁ ଦେଇଥିଲେ । ମୁଁ ସେଇଦିନରୁ ତାକୁ ନିଜର କରି ବଢ଼େଇ ଥିଲି ।‘’ ଏତେକ କହି ମନା କ୍ଷିପ୍ରଗତିରେ ଘରୁ ବାହାରିଗଲା ।

 

କିରାଣୀ ତାଙ୍କ ଖାତାକୁ ପୁଣି ଫେରିଲେ ଏବଂ କିଛିକ୍ଷଣ- ପୂର୍ବେ ଯାହା ଲେଖିଥିଲେ ତାକୁ ସଂଶୋଧନ କରି ପୁଣି ଏଇପରି ଲେଖିଲେ -ମନାଲିସାଠାରୁ ଫିସ୍ ବାବଦରେ ଗୋଟିଏ କୁକ୍‍କୁଟୀ, ଯାହା ଅମୂଲ୍ୟ ।‘’

 

ଅନେକେ ଆଲିଶ୍ ଲୟଡ଼୍‍ଙ୍କୁ ପଚାରନ୍ତି ତମେ ସରକାରୀ ସାହାଯ୍ୟ ବା ନଉନା କାହିଁକି ” ସେ ବହ୍ନିମୟ ଉତ୍ତର ଦିଅନ୍ତି “ଏଇ ମହାନ୍ ଦେଶରେ ଆମେ କଣ ସବୁ କଥାରେ ଚାହିଁବା, ସରକାର ଆମର ସବୁ ଦାୟିତ୍ଵ ନିଅନ୍ତୁ ? ଆମେ ଏକା ଏକା କିଛି ଦାୟିତ୍ଵ ବହନ କରିପାରିବା ନାହିଁ-

 

ସରକାରୀ ସାହାଯ୍ୟ ନ ନେବାର ଆଉ ଏକ କାରଣ ମଧ୍ୟ ଅଛି । କାନେ କଲେଜ ଯେପରି ଭାବରେ ପରିଚାଳିତ ହେଉଛି, ଜଗତରେ ସେପରି ଆଉ ଗୋଟିଏ ଅଛି କି ନାହିଁ ସନ୍ଦେହ-। ପରିଚାଳନାରେ ସ୍ଵାଧୀନତା କାନେରୁ ଆଦର୍ଶକୁ ସମ୍ଭବ କରିପାରିଛି ।

 

କାନେ ଅଞ୍ଚଳ ବଡ଼ ଗରିବ । ତେଣୁ ଆଲିଶ ଲୟଡ଼୍ ସେ ଅଞ୍ଚଳର ଦରିଦ୍ର ନିବାସୀମାନଙ୍କର ଛୋଟ ହୀନ କୁଟୀରଆଡ଼କୁ ଦୃପ୍ତ ଦୃଷ୍ଟି ପକାଇ ବିରାଟ କୋଠା ଠିଆ କରାଇବାକୁ କେବେହେଲେ ଚାହିଁ ନାହାନ୍ତି । ସେ ଅଞ୍ଚଳର ଲୋକେ କଲେଜକୁ ନିଜର କରିନେଇଛନ୍ତି ଏଇ କାରଣରୁ ଯେ, ସେ ଏପରି କିଛି ନାହିଁ ଯାହା ସେଠାର ଦରିଦ୍ରଲୋକଙ୍କର ବୋଧଶକ୍ତିର ବାହାରେ । କଲେଜ କମ୍ପାଉଣ୍ଡ ଭିତରେ ଯେଉଁ ଛୋଟ ଛୋଟ ନିରାଡ଼ମ୍ବର ଘରସବୁ ଠିଆ କରାହୋଇଛି, ଯେଉଁଠି ବର୍ତ୍ତମାନ ସୁଦ୍ଧା ବିଜୁଳି ଆଲୁଅ ଛଡ଼ା ଆଉ କୌଣସି ହେଲେ ଆଧୁନିକ ବିଳାସ ନାହିଁ, ସେସବୁ କଲେଜ ଛାତ୍ରଛାତ୍ରୀଙ୍କର ବାପମାନଙ୍କର ଅଭିଳାଷର ସୀମା ଭିତରେ ! ଇଛାକଲେ ସେମାନେ ମଧ୍ୟ ସେଇପରି ଘରସବୁ ବନେଇପାରିବେ ଏବଂ ବନାଇଛନ୍ତି ମଧ୍ୟ । କିନ୍ତୁ ପାଠ, ପଢ଼ାପଢ଼ି, ବିଦ୍ୟାଚର୍ଚ୍ଚା, ଆଲୋଚନା ପ୍ରଭୃତିରେ କାନେ କଲେଜ ସମଗ୍ର ଆମେରିକାର ଯେକୌଣସି ସମାନ୍ତରାଳ ଅନୁଷ୍ଠାନ ସଙ୍ଗେ କାନ୍ଧକୁ କାନ୍ଧ ପକାଇ ଠିଆ ହେବାର ଗର୍ବ ପୋଷଣ କରେ । ତାହା ଅଭିମାନୀ ପାହାଡ଼ିଆ ଲୋକଙ୍କୁ ଅତ୍ୟନ୍ତ ଆହ୍ଲାଦ ଓ ସୁସ୍ଥ ଅହଙ୍କାର ଆଣିଦିଏ । କିନ୍ତୁ ଆଉ ସବୁଥିରେ, କାନେ କଲେଜ ଦରିଦ୍ର ଅନୁନ୍ନତ ପାହାଡ଼ୀ ଲୋକର ଅଭିଜ୍ଞତାର ଭିତରେ । କଲେଜ ହଷ୍ଟେଲମାନଙ୍କରେ ପିଲେ ନିତ୍ୟ ଠିକ୍ ସେଇ ଖାଦ୍ୟ ଖାଆନ୍ତି, ଯାହାକି ସେ ଅଞ୍ଚଳର କୁଟୀରମାନଙ୍କରେ ଅତି ପରିଚିତ । ଘରେ ବାପା, ମା ବା ଅତିଥିମାନେ ମଧ୍ୟ ସେପରି ଆନନ୍ଦରେ, ଆଗ୍ରହରେ ନାନା ଶ୍ରମ କରିଥାନ୍ତି, କଲେଜରେ ପିଲେ ସେଇପରି କାଠ କାଟିବା ଓ ରାନ୍ଧିବା ପ୍ରଭୃତି ଆନନ୍ଦରେ କରିଥାନ୍ତି ।

 

କିନ୍ତୁ କାନେ କଲେଜର ସ୍ଥାନୀୟ ଲୋକପ୍ରିୟତାର ପ୍ରଧାନତମ କାରଣ ଆଉ ଏକ ଅଛି । କଲେଜରେ ଭର୍ତ୍ତି ହେଲା ମାତ୍ରେ କାନେ କଲେଜର ପ୍ରତି ବାଳକ ଓ ବାଳିକା ଆଲିଶ୍ ଲୟଡ଼୍‍ଙ୍କ ନିକଟରେ ଏକ ଅଲିଖିତ ପ୍ରତିଜ୍ଞାରେ ଏପରି ଭାବରେ ଏକ ଫିସ୍ ଦିଅନ୍ତି, ଯାହାକି ପୃଥିବୀରେ କୌଣସି ଦେଶରେ କୌଣସି ଅନୁଷ୍ଠାନରେ ଆଦାୟ ହୁଏ ନାହିଁ । ତାହା ହେଉଛି ଏହି ଯେ କାନେର ପ୍ରତି ଛାତ୍ର ଓ ଛାତ୍ରୀ ଶିକ୍ଷା ସମାପନାନ୍ତେ ଫେରିଆସିବେ ସେଇ ଅନୁନ୍ନତ ପାହାଡ଼ୀ ଅଞ୍ଚଳକୁ—ସେଠି ସୁସ୍ଥ, ଶକ୍ତିମନ୍ତ, ଅକଳୁଷ, ନାଗରିକ ଜୀବନଯାପନ କରିବାକୁ । ଅନ୍ୟ କଥାରେ କାନେର ଛାତ୍ର ଓ ଛାତ୍ରୀ ନିଜର ଲୋକଙ୍କର, ନିଜ ଜନ୍ମମାଟିର ସମୃଦ୍ଧିପାଇଁ ସମଗ୍ର ଜୀବନକୁ ଏକ ପ୍ରକାର ନ୍ୟସ୍ତ କରିବେ ।

 

ଏଇ ପ୍ରତିଜ୍ଞା କ’ଣ ପ୍ରକୃତରେ ରକ୍ଷିତ ହେଉଛି ? ଆଲିଶ୍ ଲୟଡ଼୍ ଉତ୍ତର ଦେଇଥିଲେ, “ସପ୍ତାହକ ପୁର୍ବେ ମୁଁ କହିଥାନ୍ତି ସବୁ କ୍ଷେତ୍ରରେ ନୁହେଁ । ଜଣେ ଯୁବକକୁ ଆମେ ହରାଇ ଥିଲୁ ବୋଲି ମନେହେଲା । କଲେଜ ଛାଡ଼ିଲା ପରେ ସାତବର୍ଷ ଯାଏଁ ତାଠାରୁ କୌଣସି ଖବର ଆମେ ପାଇ ନ ଥିଲୁ । ତେଣୁ ମୋ ଅଫିସ୍ କାନ୍ଥରୁ ତାର ଫଟୋ ଉଠାଇନେଲି । ଏପରି ଫଟୋ କାଢ଼ିନେବା ଏହି ହେଲା ପ୍ରଥମ ଅଭିଜ୍ଞତା ! କିନ୍ତୁ ଠିକ୍ ତା ପରଦିନ ସେ ଘରେ ପଶି ମତେ ଦେଖାକଲା । ଏସିଆର କୌଣସି ଦେଶକୁ ଗୋଟିଏ ମିଲଟାରୀ ମିସନରେ ସେ ଯାଇଥିଲା । ସେ ଫେରି ଆସିଛି, ବର୍ତ୍ତମାନ ତା ମାଟିରେ ରହିବ ବୋଲି ।‘’

 

କାନେରେ କିଛିକାଳ ରହିଲେ ଯାଇ ବୁଝାପଡ଼େ କାନେ ପ୍ରତି ଛାତ୍ର ଛାତ୍ରୀଙ୍କର ଆକର୍ଷଣ କାହିଁକି ଏତେ ବେଶି । ମାତ୍ର ଛଅବର୍ଷ ବୟସ ବେଳୁ ପ୍ରାଇମେରୀ ସ୍କୁଲରେହିଁ କରନ୍ତି ସେମାନଙ୍କର ସେବାମନୋବୃତ୍ତିରେ ତାଲିମ ଆରମ୍ଭ ହୋଇଯାଏ । ହାଇସ୍କୁଲ ଓ ଦୁଇବର୍ଷର କଲେଜ ଜୀବନ ଦେଇ ତାହା କ୍ରମେ ପ୍ରସାରିତ ଦୃଢ଼ୀଭୂତ ହୁଏ । କାନେର ଶିକ୍ଷକମାନେ ମଧ୍ୟ ଏଇ ସେବାଭାବରେ ଅନୁପ୍ରାଣିତ । ଛାତ୍ର ଛାତ୍ରୀଙ୍କର ସହିତ ସେମାନେ ମଧ୍ୟ ସରଳ, ନିରାଡ଼ମ୍ବର, ଶ୍ରମକୁଶଳ ଜୀବନ ଯାପନ କରନ୍ତି । ବାହାର ଲୋକଙ୍କ ଆଖିରେ କାନେ କଲେଜ ନିପଟ ମଫସଲ, ଅସହ୍ୟ, ଆଦିମ ବୋଧ ହୋଇପାରେ, କିନ୍ତୁ ତାହାର ଛାତ୍ର ଛାତ୍ରୀଙ୍କ ପକ୍ଷରେ ସେ କଲେଜରେ ସ୍ଥାନ ପାଇବାହିଁ ବହୁ ଶତାବ୍ଦୀ ଆଗକୁ ଯିବା ।

 

ଗୋଟିଏ ଛାତ୍ର, ଯେ କି ସେତେବେଳେ କାନେ କଲେଜରୁ ବାହାରି କେଣ୍ଟକୀ ବିଶ୍ଵବିଦ୍ୟାଳୟରେ ଭର୍ତ୍ତି ହୋଇ ଡାକ୍ତର ହେବାକୁ ଯାଉଥିଲା, ମୁଁ ତାକୁ ପଚାରିଲି ସେ କାହିଁକି ଆଉ ଫେରିବାର ଆଶା ରଖିଛି ? ପିଲାଟା ମତେ ବିସ୍ମିତ ଭାବରେ ଅନାଇଲା । ସେ ଯେ ଆଲିସ୍ ଲୟଡ଼୍‍ଙ୍କୁ ଦୁଇବର୍ଷ ତଳେ କଲେଜରେ ଭର୍ତ୍ତି ହେବା ଦିନ କଥା ଦେଇଦେଇଛି ! ସେଥିରେ ଆଉ ଭାବିବାର, ବିଚାରିବାର କିଛି ଅଛି ନା ! ସେ ନିଶ୍ଚେ ଫେରିବ । ଅନ୍ୟ ପନ୍ଥାର ପ୍ରଶ୍ନ ନାହିଁ ।

 

କାନେର ଯେକୌଣସି ଛାତ୍ରୀକୁ ତାର ଲକ୍ଷ୍ୟ ପଚାର, ସଙ୍ଗେ ସଙ୍ଗେ ଉତ୍ତର ମିଳିବ ଶିକ୍ଷକତା” । ତାହା ପୁଣି ଯେକୌଣସିଠାରେ ଯେକୌଣସି ପିଲାଙ୍କର ନୁହେଁ, ସେହି ନିଜର ଅନୁନ୍ନତ ପାହାଡ଼ୀ ପିଲାଙ୍କର । ସେମାନେ କେବଳ ଛୋଟ ଶିଶୁଙ୍କୁ ସାକ୍ଷର ବା ଶିକ୍ଷିତ ବନେଇବାର ସ୍ୱପ୍ନ ଦେଖନ୍ତି ନାହିଁ, ସେମାନଙ୍କର ପ୍ରକୃତ ସ୍ୱପ୍ନ ହେଉଛି ଯେ ସେ ଅଞ୍ଚଳର ବାଳକ ବାଳିକା, ପ୍ରୌଢ଼ ପ୍ରୌଢ଼ା, ସମସ୍ତଙ୍କୁ ଶିକ୍ଷିତ କରେଇବାପାଇଁ, ସମସ୍ତଙ୍କୁ ଉପରକୁ ଉଠେଇବାପାଇଁ ଏବଂ ଏଇ ସ୍ୱପ୍ନ ବିସ୍ମୟ ଜନକ ଭାବରେ ଅକ୍ଷରେ ଅକ୍ଷରେ ଫଳବନ୍ତ ହୋଇ ଆସୁଛି । କାନେର ପ୍ରଥମ ଗ୍ରାଜୁଏଟ୍‍ଠାରୁ ଏ ଯାଏଁ ଯେଉଁ ରେକର୍ଡ଼ ଅଛି ତାହା ମୁଁ ଦେଖିଚି । ଶତକରା ଯେଉଁ ଦଶଜଣ କାନେ-ବୃତ୍ତି ପାଇଥାନ୍ତି ସେମାନେ ତ ବିଶ୍ଵବିଦ୍ୟାଳୟକୁ ଯାଆନ୍ତି । ବାକିତକ କାନେ ଛାଡ଼ିଲା ପରେ ୪/୫ବର୍ଷ କୌଣସି କାମକରି ଦରକାର ମୁତାବକ ଟଙ୍କା ବଞ୍ଚାଇ ଚାଲନ୍ତି ବିଶ୍ଵବିଦ୍ୟାଳକୁ ଏବଂ ସମସ୍ତେ ପୁଣି ଫେରିଆସନ୍ତି ନିଜ ମାଟିକୁ ।

Image

 

କାନେ କଲେଜର ଦୈନନ୍ଦିନ ଜୀବନ

 

ଏଇ କାନେ କଲେକ-କେନ୍ଦ୍ରରେ ସେବାନୁପ୍ରାଣିତ ନାଗରିକ ନେତାସବୁ କିପରି ସଂଜ୍ଞ ଭାବରେ ସୃଷ୍ଟି କରା ହେଉଛନ୍ତି, ତାହା ସମସ୍ତଙ୍କର ଜାଣିବାର କଥା ।

 

ଆଲିଶ୍ ଲୟଡ଼୍ କହନ୍ତି-“ପିଲାଙ୍କୁ ମୂଳରୁ ଏକ ଲକ୍ଷ୍ୟ ବା ଆଦର୍ଶ ଧରାଇ ଦିଅ ଏବଂ ପିଲାଟି ଦିନରୁ ତାଙ୍କୁ ସବୁ କାମରେ ନେତୃତ୍ଵ ନେବାକୁ ଦିଅ । ଏଠି ଆମର ଲକ୍ଷ୍ୟ ପରିଷ୍କାର ନିଃସନ୍ଦେହ । ତାହା ହେଉଛି, ଆମର ଏଇ ଆପାଲେସିୟ ପାର୍ବତ୍ୟାଞ୍ଚଳରେ ଜୀବନକୁ ଅଧିକ ସମୃଦ୍ଧ କରିବା ଏବଂ ନିଜର ଜନ୍ମମାଟିରେ ସେବା ଦେଇ ସମଗ୍ର ଦେଶ ଓ ମାନବ ଜାତିର ସେବା କରିବା । ସବୁଠାରୁ ଛୋଟପିଲା ବି ଏଇ ଲକ୍ଷ ଅବଧାରଣ କରିପାରିବ ।

 

ଦିନେ ସନ୍ଧ୍ୟାରେ ମୁଁ କାନେ ଛାତ୍ରମାନଙ୍କର ଏକ ସଭାରେ ଯୋଗ ଦେଇଥିଲି । ସେଠି କଲେଜର ବଡ଼ ପିଲାଏ ଛୋଟ ନୂଆ ପିଲାଙ୍କୁ କାନେ ଅନୁଷ୍ଠାନର ଏଇ ଲକ୍ଷବାଦ ନେଇ ବୁଝାଉଥିଲେ । ଶିକ୍ଷକମାନେ ନୀରବରେ ଏପାଖ ସେପାଖେ ବସିଥାନ୍ତି । ଏଠାର ଅନ୍ୟସବୁ କାମ ପରି ଏଇ ସଭା ବି ଛାତ୍ରମାନଙ୍କର କୃତିତ୍ଵର ଏକ ପ୍ରଦର୍ଶନ ମନେହେଲା । ଏଠି ଶିକ୍ଷକର ସ୍ଥାନ କେବଳ ପଥପ୍ରଦର୍ଶକ ଭାବରେ ।

 

ଜଣକ ପରେ ଜଣେ ପାହାଡ଼ୀ ଯୁଆନ ପ୍ଲାଟଫର୍ମରେ ଠିଆହୋଇ କହିବାକୁ ଆରମ୍ଭ କଲେ । ସେମାନଙ୍କର ବକ୍ତୃତା ଶୁଣିଲାବେଳେ ମୋର ମନେହେଲା, ମୁଁ ଏକ ପ୍ରାଚୀନ କାଳକୁ ଯାଇଛି । ଏଇ କୃତ୍ରିମତାପୂର୍ଣ୍ଣ ଆଧୁନିକ ଯୁଗରେ ନାହିଁ । ସେମାନଙ୍କ ବାଣୀରେ ‘ବିବେକ, କର୍ତ୍ତବ୍ୟ', ‘ସାହସ', ‘ଆଦର୍ଶପାଇଁ ଜୀବନକୁ ନ୍ୟାସ, ଲିନକନ, କଲମ୍ବସ, ଜୋନ ଅଫ ଆର୍କ, ବୁକର ୱାସିଙ୍ଗଟନ ପ୍ରଭୂତି ବାରମ୍ବାର ଉଚ୍ଚାରିତ ହେଉଥିଲେ । ଜଣେ ଛାତ୍ର କହିଲା, “ବୁକର ୱାସିଙ୍ଗଟନଙ୍କ ଜୀବନ ପରି ମନ୍ଦତର ଆରମ୍ଭ ଓ ଉତ୍ତମତର ସମାପ୍ତି ଆମେ କଳ୍ପନା କରିପାରୁ ନାହିଁ । ସେ ଜଗତକୁ ଯେଉଁ ଦାନ ଦେଇ ଯାଇଛନ୍ତି, ସେ ତାହା ଦେଇଛନ୍ତି ତାଙ୍କ ନିଜ ଲୋକଙ୍କ ସେବା ଭିତର ଦେଇ ।‘’

 

କୋରିଆ ଯୁଦ୍ଧରୁ ଜଣେ ଯୁବକ ଫେରି ଆସିଥିଲା । ସେ ଛାତ୍ରମାନଙ୍କୁ ବୁଝାଇଲା, “ଜୀବନରେ ସ୍ଥିରଲକ୍ଷ୍ୟ ହେବାର ଅର୍ଥ କଅଣ" ନିଜ ଲକ୍ଷ୍ୟରେ ଦୃଢ଼ବ୍ରତ ଥିବାରୁ ସେ ଯେଉଁ ପ୍ଲାଟୁନ୍‍ର ଦଳାଇ ହୋଇଥିଲା, ଶତ୍ରୁରକ୍ଷିତ ଏକ ସ୍ଥାନ ସେ ପ୍ଲାଟୁନ ହି ଅଧିକାର କରିପାରିଥିଲା । ଅନ୍ୟମାନେ, ଯାହାଙ୍କର ଲକ୍ଷ୍ୟ ଓ ଉତ୍ସାହରେ ଦୃଢ଼ ନ ଥିଲେ, ସେମାନେ ହଟି ଯାଇଥିଲେ । ସେ ଶେଷରେ କହିଲା, ଲକ୍ଷ୍ୟ ସ୍ଥିର କର, ଜୀବନରେ ଏକ ବ୍ରତ ଗ୍ରହଣ କର ଏବଂ ତାହାପାଇଁ ସର୍ବ ନ୍ୟସ୍ତ ହୁଅ, ଦେଖିବ ସମଗ୍ର ଜଗତ ତୁମକୁ ବାଟ ଛାଡ଼ିଦେବ, ତୁମର ଲକ୍ଷ୍ୟସ୍ଥଳକୁ ପହଞ୍ଚିବାପାଇଁ-।‘’

 

ଏଇ ସଭାର ପରଦିନ କାନେରେ କେତେଘଣ୍ଟା ଧରି ବର୍ଷା ହେଲା । ଯେତେବେଳେ ଆକାଶ ସଫା ହେଲା, କଲେଜର ବାସ୍କେଟ ବଲ ପଡ଼ିଆର କେତେକାଂଶ ପାଣି ଜମି ହ୍ରଦରେ ପରିଣତ ହୋଇଯାଇଥିବାର ଦେଖାଗଲା । ବାହାରର କେତେକ ପିଲାଙ୍କୁ ସେଦିନ ସେଠି ଖେଳିବାକୁ ଅନୁମତି ମିଳିଥିଲା । କିନ୍ତୁ ସେମାନେ ପଡ଼ିଆର ଏପରି ପ୍ଳାବିତ ଅବସ୍ଥା ଦେଖି ନ ଖେଳି ଚାଲିଯିବାକୁ ବସିଥିଲେ । ଏଇ ସମୟରେ ଜଣେ କାନେ ଛାତ୍ର ସେଠି ଆସି ପହଞ୍ଚିଗଲେ । ସେ ପଚାରିଲା, “ଘଟଣା କ’ଣ ? ପଳଉଛ କାହିଁକି ନ ଖେଳି " ବାହାର ପିଲା ଜଣେ କହିଲା, “ସେ ହ୍ରଦକୁ ଦେଖ । ଏମିତି ପଡ଼ିଆରେ ଖେଳନ୍ତି ନା ଲୋକେ ?’’

 

ପାଞ୍ଚମିନିଟ ଭିତରେ କାନେ ଛାତ୍ରଟି କାହୁଁ ଗୋଟିଏ ଟ୍ରକ୍ ମାଗିଆଣିଲେ ଏବଂ ପନ୍ଦର ମିନଟ୍ ଭିତରେ ସେଇ ପିଲାଙ୍କ ସାହାଯ୍ୟରେ, ପାଣି ଜମିବା ଅଂଶତକ ପାଉଁଶରେ ପୋତି ପକେଇଲା । ଶୁଖିଲା ପଡ଼ିଆରେ ବର୍ତ୍ତମାନ ଖେଳ ଚାଲିଲା ।

 

ଏଇ ନାଟକର ଘଟଣା ଦେଖୁଥିବାବେଳେ ମତେ ଜଣେ କାନେ ଶିକ୍ଷକ କହିଲେ “ସ୍ଥିରଲକ୍ଷ୍ୟ ଓ ଲକ୍ଷ୍ୟପଥଗାମୀ ହେବାର ଏଇ ଏକ ବ୍ୟାବହାରିକ ଦୃଷ୍ଟାନ୍ତ ।‘’

 

କାନେ ପ୍ରାଇମେରୀ ସ୍କୁଲ ପିଲାଙ୍କର ଏକ ଉପାସନା-ମେଳଣରେ ମୁଁ ଦିନେ ସକାଳେ ଯୋଗଦେଇଥିଲି । କାନେ ସ୍କୁଲରୁ ବାହାରିଥିବା ବୟସ୍କ ପୁରାତନ ଛାତ୍ରଛାତ୍ରୀ ଏଇ ପ୍ରାଇମେରୀ ସ୍କୁଲ୍ ଚଲାନ୍ତି । ତେଣୁ ଛୋଟ ପ୍ରାଇମେରୀ ଶ୍ରେଣୀର ପିଲାଙ୍କୁ ମଧ୍ୟ କାନେ ଆଦର୍ଶରେ ଛୋଟ ଛୋଟ ନେତା ଭାବରେ ଗଢ଼ିବା ଆରମ୍ଭ ହୋଇଥାଏ । ଏଇ ଦୈନନ୍ଦିନ ଗୋଷ୍ଠୀ ଉପାସନା ଏକାନ୍ତ ଭାବରେ ପିଲାଙ୍କଦ୍ଵାରାହିଁ ପରିଚାଳିତ ହୋଇଥାଏ । ଗୋଟିଏ ଶ୍ରେଣୀ ଗୋଟିଏ ସପ୍ତାହ ଭାର ନିଏ-। ଚଳନ୍ତି ସପ୍ତାହରେ ଦ୍ଵିତୀୟ ଶ୍ରେଣୀ ଉପରେ ଭାର ଥିଲା । ଉପାସନାର କୌଣସି ଅପରିବର୍ତ୍ତନୀୟ ବନ୍ଧା ପଦ୍ଧତି ନାହିଁ । ପିଲେ ତାହା ପ୍ରତିଦିନ ପରିବର୍ତ୍ତନ କରିଥାନ୍ତି । ପ୍ରତି ଶ୍ରେଣୀ ଚେଷ୍ଟା କରିଥାନ୍ତି ତାଙ୍କ ପ୍ରୋଗ୍ରାମଟି କିପରି ସବୁଠାରୁ ଉତ୍ତମ ବିବେଚିତ ହେବ । ପ୍ରତିଯୋଗିତା ଅତି ତୀବ୍ର ।

 

ଆଜିର ସଭାପତି ବେନୀ ଗିବସନ୍, ବୟସ ସାତବର୍ଷ । ଘରେ ପ୍ରାୟ ଶହେ ପିଲା ଜମା ହୋଇଥିଲେ । ଛୋଟ ବେନୀର ମୁଗୁରର ଆଘାତ ଟେବୁଲ ଉପରେ ବାଜିଲାମାତ୍ରେ ସବୁ ଫୁସୁରଫାସର ଗୁଜୁରଗାଜର ଏକାବେଳେକେ ବନ୍ଦ ହୋଇଗଲା । ସବୁ ବର୍ତ୍ତମାନ ନିସ୍ତବ୍‍ଧ ।

 

ଗାନରେ ନେତୃତ୍ଵ ନେବା ଲାଗି ଆଗରୁ ବଛା ହୋଇଥିବା ଏକ ବାଳିକା ବେନୀର ଏକ ପାଖେ ଠିଆହୋଇ ରହିଥିଲା । ସେ କହିଲା-- ଆମ୍ଭେମାନେ ବର୍ତ୍ତମାନ ଆମର ଜାତୀୟ ସଙ୍ଗୀତ ‘ଆମେରିକା’’ ଗାଇବା ।

 

ସମଗ୍ର କେନ୍ଦ୍ରରେ ପିଆନୋ ବା ଅର୍ଗାନ୍ ନାହିଁ । କିନ୍ତୁ ପିଲେ ତାଙ୍କର ସଯତ୍ନ ନିୟନ୍ତ୍ରିତ ମିଳିତ କଣ୍ଠରେ ଏକ ସ୍ୱରରେ ଯେତେବେଳେ ଗାଇଲେ “ପ୍ରତି ଗିରି କନ୍ଦରରୁ ବାଜିଉଠୁ ସ୍ଵାଧୀନତା-ଶଙ୍ଖ” ତାହା ସମଗ୍ର କକ୍ଷଟିକୁ ତଳୁ ଛାତ ପର୍ଯ୍ୟନ୍ତ ଉନ୍ମାଦନାରେ ଭରି ଦେଉଥିବା ସଙ୍ଗେ ସଙ୍ଗେ ମତେ ସ୍ମରଣ କରାଇ ଦେଉଥିଲା, ଆମର ପୂର୍ବ ପୁରୁଷ ସେହି ସାହସୀ ତ୍ରି-ସହସ୍ର, ଯେଉଁମାନେ ବଫାଲୋ ସହରରେ ଏଇ ମହାସଙ୍ଗୀତ ପ୍ରଥମ ଥରପାଇଁ ବିନା ଯନ୍ତ୍ର ସାହାଯ୍ୟରେ ପ୍ରାଣର ଆବେଗରେ କିପରି ଗାଇଥିବେ ।

 

ତାପରେ ଗୀତ ହେଲା ‘ସୁନ୍ଦରୀ ଆମେରିକା’ । ପୁଣି ପଠିତ ହେଲା ବାଇବେଲର କେତେକାଂଶ ଓ ପ୍ରଭୁ ପ୍ରାର୍ଥନା । ତାପରେ ସ୍କୁଲକୁ କିପରି ଆହୁରି ଭଲ କରାଯିବ, ଏହାର ଖୋଲା ଆଲୋଚନାପାଇଁ ଛୋଟ ବେନି ସଭାକୁ ଡାକଦେଲା । ଅଗଣିତ ହସ୍ତ ଉପରକୁ ଉଠିଗଲା କହିବାର ଅନୁମତିପାଇଁ । ପମ୍ପର ପାଣି ନଷ୍ଟ ନ କରିବାଠୁ ଆରମ୍ଭ କରି ରାସ୍ତାରେ ଛିଣ୍ଡା କାଗଜ ବା ମଇଳା ଜିନିଷ ନ ଫୋପାଡ଼ିବା ପର୍ଯ୍ୟନ୍ତ ଅନେକ ସଙ୍କେତ ପ୍ରକାଶିତ ହେଲା । ମୁଁ ଶୁଣିଲି ଯେ ଏପରି କୌଣସି ଦିନ ଯାଏ ନାହିଁ, ଯେଉଁଦିନ ଏଇ ଛୋଟ ପିଲେ ଉତ୍ତମ ନାଗରିକତା ବା ମନ୍ଦ ନାଗରିକତା ନେଇ ନିଜ ନିଜ ମତ ପ୍ରକାଶ ନ କରନ୍ତି ।

 

ନିଜେ ପିଲାଙ୍କଦ୍ଵାରା ନର୍ଦ୍ଧାରିତ ନିମ୍ନଲିଖିତ ସଂଯମନ କାନେ କଲେଜରେ ଅପରିହାର୍ଯ୍ୟ ଭାବରେ ପରିପାଳିତ ହୋଇଥାଏ ।

 

ବାଳିକାମାନଙ୍କପାଇଁ: କୌଣସି ଅଳଙ୍କାର ବା ପ୍ରସାଧନ ବ୍ୟବହାର ନିଷିଦ୍ଧ । କୌଣସି ସାମାଜିକ ସୁବିଧା କେହି ଦାବିକରି ପାରିବେ ନାହିଁ (ଅର୍ଥାତ୍ ଧନୀ ବା ଉଚ୍ଚ ବଂଶଜାତ ବୋଲି କେହି ଭିନ୍ନ ବ୍ୟବସ୍ଥା ଆଶାକରିବେ ନାହିଁ) । ପିତା ବା ଅଭିଭାବକଙ୍କ ସାଥି ଛଡ଼ା କାହାରିକୁ ବାହାରକୁ ଯିବାକୁ ଦିଆଯିବ ନାହିଁ । କଲେଜରେ ପ୍ରଚଳିତ ଧଳା ସୂତାପୋଷାକ ଛଡ଼ା ଅନ୍ୟ ପୋଷାକ ପିନ୍ଧିବେ ନାହିଁ । ରନ୍ଧନରେ, ବାସନମାଜିବାରେ, ଅନ୍ୟାନ୍ୟ ଘରକାମରେ ଅଂଶୀ ହେବେ ।

 

ବାଳକମାନଙ୍କପାଇଁ—ପିକା ପିଇବା, ନିଶାଦ୍ରବ୍ୟ ଖାଇବା, ବାଜଣା ବଜେଇବା, ନାଚିବା, ତାସ ଖେଳିବା, ଅସଭ୍ୟ ଭାଷାରେ ଶୋଧାଶୋଧି ହେବା, ଅଭଦ୍ର ହେବା, ବାଳିକାମାନଙ୍କ ସହିତ ମିଶିବା, ବନ୍ଧୁକ ବ୍ୟବହାର କରିବା ମନା । ସେମାନେ ନିଜ ନିଜ ବଖରାଟିର ସବୁପ୍ରକାର ଦାୟିତ୍ଵ ନିଜେ ତୁଲେଇବେ ।

 

ଅତି ସାଧାରଣ ଧଳା ପୋଷାକରେ ମଧ୍ୟ କାନେର ବାଳିକାମାନେ ରମଣୀୟ ଦେଖାଯାନ୍ତି । ଧୁଆଧୋଇପାଇଁ ଗୋଟିଏ ବେସିନ ଏବଂ ଗୋଟିଏ ଛୋଟ ଆଇନା ଛଡ଼ା ତାଙ୍କର ଅନ୍ୟ ପ୍ରସାଧନ ଉପକରଣ କିଛିହିଁ ନାହିଁ । ମୁଁ ମିସ୍ ଜୁନଙ୍କୁ ପଚାରିଲି, “ଏଇ ଉପକରଣରେ ତମର ବାଳିକାମାନେ ଏପରି ଫିଟ୍ ହୋଇ ପାରୁଛନ୍ତି କିପରି ?’’ ସେ କହିଲେ, “ଆମ ଝିଅମାନେ ନ କରି ପାରିବେ ଏପରି କୌଣସି କାମ ନାହିଁ । ସେମାନେ ରାନ୍ଧିବେ, ସିଲେଇ କରିବେ, ଘୋଡ଼ା ଚଢ଼ିବେ, ଗାଈ ଦୁହିଁବେ, ବଗିଚାକାମ କରିବେ, ଗାଇବେ, ନାଚିବେ, ଅଭିନୟ କରିବେ, ଗୋଟିଏ ସଭା ଚଳେଇ ନେବେ ଏବଂ ଦରକାର ପଡ଼ିଲେ ଧର୍ମୋପଦେଶ ମଧ୍ୟ ଦେବେ ।

 

ଝିଅଙ୍କ ପରି ଟୋକାମାନେ ମଧ୍ୟ ଫିଟ୍‍ଫାଟ୍ । ପ୍ରତି ଶ୍ରେଣୀରେ ଜଣେ ନା ଜଣେ ପିଲା ଅଛନ୍ତି, ଯେ କି ଆଗ୍ରହର ସହିତ ଭଣ୍ଡାରୀ କାମ କରନ୍ତି । ଫିଟ୍‍ଫାଟ୍ ଭାବରେ ରହିବା ଓ ବାହାରିବା ଏଠାର ଏପରି ଏକ ଧରାବନ୍ଧା କଥା ଯେ, କର୍ତ୍ତୃପକ୍ଷ ସେ ବିଷୟରେ କୌଣସି ବ୍ୟବସ୍ଥା କରି ନାହାନ୍ତି । ପୁଅ ଓ ଝିଅମାନେ ତାର ସମାଧାନ ନିଜେ ନିଜେ କରିନିଅନ୍ତି । ଯେଉଁ ନୂଆ ପିଲା ଅଜ୍ଞତା ଦେଖାନ୍ତି, ତାଙ୍କୁ ବଡ଼ ପିଲେ ସାହାଯ୍ୟ କରନ୍ତି, ଖୁସିରେ ବତାଇ ଦିଅନ୍ତି । କାନେ କେନ୍ଦ୍ରରେ ଦୈନନ୍ଦିନ ଜୀବନ ଆରମ୍ଭ ହୁଏ ସକାଳ ୬ଟା ୪୫ମିନଟରେ । ସେତେବେଳେ ଏକ ଘଣ୍ଟା ବାଜେ । ୭-୧୫ରେ ପ୍ରାତଭୋଜନ । କ୍ଲାସ୍ ଆରମ୍ଭ ୮ ଟାରେ । କିନ୍ତୁ ତା ପୂର୍ବରୁ ପିଲେ ନିଜ ନିଜ ବିଛଣା ସଜାଡ଼ିବେ, ଘର ସଫା କରିବେ, ଘର ସଜାଡ଼ିବେ । ଛାତ୍ର ନେତାମାନେ ଦେଖନ୍ତି ଯେପରି ଏସବୁ ଠିକ୍ ଭାବରେ ହୁଏ ।

 

ସକାଳେ କିଛି ସମୟ ଉପାସନା ଓ ମଧ୍ୟାହ୍ନ ଭୋଜନକୁ ଛାଡ଼ିଦେଇ କ୍ଲାସ ଚାଲେ ୩ଟା ୧୫ପର୍ଯ୍ୟନ୍ତ । ଏହାପରେ ପ୍ରତ୍ୟେକ ପିଲାକୁ କିଛି ଦୈହିକ ଶ୍ରମମୂଳକ କାର୍ଯ୍ୟ କରିବାକୁ ପଡ଼େ-ମଇଳା ନେଇ ଗାତରେ ପୋତିବା, ଜାଳେଣି କାଠ କାଟିବା, କୋଇଲା ବୋହିବା ପ୍ରତି କେନ୍ଦ୍ରର ଯାବତୀୟ ଦରକାରୀ ଶ୍ରମ । ସନ୍ଧ୍ୟା ୫ଟା ୩୦ରେ ରାତ୍ରି ଭୋଜନ । ତାପରେ ଖୋଲା ପଡ଼ିଆରେ ଖେଳ । ୭ଟାରୁ ୯ଟା ଯାଏଁ ପଢ଼ାପଢ଼ି, ନହେଲେ ଛୋଟ ଥିଏଟରର ଯଦି କିଛି ସଭା, ବକ୍ତୃତା ବା ଅଭିନୟ ଇତ୍ୟାଦି ଥାଏ । ରାତ୍ରି ଦଶଟାରେ ବାଳିକା ଆଉ ରାତି ୧୨ଟା ବେଳକୁ ବାଳକମାନଙ୍କ ଘରେ ଆଲୁଅ ଦେଖାଯିବ ନାହିଁ ।

 

କାନେର ରନ୍ଧାଘର ଜଣେ ଖାଦ୍ୟ-ବିଜ୍ଞାନୀଙ୍କ ତତ୍ତ୍ଵାବଧାନରେ ଥାଏ । ଖାଦ୍ୟ ସେ ଅଞ୍ଚଳରେ ପାହାଡ଼ୀ ଘରମାନଙ୍କରେ ଯେଉଁ ଖାଦ୍ୟ ସେଇଆ; ବାଳିକାମାନେ ରନ୍ଧନର ସବୁକାମ କରନ୍ତି । ରନ୍ଧା ଦ୍ରବ୍ୟ ଟେବୁଲ ଉପରେ ଥୋଇ ଦିଆଯାଏ । ପିଲେ ଯାହାର ଯାହା ଦରକାର ନେଇଯାଆନ୍ତି । କ୍ଲାସ୍‍ରେ, ରନ୍ଧାଘରେ ଏବଂ ବାହାରେ ସର୍ବତ୍ର ବାଳକ ଓ ବାଳିକା ଅଲଗା ଅଲଗା ବସାଉଠା କରନ୍ତି । ଏ ବିଷୟରେ ନିୟମ ଅତି କଡ଼ାକଡ଼ି । ସମାଲୋଚକମାନଙ୍କୁ ଆଲିଶ୍ ଲୟାଡ଼୍‍ଙ୍କ ଗୋଟିଏ ଉତ୍ତର ସେ କାନେ ଛାତ୍ରମାନେ କାନେର ଛାତ୍ରୀଙ୍କୁ ହଁ ସାଧାରଣତଃ ବିବାହ କରନ୍ତି ।

 

ବାଳକମାନେ ଛୋଟ ଛୋଟ ଘରେ ରହନ୍ତି ଏବଂ ତାକୁ ସଫାସୁତୁରା ରଖିବା, ମରାମତି କରିବାର ପୂର୍ଣ୍ଣ ଦାୟିତ୍ଵ ସେମାନଙ୍କର । ଶିକ୍ଷକଙ୍କ ପର୍ଯ୍ୟବେକ୍ଷଣ କେବଳ ଗତର କଥା । ମୁଁ ବାଳକମାନଙ୍କର କେତୋଟି ଆବାସ ଦେଖିଲି । ତାହା ଦେଖି ଯେ କୌଣସି କଡ଼ା ମିଲଟାରୀ ସର୍ଜେଣ୍ଟ ମଧ୍ୟ ଗର୍ବ କରିବ—ଏତେ ପରିଷ୍କୃତ, ପରିଚ୍ଛନ୍ନ !

Image

 

କାନେରେ ପିଲାଙ୍କୁ କିପରି ନେତୃତ୍ଵନେବାରେ ତାଲିମ କରାଯାଏ

 

ଦୂରଦୂରାନ୍ତରେ ଯେଉଁ ସଦାଶୟ ଲୋକେ କାନେ ଅନୁଷ୍ଠାନମାନଙ୍କୁ ସାହାଯ୍ୟ କରୁଥିଲେ ବା ଯେଉଁମାନେ ସେମାନଙ୍କର ପ୍ରଶଂସା ଶୁଣିଥିଲେ, ସେମାନେ କାନେର ପାହାଡ଼ିଆ ଛାତ୍ର ଛାତ୍ରୀଙ୍କୁ ସ୍ଵଚକ୍ଷୁରେ ଦେଖିବାକୁ ଇଚ୍ଛା କଲେ । ସେମାନେ ପ୍ରତ୍ୟକ୍ଷ କରିବାକୁ ଚାହିଁଲେ, ଆଲିଶ୍ ଲୟଡ଼୍ ଓ ତାଙ୍କର ସହକର୍ମୀମାନଙ୍କ ହାତରେ ସେଇ ଅନୁଷ୍ଠିତ ସାହାସୀ ଅଞ୍ଚଳରେ ନୂତନ ପୁରୁଷ କିପରି ଗଢ଼ିଉଠୁଛି । ପ୍ରତି ଡାକରେ ଏଇ ଇଚ୍ଛା ପ୍ରକାଶ କରି ବହୁତ ଚିଠିପତ୍ର ଆସିଲା ! ତେଣୁ ସ୍ଥିର ହେଲା ଯେ କାନେର ଦଳେ ଛାତ୍ର ବାହାର ଜଗତରେ ବୁଲି ଆସିବେ । ସଭ୍ୟଜଗତର ଲୋକେ ତାଙ୍କୁ ଦେଖିବା ସଙ୍ଗେ ସଙ୍ଗେ, ସେମାନେ ମଧ୍ୟ ବର୍ତ୍ତମାନ ଜଗତ ସମ୍ବନ୍ଧରେ ଅନେକ କଥା ଶିଖି ଆସିବେ ।

 

ଏହା ଭିତରେ ଅନେକ ଦଳ କାନେ ଛାତ୍ରଛାତ୍ରୀ ବାହାର ଜଗତ ଦେଖି ଆସିଛନ୍ତି । ବାରରୁ ଅଠର ଯାଏଁ ପିଲାଙ୍କୁ ନେଇ ଗୋଟିଏ ଦଳ ବଛା ଯାଏ । ମିସ୍ ଜୁନ୍ ବା ସେଇପରି କୌଣସି ଦାୟିତ୍ଵ ସମ୍ପନ୍ନ ବ୍ୟକ୍ତିଙ୍କ ଅଧୀନରେ ସେମାନେ ବୁଲି ବାହାରନ୍ତି । ଆମେରିକାର ପ୍ରସିଦ୍ଧ ପ୍ରାକୃତିକ ଓ ଐତିହାସିକ ସ୍ଥାନସବୁ ଏବଂ କେତେକ ବଡ଼ ସହର ସେମାନେ ପ୍ରାୟ ବୁଲି ଦେଖନ୍ତି । ଦୁଇଦଳ ଆମେରିକା ପ୍ରେସିଡ଼େଣ୍ଟଙ୍କ ଅତିଥିରୂପେ ହ୍ଵାଇଟ ହାଉସ୍‍ରେ ମଧ୍ୟ ରହି ଆସିଛନ୍ତି ଯେ ଆସିଲା ପରେ ସେମାନେ କାନେର ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କୁ ଯାତ୍ରାର ସମସ୍ତ ବିକ୍ଷୟ ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା କରିଥାନ୍ତି । ସେମାନେ ବରାବର ଏପରି ଆଦର ଓ ଆତିଥ୍ୟ ପାଇଥାନ୍ତି ଯେ ଯେଉଁ କେତୋଟି ମୁଦ୍ରା ଧରି ସେମାନେ ଯାତ୍ରାରମ୍ଭ କରିଥାନ୍ତି, ଫେରିଲାବେଳକୁ ତାଙ୍କ ପାଖରେ ସେତିକି ଥାଏ ।

 

ଏଇସବୁ ଯାତ୍ରାବେଳେ, ଯେତେବେଳେ କାନେର ଛାତ୍ରଛାତ୍ରୀ ବାହାରର ଲୋକଙ୍କ ସମ୍ପର୍କ ଓ ସଂଘର୍ଷରେ ଆସନ୍ତି, ସେତିକିବେଳେ ସେମାନଙ୍କୁ ତାଲିମର ବିଶେଷତ୍ଵର ସୁନ୍ଦର ପରୀକ୍ଷା ହୋଇଥାଏ । ଆଲିଶ୍ ଲୟଡ଼୍ ଗୋଟିଏ ଘଟଣା ମନେପକାଇ ବରାବର ସୁଖ ଓ ଗୌରବ ଅନୁଭବ କରିଥାନ୍ତି । କନେକ୍‍ଟିକଟ୍‍ରେ ଗୋଟିଏ କ୍ଳବ୍ କାନେ ଛାତ୍ରଙ୍କୁ ଅତିଥି ରୂପେ ଗ୍ରହଣ କରିଥାଏ । ବୟସ ନିର୍ବିଶେଷରେ କାନେର ଛାତ୍ରଛାତ୍ରୀ ପାଳିକରି ସଭାପତିତ୍ଵ କରିବାର ଭାର ନିଅନ୍ତି । ୟାଦ୍ଵାରା ସେମାନଙ୍କର ନେତୃତ୍ଵ, ଦାୟିତ୍ଵ-ଜ୍ଞାନ, ସାହସ, ଅସଂକୋଚ ପ୍ରଭୃତି ଚରିତ୍ରର ଅଙ୍ଗୀଭୂତ ହୋଇଯାଏ । ଏଇଠାରେ ସେଦିନ ବାର୍ଚେଲ ମୁର୍‍ର ପାଳି ପଡ଼ିଲା । ତାର ବୟସ ମୋଟେ ବାରବର୍ଷ । ସେ ସଭାପତି ହୋଇ ସଭାକୁ ଆହ୍ୱାନ କଲା, ଯେ କୌଣସି ପ୍ରଶ୍ନ ପଚାରିବାକୁ ।

 

ସଭାରେ ଜଣେ ପଚାରିଲା, “ତୁମକୁ ଦଶଲକ୍ଷ ଡଲାର୍ ମିଳିଲେ, ତୁମେ କ’ଣ କରନ୍ତ ?’’

 

ବାର୍ଚେଲ ଉତ୍ତର ଦେଲା, “ମୁଁ ଗୋଟିଏ ଖଚର କିଣନ୍ତି ।”ଲୋକଟି ବିସ୍ମିତ ହୋଇ ପୁଣି ପଚାରିଲା, ଖଚରଟିଏ କିଣିବ ? ସତରେ ?’’

 

ବାରବର୍ଷର ପିଲା ଦୃଢ଼ଭାବରେ ପୁଣି କହିଲା, "ହଁ, ଗୋଟିଏ ଖଚର । ହଁ, ମୁଁ ସେଇ ଖଚରରେ ପାହାଡ଼ ଉପରକୁ ଉଠିବି ଏବଂ ବାଟରେ ଯେତେ ସାଙ୍ଗ ବାଳକ ଓ ବାଳିକା ଭେଟିବେ, ସମସ୍ତଙ୍କୁ ସେଇ ଖଚର ଉପରେ ବସେଇ ସ୍କୁଲକୁ ନେବି । ପାହାଡ଼ ଚଢ଼ି ସ୍କୁଲକୁ ଯିବାର କଷ୍ଟରୁ ସେମାନଙ୍କୁ ରକ୍ଷା କରିବି ।”

 

କିଛିକାଳ ପରେ କାନେକୁ ଗୋଟିଏ ଚେକ୍ ଆସିଲା ଏବଂ ତା ସାଥିରେ ଛୋଟ ଚିଠିରେ ଲେଖାଥିଲା, “ଆଶାକରେ ଯେ ବାର୍ଚେଲ ମୂର୍ ଗୋଟିଏ ଉତ୍କୃଷ୍ଟ ଖଚର କିଣିବାପାଇଁ ଏଇ ଟଙ୍କା ଯଥେଷ୍ଟ ହେବ ।”

 

ମିସ୍ ଜୁନ୍‍ଙ୍କର ସ୍ମୃତିରେ ଆଉ ଏକ ଘଟଣା ଲାଖି ରହିଛି । ତାଙ୍କ ଅଧୀନରେ ଦଳେ ପିଲା ବଫାଲୋ ସହର ଦେଖିବାକୁ ଯାଇଥିଲେ । ତତ୍ରତ୍ୟ ବୃହତ୍ତମ ହାଇସ୍କୁଲ କାନେ ପିଲାଙ୍କୁ ନିମନ୍ତ୍ରଣ କଲା । ସେ ହାଇସ୍କୁଲ ହଲ୍‍ରେ ତିନିହଜାର ଦର୍ଶକଙ୍କର ସ୍ଥାନ ଅଛି ଏବଂ ସେହି ବିରାଟ ପ୍ରେକ୍ଷାଗୃହରେ ଦର୍ଶକ ଭର୍ତ୍ତିହୋଇ ଯାଇଥିଲେ । ସେଠି କିନ୍ତୁ ଲାଉଡ଼୍ ସ୍ପିକରର କୌଣସି ବ୍ୟବସ୍ଥା ନ ଥିଲା ।

 

ସ୍କୁଲର ହେଡ଼ମାଷ୍ଟରଙ୍କୁ ମିସ୍ ଜୁନ୍ ସେତେବେଳେ ଜଣାଇଲେ ଯେ କାନେ ଛାତ୍ର ଦଳର ସେଦିନର ସଭାପତି ହେବ କଣେ ୬ବର୍ଷ ବୟସ୍କ ବାଳକ । ସେ ଶୁଣି ଅବାକ୍ ଓ ବ୍ୟସ୍ତ ହେଲେ । ସେ କହିଲେ–“ଏଡ଼େ ଛୋଟ ପିଲାର ସ୍ୱର କାହାକୁ ଶୁଣାଯିବ ନାହିଁ । କେହି ଏ ମିଟିଂରେ ରହିବେ ନାହିଁ; ଆପଣ ବ୍ୟବସ୍ଥା ବଦଳାନ୍ତୁ ।‘’

 

ମିସ୍ ଜୁନ୍ କହିଲେ, “ଆଜି ତାର ପାଳି ! ଆମେ କୌଣସିମତେ ପରିବର୍ତ୍ତନ କରିବୁ ନାହିଁ-।"

 

ହେଡ଼ମାଷ୍ଟର କହିଲେ, ତାହା ହେଲେ କୋଡ଼ିଏ ମିନିଟ୍ ପରିବର୍ତ୍ତେ ମୁଁ କେବଳ ଆପଣମାନଙ୍କୁ ପାଞ୍ଚ ମିନଟ୍ ସମୟ ଦେଲି । ଯେତେବେଳେ କାନେ ପିଲେ, ଛ-ବର୍ଷିଆ ଦଳପତିର ନେତୃତ୍ଵରେ ଷ୍ଟେଜକୁ ଉଠିଲେ, ହେଡ଼ମାଷ୍ଟର ପକେଟରୁ ଘଡ଼ିଟି କାଢ଼ି ତା’ଆଡ଼କୁ ଜାଗ୍ରତ ହୋଇ ଅନାଇ ରହିଲେ ।

 

ଛ’ ବର୍ଷିଆ ନେତା କହିବାକୁ ଆରମ୍ଭ କଲାମାତ୍ରେ ସମଗ୍ର ସଭାଗୃହ ନିସ୍ତବ୍‍ଧ ହୋଇଗଲେ । ତା’ର କ୍ଷୀଣ ସ୍ପଷ୍ଟ ବାଳକୋଚିତ ସ୍ୱର ବିରାଟ ସଭାଗୃହର ଦୂରତମ କୋଣ ପର୍ଯ୍ୟନ୍ତ ଶୁଣାଗଲା । କାନେ ପିଲେ କାହିଁକି ଆସିଛନ୍ତି ସେ ତାହା ପରିଷ୍କାର ଭାଷାରେ କହିବାକୁ ଗଲା ପାଞ୍ଚମିନଟ୍ ସରିଲାବେଳକୁ ହେଡ଼ମାଷ୍ଟର ନିଜେ ପିଲାକୁ ଠାରିଲେ ଆଉରି ଆଉରି କହିବାକୁ । କାନେର ପିଲା-ନେତା ତାର ଯାହା କହିବାର କଥା କହିସାରି କାନେ ଦଳର ଚାରିଜଣ ବଛା ଛାତ୍ରଛାତ୍ରୀଙ୍କୁ ସଙ୍ଗୀତ ଆରମ୍ଭ କରିବାକୁ ଆଦେଶ ଦେଲା । ସେମାନେ ପାହାଡ଼ୀ-ଅଞ୍ଚଳର ଏକ ପଲ୍ଲୀ-ସଙ୍ଗୀତ ଗାଇଲେ । ତାହା ଶେଷ ହେଲା ମାତ୍ରେ, ବର୍ତ୍ତମାନ ସମଗ୍ର ପ୍ରେକ୍ଷାଗୃହ ଡାକି ଉଠିଲା “ଆଉ ଗାଅ, ଆଉ ଗାଅ ।”

 

ଗୀତ ପରେ, ଜନତାର ଅନୁରୋଧରେ ପୁଣି ଚାଲିଲା ନାଟକାଭିନୟ । ଅଧିବେଶନ ଆରମ୍ଭ ହୋଇଥିଲା ୧୦ଟା ବେଳେ । ହେଡ଼ମାଷ୍ଟର ପାଞ୍ଚମିନିଟ ମାତ୍ର ସମୟ ଦେଇଥିଲେ; କିନ୍ତୁ ଅଧିବେଶନ ଚାଲିଲା ମଧ୍ୟାହ୍ନ ବାରଟା ଯାଏଁ । ଛ’ବର୍ଷିଆ ସଭାପତି ନମ୍ରଭାବରେ କହିଲା, ଆମର ସେଇ ପାହାଡ଼ୀ ଦେଶରେ ଆମେ ୧୨ଟା ବେଳେ ମଧ୍ୟାହ୍ନ ଭୋଜନ କରୁ । ମୁଁ ଆଶା କରୁଛି, ଏଠିବି ସେୟା କଲେ ସମସ୍ତେ ଖୁସି ହେବେ । କାନେର ପିଲେ ଯେତେ ବଡ଼ ଲୋକର ଅତିଥି ହେଉନ୍ତୁ ପଛେ, ଯେତେ ବଡ଼ ହୋଟେଲରେ ରହନ୍ତୁ ପଛେ ସେମାନେ ତାଙ୍କ ସ୍କୁଲରେ ଯେପରି, ସବୁଠି ନିଜ ବିଛଣା ପ୍ରଭୃତି ନିଜେ କରିବା, ନିଜ ଜୋତା ନିଜେ ସଫା ରଖିବା ପ୍ରଭୂତି କାମଗୁଡ଼ିକ ନିଜେ ନିଜେ କରନ୍ତି ।

 

ଆମେରିକାର ତତ୍‍କାଳୀନ ପ୍ରେସିଡ଼େଣ୍ଟ୍ ହୁଭର୍‍ଙ୍କ ସ୍ତ୍ରୀ କାନେ ପିଲାଙ୍କୁ ହ୍ଵାଇଟ୍ ହାଉସ୍‍କୁ ନିମନ୍ତ୍ରଣ କରିଥିଲେ । କାନେ ପିଲେ ହ୍ଵାଇଟ୍ ହାଉସ୍‍ର ସକଳ ବିଳାସୀ ବ୍ୟବସ୍ଥା ଭିତରେ, ସେଠାର ସୁଶ୍ରୀସମ୍ପନ୍ନ ଆଇଭି ଲତାଗୁଡ଼ିକୁହିଁ ବେଶି ପସନ୍ଦ କଲେ, କାରଣ କାନେରେ ଆଇଭି ଲତା ନ ଥିଲା-। ମିସେସ୍ ହୁଭର୍ କହିଲେ, “ମୁଁ ତମପାଇଁଗୁଡ଼ିଏ ଆଇଭି ପଠାଇ ଦେବି ।” ଠିକ୍ ସମୟରେ ଦଶଟି କୁଣ୍ଡରେ ଆଇଭି ଲତା ହ୍ୱାଇଟ୍ ହାଉସ୍‍ରୁ କାନେରେ ଆସି ପହଞ୍ଚିଲା । ଅତି ଯତ୍ନର ସହିତ ପିଲାମାନେ ସେ ପଥୁରିଆ ଭୂଇଁରେ ଆଇଭି ଲତାଗୁଡ଼ିକୁ ବଞ୍ଚେଇ ରଖିଲେ । ଏବେ କାନେର ଚାରିଆଡ଼େ ସୁନ୍ଦର ଆଇଭି ଲତା ମାଡ଼ିବାର ଦେଖାଯାଏ । କିନ୍ତୁ କାନେ ପିଲେ ପ୍ରେସିଡେଣ୍ଟଙ୍କ ସ୍ତ୍ରୀଙ୍କୁ ମଧ୍ୟ ପ୍ରତ୍ୟୁପହାର ଦେବାକୁ ଭୁଲି ନଥିଲେ । କାନେରେ ଫର୍‍ସିଥିଆ ନାମକ ପୁଷ୍ପଗଛ ମାତ୍ର ଦୁଇଟି ଥିଲା । ସେଇଥିରୁ ଗୋଟିଏ ହ୍ଵାଇଟ୍ ହାଉସ୍ ପଠାଗଲା । ଏବେ ପ୍ରତି ବସନ୍ତକାଳରେ ହ୍ଵାଇଟ୍ ହାଉସ୍‍ର ହତାଭିତରେ ସ୍ଵର୍ଣ୍ଣ-ବର୍ଣ୍ଣ ଫର୍‍ସିଥିଆ ବହୁ ସ୍ଥାନରେ ପ୍ରଚୁର ଫୁଟିଥିବାର ପ୍ରତିବର୍ଷ ଦେଖାଯାଏ ।

 

ଆଲିଶ୍ ଲୟଡ଼୍‍ଙ୍କ ଅନୁରୋଧକ୍ରମେ ହାଭାର୍ଡ଼ ବିଶ୍ଵବିଦ୍ୟାଳୟରୁ ଜଣେ ବିଖ୍ୟାତ ବୁଦ୍ଧି ପରୀକ୍ଷକ ଥରେ କାନେ ଆସିଲେ । କାନେ ପିଲାଙ୍କ ବୁଦ୍ଧି ପରୀକ୍ଷାପାଇଁ ସେ ପ୍ରଥମେ ଟେଲିଫୋନ ସମ୍ପର୍କିତ ଏକ ପ୍ରଶ୍ନ ସେମାନଙ୍କୁ ପଚାରିଲେ । ସେତେବେଳେ କାନେର କୌଣସି ପିଲା ଟେଲିଫୋନ ଦେଖି ନ ଥିଲେ । ପରୀକ୍ଷକଙ୍କ ପର ପର ପ୍ରଶ୍ନଗୁଡ଼ିକ ମଧ୍ୟ ସେଇ ଧରଣର, ଯାହା ସଭ୍ୟ ମସାଚସେଟସ୍ ଷ୍ଟେଟର ହାଇସ୍କୁଲ ପିଲାଙ୍କପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ଯାହାସବୁ ଏଇ ପାହାଡ଼ୀ ଅଞ୍ଚଳର ପିଲାଙ୍କପାଇଁ ଏକାନ୍ତ ଅନୁପଯୁକ୍ତ, କାରଣ ସେ ସବୁର କାନେ ଅଞ୍ଚଳର ପ୍ରାକୃତିକ ବା ସାମାଜିକ ପରିବେଶ ସହିତ କୌଣସି ସମ୍ପର୍କ ନଥିଲା । କାନେ ପିଲେ ସେମାନଙ୍କର ବହି ଜ୍ଞାନରୁ ଯେତିକି ପାରିଲେ କହିଲେ, କିନ୍ତୁ ସେମାନେ ମନେ ମନେ ବିରକ୍ତ ହେଲେ ଯେ ପରୀକ୍ଷକ ସେମାନଙ୍କ ପ୍ରତି ନ୍ୟାୟ ବିଚାର କରୁନାହାନ୍ତି । ଯେତେବେଳେ ପରୀକ୍ଷକ ଉଠିବାକୁ ଯାଉଛନ୍ତି ଜଣେ ଛାତ୍ର ପଚାରିଲା, “ମହାଶୟ, ଆମେ କେତୋଟି ପ୍ରଶ୍ନ ଆପଣଙ୍କୁ ପଚାରିବୁ । ଆପଣ କିଛି ମନେକରିବେ ନାହିଁ ?’’

 

ପରୀକ୍ଷକ କହିଲେ, “ନା, ନା, ନିଶ୍ଚୟ ପଚାରିବ ।” “ଆଜ୍ଞା, ଆମର ଏ ଅଞ୍ଚଳରେ ଟେଲିଫୋନ ନାହିଁ, କିନ୍ତୁ ଆମ ଏ ଅଞ୍ଚଳରେ ପ-ପ ନାମରେ ଏକ ବୃକ୍ଷ ଅଛି । ଆପଣ ସେଇ ବୃକ୍ଷ ସମ୍ବନ୍ଧରେ କିଛି କହିପାରିବେ କି ?’’

 

ଅତିଥି କହିଲେ, “ମୁଁ ତ ହାରିଲି, ଦେଖୁଛି ।”

 

“ହ୍ୱାଇଟ୍ ହାଉସ୍ ଚାରିପଟେ ଗୋଟିଏ ବିଶିଷ୍ଟ ଆଇଭି ଲତା ମାଡ଼ିଛି । ତାହା ଜଣେ ପ୍ରସିଦ୍ଧ ବ୍ୟକ୍ତି ପ୍ରଥମେ ଲଗାଇଥିଲେ । ଆପଣ ସେହି ପ୍ରସିଦ୍ଧ ବ୍ୟକ୍ତିଙ୍କର ନାମ ଜାଣନ୍ତି କି ?”

 

ଅତିଥି ମୁଣ୍ଡ ନାଡ଼ିଲେ ।

 

ଆଉ ଜଣେ ପିଲା କହିଲା “ଚାଷୀର ଖମାରରେ ଘୋଡ଼ା ନା ଖଚର, କେଉଁ ପ୍ରାଣୀ ଅଧିକ ମୂଲ୍ୟବାନ’’

 

ଏଥର ପରାଜୟର ଚିହ୍ନସ୍ୱରୂପ ବିଜ୍ଞ ଅତି ଅତିଥି ଦୁଇହାତ ଉପରକୁ ଉଠାଇ କହିଉଠିଲେ, “ମୁଁ ଜାଣୁଛି, ମୁଁ ବର୍ତ୍ତମାନ ପରାସ୍ତ ।‘’

 

ବିଜ୍ଞ ପରୀକ୍ଷକ ଆଲିଶ୍ ଲୟଡ଼୍‍ଙ୍କୁ କହିଗଲେ ଯେ ମସାଚ-ସେଟସ୍ ଅଞ୍ଚଳର ଛାତ୍ରମାନଙ୍କ ଅପେକ୍ଷା ଏଇ ଦୂରାନ୍ତର ପାହାଡ଼ୀ ଛାତ୍ରଙ୍କର ବୃଦ୍ଧି କୌଣସିମତେ ହୀନ ନୁହେଁ । ବରଂ ସେ ନିଜେ ସେମାନଙ୍କୁ ନିକଟରେ ପରାଜୟ ସ୍ଵୀକାର କରିଛନ୍ତି ।

Image

 

କାନେ କଲେଜର ଫଳ

 

ସର୍ବଯୋଗ୍ୟତାସଂପନ୍ନ କାନେ କଲେଜର ଭାଇସ୍-ପ୍ରିନ୍ସିପାଲ ମତେ ଦିନେ କହିଲେ, “ଅନ୍ୟ କଲେଜମାନଙ୍କର ଆଇନକାନୁନ, ଏଠି କାନେ କଲେଜରେ ଚଳେନା । ଆମେ ପ୍ରତିବର୍ଷ ଶୂନ୍ୟ ହସ୍ତରେ ବର୍ଷାରମ୍ଭ କରୁ ଏବଂ ବର୍ଷ ଶେଷବେଳକୁ ଦେଖୁଁ ଯେ ଆମେ ପୂର୍ବଠାରୁ ଆଉରି ଦରିଦ୍ର ହୋଇଛୁ । ତଥାପି ଆମେ ଚାଲିଛୁ । ଗତ ଚାଳିଶ ବର୍ଷ ଧରି ଏଇ ଅଭିଜ୍ଞତା ଲାଗି ଆସିଛି । ଗତ ମହାଯୁଦ୍ଧ ସମୟରେ ଅନେକ ବଡ଼ ବଡ଼ କଲେଜ ବନ୍ଦ ହୋଇଗଲା; କିନ୍ତୁ କ୍ଷୁଦ୍ର କାନେ ଯେଉଁଠିକି କୌଣସି ପିସ୍ ନିଆହୁଏ ନାହିଁ, ଯେଉଁଠି ସବୁ ପିଲେ ଫ୍ରିରେ ପଢ଼ନ୍ତି ଏବଂ ଯାହାର କୌଣସି ଗଛିତ ସଂପତ୍ତି ନାହିଁ, କୌଣସି ସରକାରୀ ଗ୍ରାଣ୍ଟ ମଧ୍ୟ ନାହିଁ, ସେ ବରାବର ଚାଲୁରହିଲା । ଆମକୁ ଦଶ ଡଲାର ମଧ୍ୟ ଗୋଟାଏ ବଡ଼ ଦାନ । ତଥାପି, ଆପଣ ଏଇ ଦେଖନ୍ତୁ’’—

 

ଏହା କହି ସେ ମତେ ନେଇଗଲେ ଏବଂ ଗୋଟିଏ ପ୍ରକାଣ୍ଡ ପକାର ମୂଳଦୁଆ ଦେଖାଇ ଦେଲେ । ପଥରର ମୂଳଦୁଆ ପଡ଼ିଯାଇଛି; କିନ୍ତୁ ଟଙ୍କା ଅଭାବରୁ ଆଉ କାମ ହୋଇପାରିନି । ତା ଉପରେ ଅନାବନା ଗଛ ଓ ଘାସ ଉଠିଗଲାଣି । ସେ କହିଲେ, ଏ ହେଉଛି ଆମର ଭବିଷ୍ୟତର ବାଳିକା ହଷ୍ଟେଲ ! ୟାକୁ ଶେଷ କରିବାପାଇଁ ଆମର ତିରିଶ ହଜାର ଡଲାର ଆବଶ୍ୟକ । ଆମେ ସେ ଟଙ୍କା କେବେ ପାଇବୁ ଏବଂ କେଉଁଠୁ ପାଇବୁ ଜାଣୁନା । କିନ୍ତୁ ଆମେ ଏକ ଜାଣୁ ଯେ ଆମେ ପାଇବୁ ନିଶ୍ଚୟ । ସେଇ ବିଶ୍ଵାସରେ ଆମେ ଏ ଘର ଆରମ୍ଭ କରିଛୁ ।‘’

 

ମୁଁ ତାଙ୍କୁ ପଚାରିଲି, "କାନେର ସର୍ବଶ୍ରେଷ୍ଠ ଦାନ କ’ଣ ଏବଂ ତାହା କିପରି ବା କାହାଠୁ ମିଳିଥିଲା ?’’

 

ସେ ଉତ୍ତର ଦେଲେ, ତାହା ଆମେ ପାଇଛୁ ଗୋଟିଏ ଦୂର ସହରରେ ଭଡ଼ାଘରେ ବାସ କରୁଥିବା ଗୋଟିଏ ଏକାକିନୀ ବିଧବାଠାରୁ । ସେ ପ୍ରତିବର୍ଷ ଖ୍ରୀଷ୍ଟମାସବେଳକୁ ଏକ ଡଲାର କରି ଆଲିଶ୍ ଲୟଡ଼ଙ୍କ ପାଖକୁ ପଠାଉ ଥିଲା । ମିସେସ୍ ଲୟଡ଼୍ ପ୍ରତ୍ୟେକ ଛୋଟବଡ଼ ଦାନକୁ ନିଜ ହାତରେ ପ୍ରାପ୍ତି ସ୍ଵୀକାର କରନ୍ତି । ତାହା ଏତେ ବେଶି ହେବାକୁ ଲଗିଲା ଯେ ଆମେ କେତେକ ପ୍ରସ୍ତାବ କଲୁ ଯେ ଆମେ ଦସ୍ତଖତ କରିଦେଉଁ । ତାର ପ୍ରତିକ୍ରିୟା ହେଲା ଏଇ ଯେ, ମିସେସ୍ ଲୟଡ଼୍ ଦାତାମାନଙ୍କ ନିକଟକୁ ଆଉରି ଲମ୍ବା ଚିଠି ଲେଖିବାକୁ ଆରମ୍ଭ କଲେ । ଏଇକ୍ରମେ ସେଇ ବିଧବା ସହିତ ତାଙ୍କର ଚିଠି ପରେ ଆଳାପ ଆରମ୍ଭ ହେଲା । ୧୯୫୧ର ଖ୍ରୀଷ୍ଟମାସ । ଆମର ନିଅଣ୍ଟ ଏଗାର ହଜାର ଡଲାରରେ ଆସି ପହଞ୍ଚି ଥାଏ । ଶିକ୍ଷକମାନଙ୍କୁ ଅଦିଆ-ଦରମା ବାବଦରେ ଏଇ ନିଅଣ୍ଟ ପୁରଣ ହେବାର ଖାତାରେ ଦେଖାଇ ଦିଆ ଯାଉଥାଏ । କାରୁସ୍ଲୋନର ଟ୍ରକ୍ ପରି ଶିକ୍ଷକମାନେ ଏଇ ଭାବରେ ବରାବର କାନେର ସେବା କରି ଆସିଥାନ୍ତି । ଏଇ ସମୟରେ ବହୁ ପତ୍ର ଭିତରେ କଣ ଓକିଲଙ୍କ ନିକଟରୁ ଏକ ପତ୍ର ଆସିଲା । ଓକିଲ ସେଇ ବିଧବାର ଓକିଲ । ସେ ଜଣାଇଥିଲେ ଯେ ସେଇ ଏକାକିନୀ ବିଧବା ମରିଯାଇଛି ଏବଂ ତାର ଲୁଗାପଟା, ଅଳଙ୍କାର, ଆସବାବ୍, ବାଙ୍କବଣ୍ଡ ସହିତ ସମସ୍ତ ସମ୍ପତ୍ତି କାନେକୁ ଦେଇଯାଇଛି । ତାର ମୂଲ୍ୟ ହେବ ଚବିଶ ହଜାର ଡଲାର ।‘’

 

ଉପରଲିଖିତ କାରୁସ୍ଲୋନ୍ ଏଗାରଟି ସନ୍ତାନର ପିତା । ତାର ଏକମାତ୍ର ସମ୍ପତ୍ତି ହେଉଛି ଗୋଟିଏ ଟ୍ରକ୍ । ସେଇ ଟ୍ରକ୍‍ରେ ସେ କାନେ କଲେଜର ଜିନିଷ ବୁହେ ଓ ବାଟରେ ଯିଏ ଚାହିଁଲା ତାକୁ ନେଇଯାଏ । ଗୋଟିଏ ଛୋଟ ଛପା କଳ ବସେଇ ସେ କାନେର ଯାହା କିଛି ଛପା ହେବାର କଥା, ତାହା ଛାପି ଦିଏ । କିନ୍ତୁ ସେ କୌଣସି ଦରମା ନିଏ ନାହିଁ । ମୁଁ ତାକୁ ଏକଥା ପଚାରିବାରୁ ସେ କହିଲା, “କାନେ ମୋର ପିଲାଙ୍କୁ ଶିକ୍ଷା ଦେଉଛି । ମୁଁ ଦରମା ନେବି କାହିଁକି ? ବହୁଦିନ ତଳେ ଜଣେ ବ୍ୟବସାୟୀ ଆଲିଶ୍ ଲୟଡ଼୍‍ଙ୍କୁ ବାର୍ଷିକ ତିରିଶ ହଜାର ଡଲାର ଦରମାରେ ଏକ ଚାକିରି ଯାଚିଥିଲେ । ସେ ତାହା ପ୍ରତ୍ୟାଖ୍ୟାନ କରି ଏଠି ବିନା ଦରମାରେ କାମ କରୁଛନ୍ତି; ଆଉ ମୁଁ ମୋ ଟ୍ରକ୍ପାଇଁ ଭଡ଼ା ନେବି ?’’

 

କାରୁସ୍ଲୋନ୍ ପରି କାନେ ଅଞ୍ଚଳରେ ବର୍ତ୍ତମାନ ଅନେକ ଲୋକ ଦେଖାଯାନ୍ତି, ଯେଉଁମାନେ ଆଲିଶ୍ ଲୟଡ଼୍‍ଙ୍କ ସ୍କୁଲ କଲେଜ ଏ ଭୂଖଣ୍ଡର କି ପରିବର୍ତ୍ତନ ଓ କି ଉନ୍ନତି କରିପାରିଛି ତାର ଜ୍ଵଳନ୍ତ ଦୃଷ୍ଟାନ୍ତ । ଏମାନେ ତାଙ୍କ ବାପମାଙ୍କଠାରୁ ଏକ ପୁରୁଷରେ ଶହେବର୍ଷ ଆଗକୁ ଭୁଲିଯାଇଛନ୍ତି କେବଳ ଆର୍ଥୀକ ସମୃଦ୍ଧିରେ ନୁହେଁ, ଶିକ୍ଷା, ସଂସ୍କାର, ଚରିତ୍ର ସବୁଥିରେ । ଏମାନେ ନିଜର ଆଖି ଫିଟିବା ଓ ଡେଣା ଗଜୁରିବାଟାକୁ କେବଳ ନିଜ ସ୍ୱାର୍ଥରେ ଲଗାଇ ନାହାନ୍ତି । ସେମାନେ ନିଜେ ଉଠିବା ସଙ୍ଗେ ସଙ୍ଗେ ବର୍ତ୍ତମାନ ଅନ୍ୟ ପିତିତ ପ୍ରତିବେଶୀଙ୍କୁ ନାନା ଭାବରେ ଉଠେଇବାରେ ଲାଗିଛନ୍ତି ।

 

କାନେ କଲେଜରୁ ବାହାରିଥିବା ଛାତ୍ରଛାତ୍ରୀଙ୍କ ଭିତରେ ବର୍ତ୍ତମାନ ଗଣାଯାନ୍ତି ଦଶଜଣ ଡ଼ାକ୍ତର, ଦଶଜଣ ଓକିଲ, ପନ୍ଦରଜଣ କଲେଜ ତାଲିମ ଇଞ୍ଜିନିଅର, ଚାରିଜଣ ଧର୍ମଯାଜକ, ସାତଜଣ ନର୍ସ, ଚବିଶଜଣ ସରକାରୀ ଅଫିସର, ଅଠରଜଣ ଶିକ୍ଷାବିଭାଗୀୟ କର୍ମଚାରୀ, ୧୦୫ ହେଡ଼ମାଷ୍ଟର, ୧୧୨୫ ସ୍କୁଲଶିକ୍ଷକ ଏବଂ ୨୦୨ ଭିନ୍ନ ଭିନ୍ନ କାମରେ ନିଯୁକ୍ତ ଲୋକ, ବିଶେଷତଃ ବ୍ୟବସାୟରେ । ଏ ହେଉଛି ୧୯୫୩ ସାଲର ଶେଷଆଡ଼ିକାର ହିସାବ । ଏମାନେ ସମସ୍ତେ କାନେର ପାସ୍‍କରା ଛାତ୍ର । କିନ୍ତୁ ଅଣ-ପାସିକ ଛାତ୍ର ପ୍ରାୟ ଆଠଶଯାଏଁ ଅଛନ୍ତି ଯେଉଁମାନେ ମଧ୍ୟ କାନେକୁ ନିଜର ବୋଲି ମନେ କରନ୍ତି ।

 

ଏଇ ଅଣ-ପାସିଆ ଛାତ୍ରଙ୍କ ଭିତରୁ କୋଡ଼ୀ ଜାକବ୍ ଜଣେ । ସେ ଜନ୍ମ ହୋଇଥିଲା ଗୋଟିଏ ଛୋଟ କାଠ କୁଡ଼ିଆରେ । ତା ପିଲାଦିନେ ସେ ଦେଖିଥିଲେ ଯେ ସେ ଅଞ୍ଚଳରେ ଲୋକେ ହାତବୁଣା ଘରତିଆରି ଲୁଗାଇ ପିନ୍ଧୁଥିଲେ । ଦୋକାନ ଜିନିଷ କ’ଣ ଲୋକେ ଜାଣି ନ ଥିଲେ ଏବଂ କ୍ଷେତ କାମପାଇଁ ଯେତେବେଳେ ଖଚର ମିଳୁନଥିଲା, ସେତେବେଳେ ଲୋକମାନେ କାନ୍ଧରେ ଜୁଆଳି ଦେଇ ଜମି ଚଷୁଥିଲେ । ଏହା ସାଧାରଣ ଘଟଣା ଥିବାରୁ କେହି ଅପମାନର ବୋଧ କରୁନଥିଲେ ବା ଅଭିଯୋଗ କରୁନଥିଲେ ।

 

ଏପରି କାଳ ଓ ଅବସ୍ଥାରେ ଜନ୍ମ ହୋଇଥିବା ସେଇ କୋଡ଼ୀ ଏବେ ତାର କୌଳିକ ଚାଷ ବ୍ୟବସାୟ କରୁଥିଲେ ମଧ୍ୟ ତା ବାପଠାରୁ ଏକା ଧାପକେ ବହୁ ଶତାବ୍ଦୀ ଆଗେଇ ଯାଇଛି ଏବଂ ସେ ତାର ସମସ୍ତ ସଂସ୍କାର ଓ ଅଭ୍ୟୁଦୟ ଲାଗି କାନେ କଲେକ ନିକଟରେ କୃତଜ୍ଞ । କାନେ କଲେଜ ତାକୁ ପଶୁରୁ ମଣିଷ କରିଛି ।

 

ତାର ପୂର୍ବପୁରୁଷର ଛୋଟ କୁଡ଼ିଆ ସ୍ଥାନରେ କୋଡ଼ୀ ଏବେ ପ୍ରକାଣ୍ଡ ପ୍ରସ୍ତରହର୍ମ୍ୟ ଠିଆ କରେଇଛି । କିନ୍ତୁ ସେଇ ବିରାଟ ଆବାସର ବାହାର ଓ ଭତର ସମସ୍ତହିଁ କୋଡ଼ୀ ନିଜହାତରେ ବନେଇଛି । ଘରପାଇଁ ଯାହା କାଠ ଦରକାର ହେଲା କୋଡ଼ୀ ନିଜ ହାତରେ ସେ ସବୁ କାଟିଛି । ତାକୁ ନିଜ ହାତରେ ବୋହି ଗୋଟିଏ ନିକଟବର୍ତ୍ତୀ କରତକଳାରେ ଚିରେଇ ଆଣିଛି । ମୂଳଦୁଆ ଓ କାନ୍ଥପାଇଁ ଯେତେ ପଥର ଦରକାର, ତାକୁ ପାହାଡ଼ରୁ କାଟି ପୁଣି ଠିକ୍ ମାପ ଓ ପାଲିଶରେ ପକେଇଛି । ସେ ପଥରକୁ ଉଠେଇବାପାଇଁ ନିଜ ହାତରେ ପୁଲି-ଯନ୍ତ୍ର ତିଆରି କରିଛି । ପଥର ଖୋଳି ୩୫ଫୁଟ ଗହୀର କୂଅ ବନେଇ, ସେଥିରେ ହାତ ପମ୍ପ ବସେଇ ତାର ଘରେ ପାଣିକଳର ବ୍ୟବସ୍ଥା କରିଛି । ଏ ପ୍ରକାର ବ୍ୟବସ୍ଥା ଏ ଅଞ୍ଚଳରେ ପ୍ରଥମ । ଘର ତଳେ ଗୋଟିଏ ଗମ୍ଭୀରା ଘର ବନେଇଛି ଯେଉଁଠି ତାର ଶତ ଶତ ବୋତଲରେ "କୋଳି, ପରିବା, ମାଂସ ସାଇତି ରଖିଥାଏ, ତାର ପିଲାଙ୍କପାଇଁ । ଶେଷରେ ତାର ଝିଅମାନଙ୍କୁ କାନେ ହାଇସ୍କୁଲକୁ ପଠାଇ କୋଡ଼ୀ ପ୍ରକୃତରେ ତାର ପୂର୍ବପୁରୁଷଙ୍କଠାରୁ ଦୁଇଶବର୍ଷ ଆଗକୁ ଚାଲି ଆସିଛି । ତାରି ଝିଅମାନଙ୍କ ଘରେ ସେ ଲଗାଇଦେଇଛି ବିଜୁଳି ଆଲୁଅ ଓ ରଖିଦେଇଛି ଆଲମାରୀ, ବହି ରଖିବାପାଇଁ । ସଭ୍ୟ ମାନବର ଏଇସବୁ ଅପରିହାର୍ଯ୍ୟ ସହଚର ତିରିଶ ବର୍ଷ ତଳେ କାନେରେ କେହି କଳ୍ପନା କରି ପାରିନଥାନ୍ତେ । ନିକଟରେ କୋଡ଼ୀ ଗୋଟିଏ ସ୍ଲେଡ଼୍ ଗାଡ଼ିରେ ଟାଣି ଟାଣି ଏ ଅଞ୍ଚଳର ପ୍ରଥମ ରେଫ୍ରିଜରେଟର୍ ବା ଶୀତଳୀକୋଷ ଘରେ ଆଣି ସ୍ଥାପନା କରିଛି ।

 

ମୁଁ କୋଡ଼ୀ କି ତାର ଭବିଷ୍ୟତ ନେଇ ପଚାରିଲି । ତାର ସାତଟି ପିଲା । ଦୁଇଟି ସେଇଠି ଖେଳୁଥିଲେ । ତାଙ୍କୁ ଦେଖାଇ ସେ କହିଲା, “ସାତରୁ ଦୁଇଟି ଏଇଠି । ଜଣେ ଯଦି ଡାନମାର୍ଟିନ୍ ପରି ଓକିଲଟାଏ ବା ଡେନ୍‍ଜିଲ୍ ବାର୍କର୍ ପରି ଡାକ୍ତରଟାଏ ହୁଏ, ତେବେ ମନୁଷ୍ୟର ଆଉ ଅଧିକା ଆଶା କରିବାର କି ଦରକାର ?’’ ମିସେସ୍ ଲୟଡ଼୍ କହନ୍ତି, “ଯଦି କାନେ କଲେଜ କେବଳ ଡେନଜିଲ୍ ବାର୍କରକୁହିଁ ସୃଷ୍ଟି କରିଥାନ୍ତା, ଆଉ କିଛି ନ କରି ମଧ୍ୟ ଆମେ ମୁଣ୍ଡଟେକି ଠିଆ ହୋଇଥାନ୍ତୁ ।‘’

 

କାନେ ଅଞ୍ଚଳରେ ପ୍ରଥମେ ସ୍କୁଲ ଖୋଲା ହେଲାବେଳେ ଯେ କେତୋଟି ପିଲା ପ୍ରଥମେ ଆସି ଯୋଗ ଦେଇଥିଲେ ଏବଂ ଯାହାଙ୍କ ଗୋଡ଼ ଯେ ପର୍ଯ୍ୟନ୍ତ, ଯୋତା ଦେଖିନଥିଲା ଡେନ୍‍ଲିଜ୍‍ବାର୍କର ସେଇମାନଙ୍କର ଭିତରୁ ଜଣେ । ଭଲ ପଢ଼ିବା ଯୋଗୁ ସେ କାନେ ଖର୍ଚ୍ଚରେ ବରାବର ଉପରକୁ ଉଠି ଉଠି ଡାକ୍ତର ହୋଇ ଫେରି ଏଇ ଅଞ୍ଚଳରେ ବ୍ୟବସାୟ କରୁଛନ୍ତି । ସେ ଦିନରେ ଚାରି ଘଣ୍ଟାରୁ ବେଶି ସମୟ ଶୋଇବାକୁ ପାନ୍ତି ନାହିଁ । ତାଙ୍କର ଦିନ ଆରମ୍ଭ ହୁଏ ରାତି ତିନିଟାରେ ଏବଂ ଶେଷ ହୁଏ ରାତି ଏଗାରଟାରେ । ରୋଗୀଙ୍କୁ ଦେଖା କରିବାରେ ସେ ପ୍ରାୟ ବାର୍ଷିକ ଦଶହଜାର ମାଇଲ ଘୂରନ୍ତି, ଅଥଚ ସେ କାହାକୁ ହେଲେ ଫିସ୍ ବୋଲି କିଛି ମାଗନ୍ତି ନାହିଁ, ଯିଏ ଯାହା ଦେଲା । ମୁଁ ଯେଉଁଦିନ ସକାଳେ ତାଙ୍କୁ ଦେଖା କରିବାକୁ ଯାଇଥିଲି, ସେଦିନ ଗୋଟାଏ ବଖରାରେ ରୋଗୀ ଭର୍ତ୍ତି ହୋଇ ଆଉ ଏକ ବଖରା ପୂର୍ଣ୍ଣ ହେବାକୁ ଯାଉଥିଲା । ସେ ମତେ କହିଲେ, ମୁଁ ବର୍ତ୍ତମାନ ଖାଲି କୌଣସିମତେ, ଦଉଡ଼ି ଧରି ଠିଆ ହୋଇଛି । ଆଉରି ଡାକ୍ତର, ନର୍ସ ପ୍ରସ୍ତୁତ ହେଉଛନ୍ତି । କାନେ କଲେଜ ତା ଦେଖୁଛି । ମୁଁ ପଚାରିଲି, “ଆପଣ କ’ଣ ମନେ କରୁଛନ୍ତି, ଆପଣଙ୍କର ପ୍ରଧାନ ସମସ୍ୟା ?’’ ଟିକିଏ ଭାବି ସେ ଉତ୍ତର ଦେଲେ; ପାଠ ନ ପଢ଼ି ଥିଲେ ମୋର ସମସ୍ୟା ଯାହା ହୋଇଥାନ୍ତା, ଏଠାର ସମସ୍ୟା ପ୍ରକୃତରେ ସେୟା । ସେ ହେଉଛି ମୂର୍ଖତାର ସମସ୍ୟା । ଯାହା ଘଟିଛି, ତାହା ଦୈବ ପ୍ରେରିତ; ତାହାର ପରିବର୍ତ୍ତନ ଅସମ୍ଭବ- ଏଇ ବଶ୍ୱାସ । ଦୁର୍ବିପାକ ସବୁକୁ ଜବତ୍ କରିବାର ଚେଷ୍ଟା ନ କରି ମାନିଯିବାର ଭାଗ୍ୟବାଦୀ ଦୁର୍ବଳତା । ମୋର ସୁବିଧା - ଏଇ ଯେ ମୁଁ ସେଇମାନଙ୍କ ଭିତରୁ ଜଣେ । ତେଣୁ ସେମାନେ ମତେ ବିଶ୍ଵାସ କରନ୍ତି ।

 

ଡାନ୍ ମାର୍ଟିନ୍ ବର୍ତ୍ତମାନ ସମଗ୍ର ନଟ୍ ଜିଲାର ସର୍ବଶ୍ରେଷ୍ଠ ଓକିଲ । କିନ୍ତୁ ଦଳ ଦାରିଦ୍ର୍ୟବଶତଃ ତା ମା ତାକୁ ଆଉ ଜଣକୁ ବିକି ଦେବାକୁ ଯାଉଥିଲା । ସେଇ କ୍ରୟ—ବିକ୍ରୟର ଦଲିଲ ଏ ପର୍ଯ୍ୟନ୍ତ ଅଛି । ଆଲିଶ୍ ଲୟଡ଼୍ ତାକୁ ଛଡ଼ାଇ ଆଣି ପାଖରେ, ରଖିଲେ । ଡାନ୍ ପ୍ରଥମେ କୁକୁଡ଼ାଙ୍କୁ ଦେଖିବାରେ, ଜାଳେଣୀ କାଠ ସଂଗ୍ରହ କରିବାରେ ଓ ଅନ୍ୟାନ୍ୟ ଗୃହ-ଭୃତ୍ୟର ସବୁ କାମ କରିବାରେ ନିଯୁକ୍ତ ହୋଇଥିଲା । ଏଇ କେନ୍ କଲେକ ଗଢ଼ାହେଲାବେଳେ ସେ ମଜୁରିଆ ଭାବରେ କାମ କରି ତାର ପ୍ରଥମ ରୋଜଗାର ନିଜ ହାତରେ ଦେଖି ସେ ଖୁସି ହୋଇଥିଲା । ଏବେ ସେ ସେଇ କଲେଜର ମାନେଜିଂ କମିଟିର ମେମ୍ବର । ଡାନ୍ ତାର ପିଲାଦିନର କଥା ସବୁ ବହୁତ କହେ । ଥରେ ଜଣେ ଡାକ୍ତର ଅଣା ହେଲେ କାନେ ସ୍କୁଲର ପିଲାଙ୍କୁ, ପରୀକ୍ଷା କରିବାପାଇଁ । ସେତେବେଳେ ସେ ଅଞ୍ଚଳରେ ଲୋକେ ଜୋତା ପିନ୍ଧୁ ନ ଥିଲେ । ଡାକ୍ତର:ପିଲାଙ୍କୁ ପରୀକ୍ଷା କରି ଦେଖିଲେ ଯେ ପ୍ରାୟ ପ୍ରତ୍ୟେକଠି ହୁକ୍-ୱାର୍ମ ବା ଆଁକୁଡ଼ା କୃମି ଭର୍ତ୍ତି ହୋଇଛନ୍ତି । ଏ କୃମି ଲୋକଙ୍କ ପାଦଦେଇ ଅନ୍ତ୍ରରେ ପ୍ରବେଶ କରେ । ସେଇଦିନ ମିସେସ୍ ଲୟଦଙ୍କ ଆଦେଶରେ ସମସ୍ତେ ଜୋତା ପିନ୍ଧିବାକୁ ବାଧ୍ୟ ହେଲେ । ଡାକୁ କହେ, “ଆମ ପିଲାଦିନେ ଅନ୍ୟ ଟିମ୍ ସାଥିରେ ଖେଳିବାପାଇଁ ଅଠର କୋଡ଼ିଏ ମାଇଲ ପାହାଡ଼ ପର୍ବତ ‘ଉପରେ ଚାଲିବାକୁ ଆମେ କଛିହିଁ ମନେ କରୁ ନ ଥିଲୁ; ଖେଳି ପୁଣି ୧୮/୨୦ ମାଇଲ ଚାଲି ଆସୁଥିଲୁ ।‘’ ଏବେ ପ୍ରାୟ ଶହେ ବର୍ଗମାଇଲ ଅଞ୍ଚଳରେ ଡାନ୍ ମାର୍ଟିନ ସର୍ବଶ୍ରେଷ୍ଠ ଓକିଲ ବୋଲି ଧରାଯାଏ ଏବଂ ଶୁଣାଯାଏ ଯେ ସେ ଏ ଅଞ୍ଚଳର ପ୍ରାୟ ଉଣିଶ ହଜାର ଲୋକଙ୍କ ନା ଜାଣେ । ବ୍ୟବସାୟର ପ୍ରଚୁର ଅର୍ଥ ଛାଡ଼ି ଏବେ ଡାନ୍ ରାଜନୀତିରେ ପଶିଛି; ଲୋକସଭାର ମେମ୍ବର ହୋଇଛି, ଲୋକଙ୍କର ଉପକାରପାଇଁ । ତାର ରୋଜଗାରରେ କ୍ଷତିର ପ୍ରଶ୍ନ ଉଠେଇଲେ ସେ କହେ, “ମୁଁ ଧନୀ ହେବି ବୋଲି ତ କାନେ ମତେ ପାଠ ପଢ଼େଇ ନ ଥିଲା ।”

 

ଡାନ୍ ମାର୍ଟିନ୍ ବିଶ୍ୱାସ କରେ ଯେ ଲୋକମଙ୍ଗଳକାରୀ ସରକାରର ଆଦ୍ୟ, କର୍ତ୍ତବ୍ୟ ହେଉଛି ଉତ୍ତମ ରାସ୍ତା ଓ ଉତ୍ତମ ସ୍କୁଲ ନିର୍ମାଣ । ଏ ଦୁଇଟି ଯୁଆଡ଼େ ଯିବେ, ଉନ୍ନତି ଓ ଅଭ୍ୟୁଦୟ ତା ପଛେ ପଛେ ଯିବ । କାନେ ଅଞ୍ଚଳରେ ବର୍ତ୍ତମାନ ସେଇଆ ଘଟୁଛି ।

Image

 

ଆମର ଶିଖିବାର କଥା

 

ଉଇଲିୟମ୍ ଡଟନ୍ ତାଙ୍କର ‘ବିଦେଶୀ ରହିଯାଅ’ ପୁସ୍ତକରେ ମିସେସ୍ ଆଲିଶ୍‍ ଲୟଡ଼୍‍ଙ୍କ ସ୍ଥାପିତ ଓ ପରିଚାଳିତ କାନେ ଗୋଷ୍ଠୀ ଯୋଜନା କେନ୍ଦ୍ରର ଯେଉଁ ବର୍ଣ୍ଣନା ଦେଇଛନ୍ତି, ସେଥିରୁ ଆମ ଦେଶର ଲୋକଙ୍କର ଯେତିକି ବୋଧ ହେବ, ବା ଯେତିକି ଆମର ଜାଣିବାର କଥା ତାହା ପୂର୍ବବର୍ତ୍ତୀ ଆଠଟି ଅଧ୍ୟାୟରେ ଏ ସମ୍ପର୍କରେ ଏ ହେଉଛି ଶେଷ ଅଧ୍ୟାୟ ।

 

ବର୍ତ୍ତମାନ ଆମର ଆଲୋଚନା କରିବାର କଥା, ଆମର ଏଇ ମାର୍କିନଦେଶୀୟ ପରୀକ୍ଷା ଓ ଯୋଜନାରୁ କିଛି କଣ ଗ୍ରହଣ କରିବାର ବା ଶିଖିବାର ଅଛି ? କାରଣ, ସେଥିରୁ ଆମର ଶିଖିବାର କିଛି ନାହିଁ, ତାହାର ଆଲୋଚନା କରି ଲାଭ କଣ ? କେବଳ ‘ସମାଜ’ କାଗଜର ସ୍ତମ୍ଭ ପୁର୍ଣ୍ଣ କରିବାପାଇଁ ମୁଁ ମଧ୍ୟ ଉଇଲିୟମ୍: ଡଟନଙ୍କ ବହିର ପ୍ରଚାରରେ ମାତି ନ ଥାନ୍ତି । ଏ ବହିରେ ଯେଉଁ ଶିକ୍ଷାର ଯୋଜନା ଓ ପରୀକ୍ଷାର ବର୍ଣ୍ଣନା ଦେଖିବାକୁ ପାଇଲ, ତାହା ଏକାନ୍ତ ଭାବରେ ଆମଦେଶ ଓ ଆମ ସ୍କୁଲ କଲେଜପାଇଁ ମଧ୍ୟ ପ୍ରଯୁଜ୍ୟ ଓ ପ୍ରୟୋଜିତ ହେବା ଉଚିତ । ଆମର ଶିକ୍ଷାନୁଷ୍ଠାନମାନ ଓ ଶିକ୍ଷାବିଭାଗର ଏଥିରୁ ଅନେକ କଥା ଶିଖିବାର ଅଛି ବୋଲି ଗଭୀର ହୃଦ୍‍ବୋଧ ହେବାରୁହିଁ, ମୁଁ ଦେଶ ଆଗରେ ତାହାର ପ୍ରଚାର କରିଛି ! ଜଣେ ଶିକ୍ଷାବିତ୍ ଭାବରେ ଏହା ମୋର କର୍ତ୍ତବ୍ୟ ବୋଲି ମନେହେଲା ।

 

ବର୍ତ୍ତମାନ ଆଲିଶ୍ ଲୟଡ଼୍‍ଙ୍କ ପରୀକ୍ଷା, ସାଧନା ଓ ସିଦ୍ଧି, ଉପରକୁ ଦୃଷ୍ଟି ଦିଆଯାଉ । ଚାଳିଶ ବର୍ଷ ତଳେ ଏଇ ମାର୍କିନ ମହିଳା ସ୍ଵାସ୍ଥ୍ୟପାଇଁ ଆମେରିକାର ଗୋଟିଏ ଜାଗାକୁ ଯାଇଥିଲେ, ସେଠାରେ ସେ ଦେଖିଲେ ସେ ଅଧିବାସୀମାନେ ଆମେରିକାରେ ଥାଇ ମଧ୍ୟ ଏତେ ଅନୁନ୍ନତ ଯେ ସେମାନେ ବାହାରର ଯେକୌଣସି ଆମେରିକାନକୁ ବିଦେଶୀ ବୋଲି ଧରନ୍ତି । ସେମାନେ ସମସ୍ତେ ନିରକ୍ଷର, ସେମାନେ ଜୋତା ପିନ୍ଧି ଜାଣି ନ ଥିଲେ, ତାଙ୍କ ଘର ଆମ ଦେଶର ଗୁହାଳଠାରୁ ଭିନ୍ନ ନ ଥିଲା, ଚୋରା ମଦ ବିକିବା ଓ. ଖାଇବା ଥିଲା ସାର୍ବଜନୀନ ବ୍ୟବସ୍ଥା ଏବଂ ଟିକକ କଥାରେ ସେମାନେ ନଚ୍ଛାନଚ୍ଛି ହୋଇ ମରୁଥିଲେ । ଏ ଠିକ୍ ଆମର କୋରାପୁଟ ବା ଗଡ଼ଜାତର ଆଭ୍ୟନ୍ତରୀଣ ଅଞ୍ଚଳର କଥା ମନେପକାଇ ଦିଏ । ଏ ଅବସ୍ଥା ଦେଖି ଆଲିଶ୍ ଲୟଡ଼୍ ପ୍ରତିଜ୍ଞା କଲେ ଯେ ସେ ସେଇ ଅଞ୍ଚଳକୁ ସଭ୍ୟ ଶିକ୍ଷିତ କରିବେ । ସେ ଥିଲେ ଦରିଦ୍ର, ସେ ଥିଲେ ରୁଗ୍‍ଣ । କିନ୍ତୁ ଏଇ ରୁଗ୍‍ଣ, ଦରିଦ୍ରା ମହିଳାର ସାହସ, ଧୈର୍ଯ୍ୟ, ମାନବିକତା ଓ ଯୋଜନା ଫଳରେ ଗତ ଚାଳିଶବର୍ଷରେ କେବଳ ଗୋଟିଏ ଦୁଇଟି ଲୋକ ବା ପରିବାର ସେ ସଭ୍ୟ-ଶିକ୍ଷିତ ହୋଇ ପାରିଛନ୍ତି ତାହା ନୁହେଁ, ରୂପାନ୍ତର ଘଟିଛି ଗୋଟିଏ ସମଗ୍ର ଜିଲ୍ଲାର, ଗୋଟିଏ ସମଗ୍ର ଅଞ୍ଚଳର ଏବଂ ବିରାଟ ପରିବର୍ତ୍ତନର ମୂଳପତ୍ତନ ହେଲା ସେଇଦିନ, ଯେଉଁଦିନ କାନେ ଜୋରର ଦରଭଙ୍ଗା ଚାଟଶାଳୀଟି ଉପରେ ଗୋଟିଏ ନୂତନ ଧରଣର ପ୍ରାଇମେରୀ ସ୍କୁଲ ଠିଆ କରାଗଲା । ସେଇ, ପ୍ରାଇମେରୀ ସ୍କୁଲ୍ କ୍ରମେ ହୋଇଛି ହାଇସ୍କୁଲ, ହାଇସ୍କୁଲ ହୋଇଛି କଲେଜ୍ ଏବଂ ଏଇ ସ୍କୁଲ ଓ କଲେଜର ଆଲୋକହିଁ ସେ ସମଗ୍ର, ଅଞ୍ଚଳକୁ ଆଲୋକିତ କରିଛି । ଏଇ ଅନୁଷ୍ଠାନ ବର୍ଷ ପରେ ବର୍ଷ ସୃଷ୍ଟି କରୁଚ୍ଛି ସେ ଅଞ୍ଚଳର ନାନାସ୍ଥାନରେ ନୂଆ ନୂଆ ପ୍ରାଇମେରୀ ହାଇସ୍କୁଲ, କିନ୍ତୁ ସବୁଗୁଡ଼ିକ ସେଇ ‘ଆଦିମାତା ମିସେସ୍ ଲୟଡ଼୍‍ଙ୍କ ଆଦର୍ଶରେ ଅନୁପ୍ରାଣିତ ଏବଂ ସମସ୍ତଙ୍କ ସାମୂହିକ ଚେଷ୍ଟା ଫଳରେ ଯେଉଁ ଲୋକେ ଛକ ପକେଇ ଦସ୍ତଖତ ଦେଉଥିଲେ, ସେଇ ମାଟିରୁହିଁ ବାହାରିଛନ୍ତି ନିପୁଣ ଶିକ୍ଷକ, ଡ଼ାକ୍ତର, ଓକିଲ ଓ ଇଞ୍ଜିନିଅର ଦଳ । ପୁଣି ଆଲିଶ୍ ଲୟାଡ଼୍‍ଙ୍କ ସ୍କୁଲ ସବୁ ପିଲାଙ୍କୁ କେବଳ ଖଣ୍ଡେ ଖଣ୍ଡେ–ସାର୍ଟିଫିକେଟ ଦେବାପାଇଁ ଠିଆହୋଇ ନାହାନ୍ତି, ସେମାନଙ୍କର ଶିକ୍ଷା ଓ ଆଦର୍ଶ ସମଗ୍ର ପାରିପାର୍ଶ୍ୱିକ ସମାଜକୁ ଗଭୀର ଭାବରେ ପ୍ରଭାବିତ କରିଛି । ଫଳରେ ଲୋକ ସ୍କୁଲଘର ପରି ଘର ତିଆରି କରୁଛନ୍ତି ଏବଂ ବେଶ, ଭାଷା, କଥୋପକଥନ ଓ ଚରିତ୍ରରେ ମଧ୍ୟ ସଭ୍ୟ ସମାଜର ଲୋକପରି ବ୍ୟବହାର କରିବାର ଶିଖିଛନ୍ତି । ଚାଳିଶ ବର୍ଷ ଭିତରେ, ମାତ୍ର ଗୋଟିଏ ଲୋକର ଚେଷ୍ଟାରେ ଗୋଟିଏ ବିରାଟ ସମଗ୍ର ଅଞ୍ଚଳର ରୂପାନ୍ତର ଘଟିଛି ଏବଂ ତାହା ହୋଇଛି ଶିକ୍ଷାନୁଷ୍ଠାନ ମାଧ୍ୟମରେ । ତେଣୁ ଆମର ଯେ ଏଥିରୁ ଅନେକ କିଛି ଶିକ୍ଷା କରିବାର ଅଛି ସେଥିପାଇଁ ତର୍କର ଆବଶ୍ୟକ ନାହିଁ ।

 

ଡଟନ୍‍ଙ୍କ ପୁସ୍ତକରେ ଆଲିଶ୍ ଲୟଡ଼୍‍ଙ୍କ କାନେ ସ୍କୁଲ ଓ କାନେ କଲେଜରେ ଯେପରି ବର୍ଣ୍ଣନା ହୋଇଛି, (ଯାହାକି ମୁଁ ପୂର୍ବବର୍ତ୍ତୀ ଆଠଟି ପ୍ରବନ୍ଧରେ ପଠକ ପାଠିକାଙ୍କୁ ଶୁଣାଇ ସାରିଛି) ସେଥିରୁ ନିମ୍ନଲିଖିତ କେତୋଟି ବିଷୟ ଆମର ଶିକ୍ଷାବିଭାଗ ଓ ଶିକ୍ଷାନୁଷ୍ଠାନ ସମ୍ପର୍କୀୟ ସମସ୍ତଙ୍କର ପ୍ରଣିଧାନର ବିଷୟ ବୋଲି ମୁଁ ମନେ କରେ । ମୋର ଦୃଢ଼ ବିଶ୍ୱାସ ସେ ସବୁ ଆମ ଶିକ୍ଷା ପଦ୍ଧତି ଓ ଶିକ୍ଷାନୁଷ୍ଠାନମାନଙ୍କରେ ଯେ ପର୍ଯ୍ୟନ୍ତ ପ୍ରବର୍ତ୍ତିତ, କରା ନ ହୋଇଛି, ସେ ପର୍ଯ୍ୟନ୍ତ ଆମର ସ୍କୁଲ କଲେଜ ମାନଙ୍କଠାରୁ ଦେଶ ଓ ଜାତି ଯାହା ଆଶାକରେ ତାହା ସେମାନେ ତ ଦେଇପାରିବେ ନାହିଁ, ବରଂ ତାର ଯଥେଷ୍ଟ ବିପରୀତ ଫଳ ପ୍ରସବକରି ସମଗ୍ର ଜାତିର ଦେହ ଓ ମନକୁ ସେମାନେ ଦୂଷିତ କରୁଥିବେ, ଯେପରି ଏବେ କରୁଛନ୍ତି । ସେଇ କେତୋଟି ବିଚାରଣୀୟ ବିଷୟ ବର୍ତ୍ତମାନ ଆଲୋଚନା କରାଯାଉ ।

 

ପ୍ରଥମରେ ଦେଖିବାର କଥା ଏଇ ଯେ ଆଲିଶ୍ ଲୟଡ଼୍‍ଙ୍କ ସ୍କୁଲ ବା କଲେଜ ଆମ ଦେଶର ବିଦ୍ୟାଳୟମାନଙ୍କ ପରି ପାରିପାର୍ଶ୍ୱିକ ସମାଜ ସହିତ ଅସମ୍ପୃକ୍ତ, ଅସଂବଦ୍ଧ ବା ଅସଂଲଗ୍ନ ନୁହନ୍ତି । ସେଗୁଡ଼ିକ ସେ ସ୍ଥାନୀୟ ସମାଜ, ଅଞ୍ଚଳ ସଙ୍ଗେ ଓତପ୍ରୋତ ଭାବରେ ଜଡ଼ିତ ଓ ସମସୂତ୍ରରେ ଗ୍ରଥିତ । ଆଲିଶ୍ ଲୟଡ଼୍‍ଙ୍କ ସ୍କୁଲ ଆଉ ଛାତ୍ରାବାସ କାନେର ଦରିଦ୍ର ଅଧିବାସୀଙ୍କ ଘରଠାରୁ କେବଳ ଏତିକି ମାତ୍ର ଭିନ୍ନ ଯେ ସେସବୁରେ ନୂଆକରି ବାତାୟନ ରଖା ଯାଇଥିଲା । ପରେ ସ୍କୁଲର ବାତାୟନ ଅନୁକୃତ ହେଲା ଲୋକଙ୍କ ଘରମାନଙ୍କରେ । ସେଠି ଏବେ ସ୍କୁଲ ଘର ଆଉ ଲୋକଙ୍କ ଘରମାନଙ୍କ ଭିତରେ କିଛି ପ୍ରଭେଦ ନାହିଁ—ଦୂଇ କିସମର ଘର ସ୍ଥାନୀୟ ଉପାଦାନରେ ସାଧାସିଧା ଧରଣରେ ତିଆରି । ସେ ଅଞ୍ଚଳରେ ଲୋକଙ୍କର ଦୈନନ୍ଦିନ ଖାଦ୍ୟ ଯାହା, କାନେ ସ୍କୁଲ କଲେଜମାନଙ୍କରେ ସେଇୟା ଖିଆଯାଏ । କିନ୍ତୁ ଖାଇବା ଓ ରହିବାରେ ଏଇ ସରଳତାକୁ ଛାଡ଼ିଦେଲେ, କାନେ ସ୍କୁଲ ଓ କଲେଜ, ପାରିପାର୍ଶ୍ୱିକ ସମାଜଠାରୁ ଆଉ ସବୁଥିରେ ଭିନ୍ନ-। ଅନ୍ୟ ସବୁ ବିଷୟରେ କାନେ ଅନୁଷ୍ଟାନଗୁଡ଼ିକ ପାରିପାର୍ଶ୍ୱିକ ସମାଜରେ ଯାହା ନ ଥିଲା ବା ନାହିଁ, ତାହା ଏକତ୍ର କରି ବିତରଣ କରିବାକୁ ଚେଷ୍ଟା କରିଛି–ଅର୍ଥାତ୍ ଜ୍ଞାନ; ସଭ୍ୟତା, ସ୍ୱାସ୍ଥ୍ୟ, ନେତୃତ୍ଵ ଆଦି ।

 

ବର୍ତ୍ତମାନ ଏ ଅବସ୍ଥା ସଙ୍ଗେ ଆମ ଶିକ୍ଷାନୁଷ୍ଠାନମାନଙ୍କର ତୁଳନା କରାଯାଉ । ଆମ ଦେଶରେ ପିଲାଙ୍କ ଘର ଓ ପିଲାଙ୍କ ସ୍କୁଲ ଏବଂ କଲେଜ ଭିତରେ ବିରାଟ ବ୍ୟବଧାନ । ଆମ, ସ୍କୁଲ କଲେଜରେ ଯେଉ ଜ୍ଞାନ ବିତରଣ କରାଯାଏ, ଯେଉଁ ଲକ୍ଷ୍ୟ ଦିଗରେ ପିଲାଙ୍କୁ ପରିଚାଳିତ କରାଯାଏ, ଯେପରି ଭାବରେ ସେମାନେ ଦୈନନ୍ଦିନ–ଜୀବନଯାପନ କରନ୍ତି, ଲୁଗା ପିନ୍ଧନ୍ତି, ତାହା ପାରିପାର୍ଶ୍ୱିକ ସମାଜ ସଙ୍ଗେ ଏକାବେଳେ ସମ୍ପର୍କଚ୍ୟୁତ । ପିଲେ ପଢ଼ୁଥିବା ପାଠ ଗାଁର ଚଷା ବା ବଢ଼େଇ ବା କମାରର କୌଣସି କାମରେ ଲାଗି ପାରିବ ନାହିଁ । ପିଲା କାହିଁକି ପଢ଼ୁଛି ତାର ବାପ ମା' ବି ଜାଣନ୍ତି ନାହିଁ । ସେ ବି ଜାଣେନାହିଁ । କିନ୍ତୁ ଅଜ୍ଞାତସାରରେ ପିଲା, ମନ ଓ ଦେହରେ ଏପରି ବଢ଼ୁଛି ଯେ, ସେ ଆଉ ବାପ ମା’ଙ୍କ କର୍ମସ୍ଥଳକୁ ଫେରିବାକୁ ନାରାଜ ।

 

ଆମ ଦେଶରେ ସ୍କୁଲ ଓ ଘର ଭିତରେ ବ୍ୟବଧାନ, ପୁଣି ସ୍କୁଲ ଓ କଲେଜ ଭିତରେ ବ୍ୟବଧାନ - ଆଲିଶ୍ ଲୟଡ଼୍‍ଙ୍କୁ ସ୍ଥାପିତ ସବୁ ପ୍ରାଇମେରୀ ଓ ହାଇସ୍କୁଲ ମାଳା, କାନେର କଲେଜଟି ସହିତ, ସମସୂତ୍ରରେ ଗ୍ରଥିତ । ସମସ୍ତେ ନିଜ ଆଦର୍ଶରେ ଅନୁପ୍ରାଣିତ । ପ୍ରତିଷ୍ଠିତ ଲକ୍ଷ୍ୟ ଦିଗରେ ପିଲାଙ୍କୁ ପ୍ରାଇମେରୀ ସ୍କୁଲରୁ ତାଲିମ୍ କରିବା ଆରମ୍ଭ କରାଯାଏ ଏବଂ ତାର ସମାପ୍ତି ହୁଏ ବିଶ୍ଵବିଦ୍ୟାଳୟରେ ପରେ ପିଲା ପୁଣି ଜନ୍ମମାଟିକି ଫେରି ଆସିବାରେ । ଆଲିଶ୍‍ଙ୍କ କଲେଜ କେବଳ ଗୋଟିଏ ସାର୍ଟିଫିକେଟ ଦାୟିନୀ ଅନୁଷ୍ଠାନ ନୁହେଁ, ଏହା ଗୋଟିଏ ସମଗ୍ର ଜିଲ୍ଲାର, ସମଗ୍ର ଅଞ୍ଚଳର ହୃତପିଣ୍ଡସ୍ୱରୂପ । ଏହା ବର୍ତ୍ତମାନ କାନେଗୋଷ୍ଠୀ, ଯୋଜନା କେନ୍ଦ୍ର । ସେ ଅଞ୍ଚଳର ସର୍ବବିଧ ଉନ୍ନତିର ଉତ୍ସ ହେଉଛି ଏଇ କଲେଜ ।

 

ଆମର, ଶିକ୍ଷାନୁଷ୍ଠାନଗୁଡ଼ିକ ଏଇପରି ଭାବରେ ଗୋଟିଏ ଗୋଟିଏ ଛୋଟ, ବଡ଼ ଅଞ୍ଚଳର ସର୍ବ-କେନ୍ଦ୍ର ହୋଇ ଠିଆ ନ ହେଲା ପର୍ଯ୍ୟନ୍ତ ଯେତେ କମିଟି ଯେତେ ରିପୋର୍ଟ ବାହାର କରନ୍ତୁ ବା ଯେତେ ଅର୍ଥ ବ୍ୟୟିତ ହେଉ, ସେସବୁର କୌଣସି ଉଚିତ ସାର୍ଥକତା ଆସିବ ବୋଲି ମୁଁ ବିଶ୍ଵାସ କରୁନାହିଁ । ପ୍ରାୟ ପନ୍ଦରବର୍ଷ ତଳେ ମୁଁ ମୋର Citizen Education ବା ନାଗରିକ ଶିକ୍ଷା ନାମକ ପୁସ୍ତକରେ ଯେଉଁ ଉଦାହରଣ ଦେଇଥିଲି, ତାହା ଏ ସଂପର୍କରେ ଆଲିଶ୍‍ଙ୍କ କାନେଗୋଷ୍ଠୀ ଯୋଜନା ସଙ୍ଗେ ମିଳିଯାଉଥିବାରୁ ଏଠାରେ ଦେଶର ଶିକ୍ଷାନୁବର୍ଗମାନଙ୍କୁ ପୁଣି ତାହା ସ୍ମରଣ କରାଇ ଦେଉଛି ।

 

ମୁଁ କହିଥିଲି (ଏବଂ ଏବେ ବି କହୁଛି) ଯେ ଆଲିଶ୍‍ଙ୍କ ଯୋଜନାରେ ନଟ ଜିଲ୍ଲାପରି ଆମର ପ୍ରତ୍ୟେକ ଜିଲ୍ଲାକୁ ଶିକ୍ଷାର ଗୋଟିଏ ସ୍ଵୟଂ ସଂପୂର୍ଣ୍ଣ ଏକକ ଧରାଯାଉ । ଧର ପୁରୀ ଜିଲ୍ଲା । ଏଇ ଜିଲ୍ଲାରେ ଶିକ୍ଷାବ୍ୟବସ୍ଥାକୁ ଗୋଟିଏ ପିରାମିଡ଼ ଆକାରରେ କଳ୍ପନା କରାଯାଉ । ଏଇ ପିରାମିଡ଼ ସର୍ବପ୍ରସାରୀ ମୂଳଦୁଆ ହେଇ ପ୍ରାଇମେରୀ ସ୍କୁଲ । ତା ପରେ କ୍ରମ-ସୂକ୍ଷ୍ମୀକୃତ ପରିମାଣରେ ଆସିବେ ମିଡ଼ିଲ-ସ୍କୁଲ, ତା ପରେ ହାଇସ୍କୁଲ, ସର୍ବୋଚ୍ଚ ବିନ୍ଦୁ ହେବ କଲେଜ । ଏଇ ସମଗ୍ର ପରାମିଡ଼୍ ଗୋଟିଏ ଗଭୀର ସଂବନ୍ଧ-ଜଡ଼ିତ କୁଟୁମ୍ଭ । ସର୍ବୋଚ୍ଚ ବିନ୍ଦୁରେ ଥିବା କଲେଜର ପ୍ରିନ୍ସିପାଲ ଓ ଅଧ୍ୟାପକମାନଙ୍କର ନିବିଡ଼ ସମ୍ବନ୍ଧ ରହିବ ପ୍ରାଇମେରୀ ସ୍କୁଲ ସହିତ । ବସ୍ତୁତଃ ଜିଲାର ସର୍ବୋଚ୍ଚ ଶିକ୍ଷାନୁଷ୍ଠାନର ମୁଖ୍ୟକର୍ତ୍ତା, ଜିଲ୍ଲାର ସମଗ୍ର ଶିକ୍ଷା ବ୍ୟବସ୍ଥାର ସର୍ବୋଚ୍ଚ ପରିଚାଳକ ହେବା ଉଚିତ । ଏହାର ଫଳ ଏଇ ହେବ ଯେ, ପ୍ରାଇମେରୀ କଲେଜଯାଏଁ ପିଲାଏ ଗୋଟାଏ ଲକ୍ଷ୍ୟ, ଗୋଟାଏ ଆଦର୍ଶ, ଗୋଟାଏ ପଦ୍ଧତିରେ ଗଢ଼ାହୋଇ ଆସିବେ । କାନେରେ ସେଇୟା ହୋଇଛି । ଆମ ଦେଶରେ ଅଗା ବଗା ଖଗା, ତିନି ତିନି ଅଲଗା । କଲେଜ ଦେଉଛି ଦୋଷ ହାଇସ୍କୁଲକୁ, ହାଇସ୍କୁଲ ଦୋଷ ଦେଉଛି ପ୍ରାଇମେରୀକୁ, ପ୍ରାଇମେରୀ ବକିବାରେ ଲାଗିଛି ସରକାରକୁ । କାହାର କାହା ସଙ୍ଗେ ପରିଚୟ ବା ସମ୍ପର୍କ ନାହିଁ । ସମସ୍ତଙ୍କୁ ଏକାଠି କରି ଏକ ଲକ୍ଷ୍ୟ, ଏକ ଆଦର୍ଶରେ ଅନୁପ୍ରାଣିତ ଓ ପରିଚାଳିତ କରିବାର କୌଣସି ଅନୁଷ୍ଠାନ ନାହିଁ । ସେ ପୁଣି ପ୍ରତି ସ୍କୁଲ ବା କଲେଜ, ନିଜ ନିଜର ପାରିପାର୍ଶ୍ଵିକ ସମାଜ ସହିତ ସମ୍ପର୍କହୀନ । ଏପରି ଅରାଜକ ଅବସ୍ଥାରେ ଫଳ ଯାହା ହେବାର କଥା ତାହା ହେଉଛି ।

 

ଦ୍ୱିତୀୟ କଥା ହେଉଛି କାନେ ଅନୁଷ୍ଠାନର ଲକ୍ଷ୍ୟ । ଆମ ଦେଶର ସ୍କୁଲ, କଲେଜ ପରି କାନେ ସ୍କୁଲ ବା କଲେଜ ସାର୍ଟିଫିକେଟ ଯୋଗାଡ଼ କରିବାପାଇଁ ବସାଯାଇ ନାହିଁ । କାନେ କଲେଜ ବା ସ୍କୁଲର ଲକ୍ଷ୍ୟ ହେଉଛି ସେଗୁଡ଼ିକ ଯେଉଁ ମାଟି ଉପରେ ଠିଆହେଲେ, ତାକୁଇ ଶ୍ରୀସମ୍ପନ୍ନ ଓ ସମୃଦ୍ଧିବନ୍ତ କରିବା । କାନେ ସ୍କୁଲ ବା କଲେଜରେ କେହି ପିଲେ ବେତନ ଦିଅନ୍ତି ନାହିଁ । କିନ୍ତୁ ଆଲିଶ୍ ଲୟଡ଼୍‍ଙ୍କ ନିକଟରେ ପ୍ରତି ଛାତ୍ର ଓ ଛାତ୍ରୀକୁ ମୌଖିକ ପ୍ରତିଜ୍ଞା କରିବାକୁ ପଡ଼େ ଯେ ସେମାନେ ସ୍କୁଲ, କଲେଜ ବା ବିଶ୍ଵବିଦ୍ୟାଳୟର ପାଠ ଶେଷ କରି ଦିନେନା ଦିନେ ସେଇ ଅନୁଷ୍ଠିତ ଜନ୍ମମାଟିକୁ ଫେରିଆସି ନିଜ ଶକ୍ତି ଅନୁଯାୟୀ ଲୋକଙ୍କର ସେବା କରିବେ । ଏଇ ଅସାଧାରଣ ପ୍ରଥା ଯୋଗୁହିଁ ଅଳ୍ପକାଳ ଭିତରେ କାନେ ଅଞ୍ଚଳର ମୁଖ ପରିବର୍ତ୍ତନ ହୋଇ ପାରିଛି ଏବଂ ଆଲିଶ୍‍ଙ୍କ ବିଦ୍ୟାଳୟଗୁଡ଼ିକ ପ୍ରକୃତରେ ନଟ୍ ଜିଲ୍ଲାର ହୃତପିଣ୍ଡ ହୋଇ ପାରିଛି । ଯେଉଁଠି ପୂର୍ବେ ଲୋକେ ନାଁ ଦସକତ୍ କରିପାରୁ ନ ଥିଲେ, ସଠି ଏବେ ଉତ୍‍କୃଷ୍ଟ ଶିକ୍ଷକ, ଶିକ୍ଷୟିତ୍ରୀ, ଡାକ୍ତର, ନର୍ସ, ଓକିଲ, ଇଞ୍ଜିନିୟର ମାଳମାଳ । ସେମାନେ ପୁଣି ଆମ ହୀରାକୁଦ, ରାଉରକେଲା ବ୍ୟବସ୍ଥା ପରି ବାହାର ଲୋକ ନୁହଁନ୍ତି, ସେମାନେ ସେଇ ଅସଭ୍ୟ ଅନୁନ୍ନତ ମାଟିରୁହିଁ ବାହାରିଛନ୍ତି ।

 

ଓଡ଼ିଶାର ଗୋଟିଏ ହେଲେ ମଫସଲ ହାଇସ୍କୁଲ ଯଦି ଏଇ ଆଦର୍ଶ ଗ୍ରହଣ କରନ୍ତି ଓ ପିଲେ ସତ୍ୟରକ୍ଷା କରନ୍ତେ, ଯେପରି କାନେର ଛାତ୍ର କରୁଛନ୍ତି, ତାହେଲେ ଆଗାମୀ କୋଡ଼ିଏ ବର୍ଷ ଭିତରେ ଏ ଦେଶର ମଧ୍ୟ ଯେ ପ୍ରକୃତ ରୂପାନ୍ତର ଘଟନ୍ତା ଏଥିରେ କୌଣସି ସନ୍ଦେହ ନାହିଁ ।

 

ତୃତୀୟ କଥା ହେଲା କାନେ ଅନୁଷ୍ଠାନମାନଙ୍କରେ ଟଙ୍କାରେ ଫିସ୍ ନିଆଯାଏ ନାହିଁ । ତେବେ କଣ, ଯେଇଚ୍ଛା ସେ ସେଠିକି ପାଇପାରିବ ?

 

ଆଲିଶ୍ ଲୟଡ଼୍ ଟଙ୍କାରେ ଫିସ୍ ନିଅନ୍ତି ନାହିଁ, ନିଅନ୍ତି ବୃଦ୍ଧି, ବିଚକ୍ଷଣତା, ସ୍ୱଭାବ, ଚରିତ୍ରର ପୁଣି ଶ୍ରମର । ଝିଅମାନେ ରନ୍ଧାବଢ଼ା ପରଷାପରଷି କାମ କରନ୍ତି, ପୁଅମାନେ କାଠ କଟା, ପାଣିବୁହା ଆଦି କରନ୍ତି । ଥିଲା ନ ଥିଲା ସକୁ ବାପାଏ ଦ୍ରବ୍ୟ ଆକାରରେ କିଛି କିଛି ସାହାଯ୍ୟ କରନ୍ତି । କିନ୍ତୁ ଅସଲ ଫିସ୍ ହେଉଛି ମାନସିକ ଓ ଶାରିରୀକ ଶକ୍ତି । ଏହାର ମାପ କାଠ ଅତି ଉଚ୍ଚ । ପୁଣି କାହା ପ୍ରତି କୌଣସି ଉପ୍ରୋଧ ନ ରଖି ତାହା ବ୍ୟବହାର କରଯାଇ ଥାଏ । ସ୍କୁଲରେ ଯେଉଁମାନେ ନା ଲେଖାଇବାକୁ ଆସନ୍ତି, ସେଥିରୁ ଦୁଇ ତୃତୀୟାଂଶ ଛାଡ଼ି ପଳାନ୍ତି—ପରୀକ୍ଷା ଏତେ କଠିନ ପଡ଼େ । ସ୍କୁଲରୁ କଲେଜକୁ ଯିବାପାଇଁ ଶତକରା ଦଶରୁ ବେଶି ଉପଯୁକ୍ତ ବିବେଚିତ ହୁଅନ୍ତି ନାହିଁ ।

 

ଆମ ଦେଶରେ ଏ ମାନଦଣ୍ଡ କାହିଁ ? ଶିକ୍ଷାର ଅଧୋଗତି ଏପରି ହେଲାଣି ଯେ ବିଶ୍ୱ ବିଦ୍ୟାଳୟର ଉଚ୍ଚତମ ଡିଗ୍ରୀଧାରୀ ମଧ୍ୟ ଚିଠିଟିଏ ଲେଖିଲେ ସେଥିରେ ବର୍ଣ୍ଣାଶୁଦ୍ଧି ରହୁଛି; ତେଣେ ତଥାକଥିତ ଶିକ୍ଷିତ ଲୋକ ବେକାର ବସୁଛନ୍ତି । ଏ ଦୁଇ ବ୍ୟାପାର ସେ ପରସ୍ପର ସହିତ ଘନିଷ୍ଠଭାବରେ ସମ୍ପୃକ୍ତ ଏହା ଯେ କୌଣସି ବୁଦ୍ଧିମାନ ଲୋକ ଦେଖିପାରିବ । ଶିକ୍ଷା ଓ ପରୀକ୍ଷାର ମାନଦଣ୍ଡ କାନେ ପ୍ରଶ୍ନ ଉଚ୍ଚ ରଖାଯାଉ, ଦେଖିବ, ଦେଶରେ ଶିକ୍ଷିତ-ବେକାର ସମସ୍ୟା କଥା ଶୁଣାଯିବ ନାହିଁ । ଗୋଟିଏ ଜିଲ୍ଲା ବା ଅଞ୍ଚଳକୁ ଶିକ୍ଷାବ୍ୟବସ୍ଥାର ଗୋଟିଏ ଏକକ କରି ଧରା ହେଲେ ସେଇ ଅଞ୍ଚଳ ବା ଜିଲ୍ଲାର ଆକଶ୍ୟକତାନୁଯାୟୀ ଅର୍ଥଶାସ୍ତ୍ରର ପ୍ରୟୋଜନ-ଆୟୋଜନରେ ହାଇସ୍କୁଲ ଓ କଲେଜରୁ ପିଲେ ବାହାରନ୍ତେ, ଆବଶ୍ୟକତାନୁଯାୟୀ ଡାକ୍ତର, ଇଞ୍ଜିନିୟର, ନର୍ସ ତିଆରି ହୋଇ ଆସନ୍ତେ, ବେକାର ସମସ୍ୟା ଦେଖାଯାନ୍ତା ନାହିଁ । ଅଥଚ ଯେ କେତୋଟି ଶିକ୍ଷିତ ହୋଇ ବାହାରି ଯେଉଁଠି ଯେଉଁ ଭାବରେ କାମ କରନ୍ତେ ସେଗୁଡ଼ିକ ପ୍ରତ୍ୟେକେ ଜାତିର ସ୍ତମ୍ଭ ବୋଲି ଗଣା ହୁଅନ୍ତେ-। ଆଲିଶ୍‍ଙ୍କ ଛାତ୍ରଛାତ୍ରୀ ଏଇ ଧରଣର ।
 

ଚତୁର୍ଥ କଥା ଦେଖିବାର ଏଇ ଯେ, କାନେ ଅନୁଷ୍ଠାନ ମାନଙ୍କରେ ବଞ୍ଚିବାର ସାରଲ୍ୟ ଓ ଶ୍ରମ-ସମ୍ମାନ । ଧନୀ ବା ଗରିବ କେହି ଫିସ୍ ଦେବେନାହିଁ । ଫିସ୍ କେବଳ ବୁଦ୍ଧି, ଚରିତ୍ର ଓ ଶ୍ରମଶକ୍ତିର । ପୁଣି ଧନୀ ଦରିଦ୍ର ନିର୍ବିଶେଷରେ ସମସ୍ତେ ଶ୍ରମ କରିବେ ଓ ସମ-ବସ୍ତ୍ର ହୋଇ ଚଳିବେ-। ସ୍କୁଲର ନିର୍ଦ୍ଧାରିତ ବସ୍ତ୍ର ଛଡ଼ା ଅନ୍ୟ ବସ୍ତ୍ର ମଧ୍ୟ ବ୍ୟବହାର କରିପାରିବେ ନାହିଁ ।

 

ହାଇସ୍କୁଲ ସଙ୍ଗେ ଶିକ୍ଷକ ଓ ଇନସ୍‍ପେକ୍ଟର ଭାବରେ ସମ୍ପୃକ୍ତ ଥିଲାବେଳେ ମୁଁ ଏ ଦିଗରେ ସମାନ୍ୟ ପରୀକ୍ଷା କରିଥିଲି । ମୋର ମନେଅଛି ମୁଁ ଇନସ୍‍ପେକ୍ଟର ଭାବରେ ସ୍କୁଲମାନଙ୍କୁ ସର୍କ୍ୟୁଲାର ଦେଇଥିଲି ଯେ ସ୍କୁଲ ଛାତ୍ରାବାସମାନଙ୍କରେ କୌଣସି ଧନୀ ପିଲାକୁ ଅଲଗାଭାବରେ ଖାଇବାକୁ, ସିଲ୍‍କ ବା ଜୋତା ପିନ୍ଧିବାକୁ ଦିଆଯିବା ଉଚିତ ହେବ ନାହିଁ । ଛାତ୍ରାବାସରେ ସମସ୍ତେ ସମାନ ଅବସ୍ଥାରେ ଚଳିବେ; ସମସ୍ତେ ଯଥାଶକ୍ତି ଆତ୍ମ-ଶ୍ରମ ଦ୍ଵାରା ସମୂହ ପରିଚାଳନାରେ ସହାୟତା କରିବେ । ମୋର ନିକଟରେ ପ୍ରକାଶିତ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ପୁସ୍ତକରେ ମଧ୍ୟ ମୁଁ ଏଇସବୁ ଉପରେ ଜୋର ଦେଇଛି । ଶିକ୍ଷକ ଓ ପରିଦର୍ଶକମାନେ ଏଆଡ଼କୁ ଦୃଷ୍ଟି ଦେଲେଇ ଅନେକ ପରିବର୍ତ୍ତନ ଆପେ ଆପେ ଆସିଯାନ୍ତା ।

 

ପଞ୍ଚମ କଥା ହେଉଛି ଆଲିଶ୍ ଲୟଡ଼୍‍ଙ୍କ ସ୍କୁଲ ଓ କଲେଜ କିପରି ସ୍ଵାଧୀନ ଭାବରେ ସ୍ଵୟଂନିର୍ଭର ହୋଇ ବଢ଼ି ଚାଲିଛି । ଆଲିଶ୍ ପିଲାଙ୍କଠୁ ତ ବେତନ ନିଅନ୍ତି ନାହିଁ, ଏଣୁ ପୁଣି ସରକାରଙ୍କଠାରୁ ମଧ୍ୟ କୌଣସି ଗ୍ରାଣ୍ଡ୍ ନିଅନ୍ତି ନାହିଁ । ଅଥଚ ତାଙ୍କ ପିଲାଙ୍କପାଇଁ ଆମେରିକାର ସର୍ବଶ୍ରେଷ୍ଠ ବିଶ୍ଵବିଦ୍ୟାଳୟମାନଙ୍କର ଦ୍ଵାର ଉନ୍‍ମୁକ୍ତ । ତାଙ୍କ ସ୍କୁଲ ଓ କଲେଜର ପାଠ୍ୟ-ନିର୍ଘଣ୍ଟ ସେ ପରିପାର୍ଶ୍ଵିକ ଚାହିଦା ଅନୁସାରେ ନିଜେ ତିଆରି କରିଛନ୍ତି । ପାରିପାର୍ଶ୍ଵିକ ଚାହିଦା ଉପରେ ଆଖି ରଖିବାରୁ, ପରିପାର୍ଶ୍ଵର ଲୋକେ ତାଙ୍କ ସ୍କୁଲ କଲେଜକୁ ନିଜର ବୋଲି ମନେ କରୁଛନ୍ତି ଏବଂ ସେଇମାନଙ୍କର ସହାୟତାରେହିଁ ସ୍କୁଲଗୁଡ଼ିକ ସେଇଠାର ମାଟିରୁ ଗଛ ଉଠିଲା ପରି ସ୍ଵାଭାବିକ ଭାବରେ ବଢ଼ି ଉଠିଛନ୍ତି । ଆମ ଦେଶରେ ସ୍କୁଲଘର, ଶିକ୍ଷକ, ସିଲାବସ୍, ପାଠ୍ୟବହି, ପରୀକ୍ଷାସବୁ ଉପରୁ ଲଦା ହେଉଛି । ତେଣୁ ସ୍କୁଲ ସବୁର ଚେର ମାଟିଭିତରେ ପଶିପାରୁ ନାହିଁ । ପ୍ରତ୍ୟେକ ସ୍କୁଲ ଏପରିକି ପ୍ରାଇମେରୀ ସ୍କୁଲକୁ ମଧ୍ୟ ପୁରା ସ୍ଵାଧୀନତା ଦେବାପାଇଁ ମୁଁ ବହୁବର୍ଷ ହେଲା ମତ ପ୍ରକାଶ କରି ଆସୁଛି, କିନ୍ତୁ କେହି ଶୁଣିବାକୁ ନାହିଁ ! ତାହା ନ ହେଲା ପର୍ଯ୍ୟନ୍ତ ସ୍କୁଲ ଓ ସ୍କୁଲ ଶିକ୍ଷକ ଦେଶ ଓ ଜାତି ସେମାନଙ୍କଠାରୁ ଯାହା ଆଶା କରୁଛି, ତାହା ସେମାନେ କେବେହେଲେ ପୁରା ଭାବରେ ଦେଇପାରିବେ ନାହିଁ ।

 

ଷଷ୍ଠ କଥା ହେଉଛି ଏଇ ଯେ କାନେ କଲେଜ କର୍ତ୍ତୃପକ୍ଷ ଯେଉଁ ଛାତ୍ରଙ୍କଠାରେ ନେତୃତ୍ଵର ଭବିଷ୍ୟତ ଦେଖିପାରନ୍ତି, ସେମାନଙ୍କର ଶିକ୍ଷାର ସମସ୍ତ ଭାର ସେମାନେ ନେଇଥାନ୍ତି । ଏଇପରି ଭାବରେ ସେ ଅଞ୍ଚଳର ଡାକ୍ତର, ନର୍ସ, ଇଞ୍ଜିନିୟର, ଓକିଲ ତିଆରି ହେଉଛନ୍ତି । ସେ ସବୁର ଦୃଷ୍ଟାନ୍ତ ପୂର୍ବରୁ ଦିଆଯାଇଛି ।

 

ଏଇ ଆଲୋଚନାରୁ ଯାହା ତାତ୍ପର୍ଯ୍ୟ ବାହାରୁଛି ଏବଂ ଯାହା ମୁଁ ମନେ କରୁଛି ଯେ ଆମ ଶିକ୍ଷା ବ୍ୟବସ୍ଥାରେ ପ୍ରବର୍ତ୍ତିତ ହେବା ଏକାନ୍ତ ଉଚିତ ସେଗୁଡ଼ିକ:-

 

(୧)

ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ପ୍ରାଇମେରୀ ବା ହାଇସ୍କୁଲ ବା କଲେଜ) ଗୋଟିଏ ଗୋଟିଏ ଛୋଟ ବଡ଼ ନିର୍ଦ୍ଧିଷ୍ଟ 'ଅଞ୍ଚଳର ସାମୁହିକ ଜୀବନର କେନ୍ଦ୍ର ରୂପେ ବିବେଚିତ ଓ ବ୍ୟବସ୍ଥିତ ହେବେ । ପୁଣି ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳର ଯେତେ ପ୍ରକାର ଶିକ୍ଷାନୁଷ୍ଠାନ, ସମସ୍ତଙ୍କର ସମନ୍ଵୟ କରି ସମଗ୍ର ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ଗୋଟିଏ ଏକକ ରୂପେ ଧରାଯାଇ ଗୋଟିଏ ଲକ୍ଷ୍ୟ ଓ ଗୋଟିଏ ଆଦର୍ଶରେ ସେଗୁଡ଼ିକୁ ଅନୁପ୍ରାଣିତ କରାଯିବ ।

 

 

(୨)

ପ୍ରତ୍ୟେକ ଶିକ୍ଷାନୁଷ୍ଠାନକୁ ଯଥାସମ୍ଭବ ସ୍ଵାଧୀନ ଓ ସ୍ଵୟଂସମ୍ପୂର୍ଣ୍ଣ ଭାବରେ ବଢ଼ିବାକୁ ଦିଆଯିବ । ଶିକ୍ଷକମାନେ ପୂର୍ଣ୍ଣ ସ୍ଵାଧୀନ ହେବେ । କେଉଁ ପାଠ୍ୟପୁସ୍ତକ ଗ୍ରହଣ କରିବେ ବା ନ କରିବେ, ନିଜ ସିଲାବସ୍ ନିଜେ ଗଢ଼ି ପାରିବାରେ ବା ଶିକ୍ଷାବିଭାଗର ସିଲାବସରେ ସ୍ଥାନୀୟ ପ୍ରୟୋଜନ ଅନୁଯାୟୀ ଅଦଳ ବଦଳ କରିବାରେ ସେମାନଙ୍କର ପୁରା ସ୍ଵାଧୀନତା ରହିବା ଉଚିତ ।

 

 

(୩)

କୌଣସି ହେଲେ ଛାତ୍ର ବା ଛାତ୍ରୀଙ୍କଠାରୁ ବେତନ ନିଆଯିବ ନାହିଁ–ଶିକ୍ଷାର କୌଣସି ସ୍ତରରେ । ଶିକ୍ଷା ନୁଷ୍ଠାନରେ ପ୍ରବେଶର ଏକମାତ୍ର ଫିସ୍ ହେବ, ବୁଦ୍ଧି ଓ ଚରିତ୍ରର ଉତ୍କର୍ଷ । ପାଠର ମାନଦଣ୍ଡ ବରାବର ଉଚ୍ଚ ରହିବ, ଯେପରିକି ତାହା ଯେକୌଣସି ସ୍ଥାନରେ ସମ୍ମାନ ପାଇବ ।

 

 

(୪)

ଶିକ୍ଷାନୁଷ୍ଠାନମାନଙ୍କରେ ଦୈନନ୍ଦିନ ଜୀବନ ପରରିଚାଳିତ ହେବ ଛାତ୍ର ଛାତ୍ରୀଙ୍କ ଦୈହିକ ଶ୍ରମ ଉପରେ । ସଂଯମ ଓ ସାରଲ୍ୟ ବିଦ୍ୟାଳୟ ଜୀବନର ପ୍ରଧାନ ନୀତି ହେବ । ଧନୀ ଦରିଦ୍ର ସମସ୍ତେ ଏକ ଖାଦ୍ୟ ଖାଇବେ, ଏକ ବସନ ପିନ୍ଧିବେ ଓ ଏକ ଜୀବନ ଯାପନ କରିବେ ।

 

 

(୫)

ଯେଉଁମାନେ ବୁଦ୍ଧି, ବିଦ୍ୟା, ଚରିତ୍ରରେ ଉତ୍‍କୃଷ୍ଟ ବିବେଚିତ ହେବେ କର୍ତ୍ତୃପକ୍ଷ ସେମାନଙ୍କର ଉଚ୍ଚଶିକ୍ଷାର ସମସ୍ତ ଖର୍ଚ୍ଚ ବହନ କରିବ । ପୁଣି ପ୍ରତି ଛାତ୍ର ଓ ଛାତ୍ରୀଙ୍କଠାରୁ ପ୍ରତିଶ୍ରୁତି ନିଆଯିବ ଯେ ସେମାନେ ନିଜ ମାଟିକୁ ଶ୍ରୀମନ୍ତ କରିବାପାଇଁ ଯଥାଶକ୍ତି ଚେଷ୍ଟା କରିବେ ।

 

 

 

ଆମ ଦେଶରେ ବର୍ତ୍ତମାନ ଶିକ୍ଷାପଦ୍ଧତିର ପରିବର୍ତ୍ତନପାଇଁ ଚେଷ୍ଟା ଚାଲିଛି । ପୁଣି ଶ୍ରେଣୀହୀନ ଜନମଙ୍ଗଳକାରୀ ରାଷ୍ଟ୍ର ଆଦର୍ଶ ବୋଲି ବାରମ୍ବାର କୁହାଯାଉଛି । ଏହି ନୀରବ ବିପ୍ଳବରେ ଯେଉଁମାନେ ସମ୍ପୃକ୍ତ ସେଇମାନଙ୍କ ଦୃଷ୍ଟିକୁ ଆମେରିକାରେ ଏକ ଅନୁନ୍ନତ ଅଞ୍ଚଳ ଗୋଟିଏ ହାଇସ୍କୁଲ ଓ କଲେଜ ଦେଇ କିପରି ରୂପାନ୍ତର ପାଇଛି, ତାହା ଆଣିଦେବା ହିଁ ଏଇ ଆଲୋଚନାର ଏକମାତ୍ର ଉଦ୍ଦେଶ୍ୟ । ପୁଣି ବର୍ତ୍ତମାନ ଗ୍ରାମସେବକ ଓ ଗ୍ରାମସେବିକାଗଣ ଦେଶର ଚାରିଆଡ଼େ ବିଞ୍ଚି ହୋଇ ଯାଉଛନ୍ତି । ସେମାନେ ଧୈର୍ଯ୍ୟଚ୍ୟୁତ, ପଥଚ୍ୟୁତ ବା ହତାଶ ହେଲାବେଳେ ଦରିଦ୍ରା ରୁଗ୍‍ଣା ଏକାକିନୀ ନାରୀ ଆଲିଶ୍ ଲୟଡ଼୍‍ଙ୍କର ଦୃଷ୍ଟାନ୍ତ ସେମାନଙ୍କୁ କିଛି ହେଲେ ମାନସିକ ବଳ ଓ ଉତ୍ସାହ ଦେଇପାରେ ବୋଲି ମୋର ବିଶ୍ୱାସ । ବସ୍ତୁତଃ ଉଇଲିୟମ୍ ଡଟନ୍‍ଙ୍କ ବହିର ତର୍ଜମା କରିବାକୁ ଗଲି ସେହି ପଲ୍ଲୀକର୍ମୀମାନଙ୍କ ଉଦ୍ଦେଶ୍ୟରେ ।

Image